ଧରାପଡିଲା କାଳିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମିଛ

୪୦ ନୁହେଁ ୩୨ ଲକ୍ଷ ଚାଷୀ ପାଇଛନ୍ତି କାଳିଆ ଟଙ୍କା

ଭୁବନେଶ୍ୱର : ୪୦ ଲକ୍ଷ ଚାଷୀଙ୍କୁ ଟଙ୍କା ଦିଆଗଲାଣି ବୋଲି ବୁଲି ବୁଲି ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ କୃଷି ବିଭାଗର ଏ ଚିଠି ମୁଖ୍ୟମନ୍ତ୍ରୀଙ୍କ ମିଛର ଗୁମର ଖୋଲିଛି।

ଗତ ୬ ତାରିଖରେ ୮ ବିଭାଗର ସଚିବଙ୍କ ସହ ଉନ୍ନୟନ କମିଶନର ଓ କୃଷି ବିଭାଗର ନିର୍ଦ୍ଦେଶକଙ୍କ ପାଖକୁ ଯାଇଥିବା ଚିଠିକୁ ଦେଖିଲେ ଜଣାପଡେ ଯେ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା କାଳିଆ ଯୋଜନା ରାଜ୍ୟସ୍ତରୀୟ କମିଟି ବୈଠକର ବିବରଣୀ କହୁଛି ଚିହ୍ନଟ ହୋଇଥିବା ୩୦ ଲକ୍ଷ ୭୭ ହଜାର ୯୦୮ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭିତରୁ ୨୭ ଲକ୍ଷ ୯୫ ହଜାର ୬୪୫ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଲେଖାଁଏ ଟଙ୍କା ଯାଇଛି।

୨ ଲକ୍ଷ ୮୨ ହଜାର ୨୬୩ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରିନି। ସେହିପରି ଭୂମିହୀନ ବର୍ଗରେ ଚିହ୍ନଟ ୬ ଲକ୍ଷ ୨୪ ହଜାର ଚାଷୀଙ୍କ ଭିତରୁ ୪ ଲକ୍ଷ ୭୪ ହଜାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଲକ୍ଷେ ୪୯ ହଜାର ଚାଷୀଙ୍କ ପାଖକୁ ଟଙ୍କା ଯାଇନି। କ୍ଷୁଦ୍ର ନାମମାତ୍ର ଭୂମିହୀନ ଓ ଭାଗଚାଷୀ ସବୁ ବର୍ଗକୁ ମିଶାଇଲେ ୩୨ ଲକ୍ଷ ୭୦ ହଜାର ୫୩୬ ଜଣଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯାଇଛି।

ଭୁଲ୍‌ ଆକାଉଣ୍ଟ ନମ୍ବର ତଥା ଅନ୍ୟାନ୍ୟ ଆକାଉଣ୍ଟଜନିତ ସମସ୍ୟା ଯୋଗୁଁ ୪ ଲକ୍ଷ ୩୧ ହଜାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରିନି। ଆଉ ସେପଟେ କାଳିଆ ଟଙ୍କାକୁ ଅପେକ୍ଷା କରିଥିବା ଚାଷୀ ପ୍ରଚାର ପାଇଁ ଯାଉଥିବା ନେତାଙ୍କୁ ଜବାବ ମାଗୁଛନ୍ତି।

ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ ସ୍ତରୀୟ ବୈଠକର ବିବରଣୀ ଅନୁସାରେ ୨୦୧୮-୧୯ ପାଇଁ ୫ ଲକ୍ଷ ୬୪ ହଜାର ଓ ୧୯-୨୦ ବର୍ଷ ପାଇଁ  ୨ଲକ୍ଷ କ୍ଷୂଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ୫ ଲକ୍ଷ  ଭୂମିହୀନ ଚାଷୀଙ୍କ ପାଇଁ ଟଙ୍କା ରିଲିଜ କରିବାକୁ ସରକାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତିା

ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କିଛି ଦିନ ତଳେ ଏ ନେଇ ସ୍ପଷ୍ଟୀକରଣ ଦେଇ କହିଥିଲେ ନିୟମ ଅନୁସାରେ ସ୍କ୍ରିନିଂ କମିଟି ମାଧ୍ୟମରେ ଏ ତାଲିକା ଆସିନଥିବାରୁ କିଛି ତଥ୍ୟ ସଂପର୍କରେ ଅଧିକ ସ୍ପଷ୍ଟୀକରଣ ପାଇଁ ଚିଠି ଫେରାଇ ଦିଆଯାଇଥିଲା।

ଏସବୁ ଭିତରେ ବିଜେପି ଚାପରେ କାଳିଆ ଟଙ୍କା ବନ୍ଦ କରାଯାଉଛି ବୋଲି ବିଜେଡି ବାରମ୍ବାର ଅଭିଯୋଗ କରିବା ପରେ ଗତକାଲି ଖୋଦ ମୁଖ୍ୟମନ୍ତ୍ରୀ ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲେ। ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଓ ବଜେଟ ବ୍ୟବସ୍ଥାକୁ ନେଇ ବିଜେପି ବି ସିଇଓଙ୍କ ପାଖରେ ଆପତ୍ତି କରିଛି।

ତେବେ ଏହା ଭିତରେ ହତାଶ ହିତାଧିକାରୀଙ୍କ କ୍ଷୋଭ ସରକାରୀ ଦଳ ପାଇଁ ବୁମେରାଂ ହେବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ।କାଳିଆ ପାଇଁ ଗତବର୍ଷ ସରକାର ୨୧୭୫ କୋଟି ଟଙ୍କା ରିଲିଜ କରିଥିଲେ, ଯେଉଁଥିରୁ ଏବେ ସୁଦ୍ଧା ୧୬୩୫ କୋଟି ଟଙ୍କା ହିଁ ଚାଷୀଙ୍କ ଖାତାକୁ ଯାଇଛି।

You might also like