ରାଜନୈତିକ ସତରଞ୍ଜରେ ସୁରତ୍ ସିଟି

ଭୁବନେଶ୍ୱର: ରାଜନୈତିକ ପଶାପାଲିରେ ସୁରତ୍ ସିଟି। କିଏ ଜିତିବ ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ? ଅାଗାମୀ ବିଧାନସଭା ନିର୍ବାଚନରେ କିଏ ହାସଲ କରିବ ସୁରତ ଓଡ଼ିଆଙ୍କ ଭୋଟ ? ଏଥିପାଇଁ ବିଜେପି-ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର କସରତ। ଅାସନ୍ତା ୨ ଓ ୩ ତାରିଖରେ ଓଡ଼ିଆ ସମାଜ ଗୁଜରାଟରେ ଅାୟୋଜନ କରିବ ଓଡ଼ିଶା ପର୍ବ। ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅାଉ ସୁରତ୍ ଓଡ଼ିଆଙ୍କ ଭିତରେ ବିଜେପିର ବଢୁଥିବା ସଂଗଠନକୁ ଦେଖି  କାଉଣ୍ଟର ଷ୍ଟ୍ରାଟେଜୀ କରିଛି ବିଜେଡି।

୧୮ ବର୍ଷ ପରେ ନିଦରୁ ଉଠିଲା ଭଳି ଭୁବନେଶ୍ୱର-ସୁରତ ମଧ୍ୟରେ ବିମାନ ସେବା, ବ୍ରହ୍ମପୁର-ସୁରତ ମଧ୍ୟରେ ଦୈନିକ ୨ଟି ଟ୍ରେନ ତୁରନ୍ତ ଚଳାଇବାକୁ କେନ୍ଦ୍ର ପାଖରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ, ଗତକାଲି ସୁରତର କିଛି ପ୍ରବାସୀ ଓଡିଅାଙ୍କୁ ଧରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଇଥିଲା ଦଳ। କିଛି ମାସ ପୂର୍ବରୁ ସୁରତର ଓଡ଼ିଆ ଶ୍ରମିକଙ୍କ ସମସ୍ୟା ପାଇଁ ସେଠାରେ ଅାଲୋଚନା କରିଥିଲେ ଅର୍ଥମନ୍ତ୍ରୀ ଶଶିଭୂୁଷଣ ବେହେରା ଓ ସାଂସଦ ପ୍ରଶାନ୍ତ ନନ୍ଦ। ଅାଉ ଏବେ ଗଞ୍ଜାମ ଜିଲ୍ଲାର ୩ ବିଧାୟକ ସୁରତ ଯାଇ ତାଙ୍କ ସହ ଅାଲୋଚନା କରିଥିଲେ। ବର୍ତ୍ତମାନ ମାସେ ଦୁଇ ମାସ ଭିତରେ ମୁଖ୍ୟମନ୍ତ୍ରୀ ମଧ୍ୟ ସୁରତ ଯିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏସବୁ ଦୃଶ୍ୟପଟକୁ ଦେଖିଲେ ଏହାକେବଳ ଯେ, ରାଜନୈତିକ ଚାଲ୍ ତାହା ସ୍ପଷ୍ଟ ହେଉଛି।

ପାଖାପାଖି ୭ ଲକ୍ଷ ଓଡ଼ିଆ ସୁରତରେ ରହୁଥିବାବେଳେ ସର୍ବାଧିକ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର। ଗତ ଗୁଜୁରାଟ ନିର୍ବାଚନରେ ଓଡ଼ିଆଙ୍କ ବିପୁଳ ଭୋଟ ପାଇ ସୁରତକୁ ନିଜର ଗଡ଼ କରିସାରିଛି ବିଜେପି। ତେବେ ସୁରତର ପ୍ରବାସୀ ଓଡ଼ିଆଙ୍କ ଭିତରୁ ଅନେକଙ୍କ ଭୋଟର ପରିଚୟ ପତ୍ର ଓଡ଼ିଶାରେ ଥିବା ବେଳେ ସେମାନଙ୍କ ସମର୍ଥନ ହାତେଇବା ପାଇଁ ଉଭୟ ଦଳ ମଧ୍ୟରେ ପ୍ରତିଯୋଗିତା ଚାଲିଛି।

ସେପଟେ କଂଗ୍ରେସ ଏହାର ତୀବ୍ର ସମାଲୋଚନା କରିଛି। ତେବେ ଏହି ରାଜନୈତିକ ଗୋଟିଚାଳନା ଭିତରେ ସୁରତ ଓଡ଼ିଆଙ୍କ ସମସ୍ୟାର ସମାଧାନ କିଏ କରୁଛି ଓ ମନ କିଏ ଜିଣୁଛି, ତା’ ଉପରେ ଏବେ ସମସ୍ତଙ୍କ ନଜର।

You might also like