ବିଜେଡି ସମର୍ଥକଙ୍କ ଗୁଣ୍ଡାରାଜ୍‌ ଅଭିଯୋଗ

ରାତି ଅଧରେ ସହିଦନଗର ଥାନା ପାଲଟିଲା ରଣକ୍ଷେତ୍ର

ଭୁବନେଶ୍ୱର : ଭୁବନେଶ୍ୱରର ସମ୍ଭ୍ରାନ୍ତ ଅଞ୍ଚଳରେ ଥିବା ସହିଦ ନଗର ଥାନାରେ ବିଜେଡି ନେତା ଓ କର୍ମୀଙ୍କ ଗୁଣ୍ଡାରାଜ ଅଭିଯୋଗ। ଏକ ଦୁର୍ଘଟଣା ମାମଲାକୁ କେନ୍ଦ୍ର କରି ରାତି ଅଧରେ ଥାନାରେ ଦଳର ଯୁବ ନେତା ଓ କର୍ମୀ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

ଏପରିକି ପୁଲିସ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିବାର ଭିଡିଓ ପଦାକୁ ଆସିଛି। ସମସ୍ତ ସୁରକ୍ଷା ବଳୟକୁ ଭେଦ କରି ଭିଆଇଛନ୍ତି ଲଙ୍କାକାଣ୍ଡ।

ସହିଦନଗର ଥାନା ଭିତରେ ଭଙ୍ଗାରୁଜା ଆଉ ଥାନା ବାହାରେ ପୁଲିସ କର୍ମଚାରୀଙ୍କୁ ନିସ୍ତୁକ ପ୍ରହାର। ଗତ ରାତି ପ୍ରାୟ ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ଘଟିଛି ଏହି ତୁମୂଳକାଣ୍ଡ। ଯାହାର ପ୍ରତିଟି ଚିତ୍ର କଏଦ୍ ହୋଇଛି ସିସିଟିଭିରେ।

ସେଥିରେ ଦେଖିବାକୁ ମିଳିଛି କେମିତି ଲହୁଲୁହାଣ କରୁଛନ୍ତି ସହିଦନଗର ଥାନାର ଏଏସ୍ଆଇ ଅଭୟ ରାଉତଙ୍କୁ। ମିଳିଥିବା ସୂଚନା ଅନୁଯାୟୀ, ଭିଏସ୍ଏସ୍‌ନଗରରେ ଏକ କାର୍ ସହ ବାଇକ୍ ଧକ୍କାରୁ ଏହି କାଣ୍ଡର ହୋଇଥିଲା ସୂତ୍ରପାତ। ଦୁର୍ଘଟଣାଗ୍ରସ୍ତ କାର୍‌ଟି ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ଜଣେ ବନ୍ଧୁଙ୍କର।

ଏନେଇ ସୂଚନା ପାଇବା ପରେ ସହିଦନଗର ଥାନାରେ ଦଳବଳକୁ ଧରି ଏତଲା ଦେବାକୁ ପହଞ୍ଚିଥିଲେ ପ୍ରକାଶ। ଠିକ୍ ଏହି ସମୟରେ ବାଇକ୍ ଚାଳକଙ୍କ ଗୋଷ୍ଠୀ ପହଞ୍ଚିବା ପରେ ସହିଦନଗର ଥାନାରେ ହୋଇଥିଲା ତୁମୂଳ ସଂଘର୍ଷ। ପୁଲିସ କର୍ମଚାରୀଙ୍କ ସମେତ ପୁଲିସ୍ ହେପାଜତରେ ଥିବା ଅନ୍ୟ ୩ ଯୁବକଙ୍କୁ ବିଜେଡି ନେତା ପ୍ରକାଶ ତ୍ରିପାଠୀ ଏବଂ ତାଙ୍କ ସମର୍ଥକ ନିସ୍ତୁକ ମାଡ଼ ମାରିଥିବା ଖୋଦ୍ ଜଣେ ପୁଲିସ୍ ଏଏସ୍ଆଇ ଅଭିଯୋଗ କରିଛନ୍ତି। ଏହି ଗୋଷ୍ଠୀ ସଂଘର୍ଷରେ ନିଜେ ପ୍ରକାଶ ତ୍ରିପାଠୀ ମଧ୍ୟ ଆହତ ହୋଇଛନ୍ତି।

ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ଥାନା ପରିସରରେ ଏତେବଡ଼ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲେ ବି ଦିନ ତମାମ୍ ହାତବାନ୍ଧି ବସିଥିଲା କମିଶନରେଟ୍ ପୁଲିସ। ତେବେ ସହିଦନଗର ଥାନାରେ ମାଡ଼ ଖାଇଥିବା ଏଏସ୍ଆଇ ଅଭୟ ରାଉତ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରୁଛି। ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରିବା ସହ ସମସ୍ତ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ପୁଲିସ କମିଶନର।

ଖୋଦ୍ ପୁଲିସ୍ ଏଏସ୍ଆଇଙ୍କ ଅଭିଯୋଗ ଓ ଭିଡିଓ ଫୁଟେଜ୍ ପ୍ରମାଣ ପରେ ବି କେଉଁ ଚାପରେ ପୁଲିସ୍ ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନି। ଏହା ପଛରେ ଶାସକ ବିଜେଡିର ଚାପ ପୁଲିସ୍‌କୁ ତା କର୍ତ୍ତବ୍ୟ ସଂପାଦନରେ ବାଧା ଦେଉଛି କି? ଏହାକୁ ନେଇ ଛିଡ଼ା ହୋଇଛି ବଡ଼ ପ୍ରଶ୍ନ।

You might also like