୧୯ ନିର୍ବାଚନ ପୂର୍ବରୁ ମୋଦିଙ୍କ ପୁରୁଣା ସହଯୋଗୀ ଖୋଜା

ଭୁବନେଶ୍ୱର : ବିଜେପି- ବିଜେଡି ପରସ୍ପର ପ୍ରତି ଢଳୁଥିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଲା ମୋଦିଙ୍କ ଆହ୍ୱାନ। ଗତକାଲି ଭିଡିଓ କନଫରେନ୍ସରେ ତାମିଲନାଡୁର କର୍ମୀଙ୍କୁ ଉଦ୍‌ବୋଧନ ଦେବା ବେଳେ ମୋଦି କହିଛନ୍ତି, ପୁରୁଣା ସାଥୀଙ୍କ ପାଇଁ ଏନଡିଏର ଦ୍ୱାର ଖୋଲା। ମୋଦିଙ୍କ ଏ ଆହ୍ୱାନ ପରେ ପ୍ରଶ୍ନ ଉଠୁଛି ଏନଡିଏର ପୁରୁଣା ସହଯୋଗୀ ଏକାଠି ହେବା ନେଇ ପ୍ରକିୟା ଆରମ୍ଭ ହୋଇନାହଁ ତ ?

ପୁରୁଣା ସାଥୀ ଭିତରୁ ବିଜ଼େଡି ୯ ବର୍ଷ ଧରି ବିଜେପି ସହ ସରକାରରେ ଥିଲେ। ଖୋଦ ନବୀନ ବି ବାଜପେୟୀଙ୍କ ସମୟରେ ଏନଡିଏ ସରକାରରେ ମନ୍ତ୍ରୀ ଥିଲେ। ଯଦିଓ ତାମିଲନାଡୁରେ କର୍ମୀଙ୍କ ସହ କଥା ହେବା ବେଳେ ମୋଦି ଏ କଥା କହିଛନ୍ତି। ତଥାପି ପୁରୁଣା ସାଥୀଙ୍କ ପାଇଁ ଦଳର ଦ୍ୱାର ଖୋଲା ବୋଲି କହି ମୋଦି ମେଣ୍ଟ ପାଇଁ ଅନେକ ପ୍ରଶ୍ନ ଛାଡିଯାଇଛନ୍ତି।

ହିନ୍ଦି ହାର୍ଟଲାଣ୍ଡରେ ବିଜେପିର ପରାଜୟ ପରେ ବାଜପେୟୀ ଭରସା କରିଥିବା ପୁରୁଣା ସାଥୀଙ୍କୁ ମୋଦି ଖୋଜିବାରୁ ଗୁରୁତ୍ୱ ବଢିଯାଇଛି। ବିଜେପି କିନ୍ତୁ ମୋଦିଙ୍କ ଏ ଆହ୍ୱାନକୁ କେବଳ ତାମିଲନାଡୁ ଭିତରେ ସୀମତ ରଖି ଓ଼ଡିଶାରେ ମେଣ୍ଟ ସମ୍ଭାବନାକୁ ଖଣ୍ଡନ କରିଛି।  ନବୀନ ବି ସମଦୂରତାର କଥା ଦୋହରେଇଛନ୍ତି।

ମୋଦିଙ୍କ ଓଡିଶା ଗସ୍ତ ବେଳେ ବିଜେଡି-ବିଜେପିର ଭିତରି ସଂପର୍କକୁ ନେଇ ବରାବର୍ ପ୍ରଶ୍ନ ଉଠାଉଛି କଂଗ୍ରେସ। ମୋଦି ବି ଉଭୟ ଖୋର୍ଦ୍ଧା ଓ ବାରିପଦା ଦଳୀୟ ସଭାରେ ନବୀନଙ୍କ ପ୍ରତି ଅପେକ୍ଷାକୃତ ନରମ ମନୋଭାବ ଦେଖାଇ ସଂପର୍କର ଚର୍ଚ୍ଚାରେ ଖିଅ ଯୋଡିଥିଲେ।

ତେବେ ଭୋଟରଙ୍କ ପାଖରୁ ଭୁଲ ବାର୍ତ୍ତା ନଯାଉ ସେଥିପାଇଁ ନବୀନ ମୋଦିଙ୍କ ବାରିପଦାର ସରକାରୀ ସଭାକୁ ବୟକଟ କରି ପୁରୀରେ ସମାନ୍ତରାଳ ସଭାର ରଣନୀତି କଲେ ବୋଲି ଚର୍ଚ୍ଚା ହେଲା। ଏବେ ୧୫ ତାରିଖରେ ମୋଦିଙ୍କ ବଲାଙ୍ଗିର ଗସ୍ତ ବେଳେ ମଧ୍ୟ ସରକାରୀ ସଭାକୁ  ନଯାଇ ନବୀନ କୃଷକଙ୍କୁ ନେଇ ଭୁବନେଶ୍ୱରରେ କୃଷି ଓଡିଶା କାର୍ଯ୍ୟକ୍ରମ କରୁଛନ୍ତି।   ତେବେ ବିଜେପି ବିଜେଡିର ସଂପର୍କକୁ ନେଇ ଦୁହିଁଙ୍କୁ ପୁଣି ଟାର୍ଗେଟ କରିଛି କଂଗ୍ରେସ।

ନିର୍ବାଚନ ପୂର୍ବରୁ ନହେଲେ ବି ନିର୍ବାଚନ ପରେ ପରିସ୍ଥିତିକୁ ଦେଖି ବିଜେଡି ପରି ଏନଡିଏର କିଛି ପୁରୁଣା ସାଥୀ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ଏବେ ରାଜନୈତିକ ମହଲରେ ଜୋର୍ ଧରିଛି।

You might also like