ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର

ରାଜ୍ୟ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନକାନ୍ଦି କେନ୍ଦ୍ରକୁ ବୁଝାଇବା ଆବଶ୍ୟକ

ଭୁବନେଶ୍ୱର : ବଳକା ଉଷୁନା ଚାଉଳ ନେଉନି କେନ୍ଦ୍ର । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ବିଜେପି ଉପରେ ବର୍ଷିଛି ବିଜେଡ଼ି । ପ୍ରେସମିଟ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ । ଓଡ଼ିଶାରୁ ଉତ୍ପାଦନ ଉଷୁନା ଚାଉଳର ମାତ୍ର ୫୦ ପ୍ରତିଶତ ନେବ କେନ୍ଦ୍ର । ୨୦୧୯-୨୦ରେ ଖରିଫ ଋତୁରେ ୫୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ  ରବିରେ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହୋଇଥିଲା । ମୋଟ୍ ୭୧ ଲକ୍ଷ ଟନ୍ ଉତ୍ପାଦାନ ହୋଇଥିଲା । ଏଥିରେ ୪୮ ଲକ୍ଷ ମେଟ୍ରିକ୍ ଟନ୍ ରହିଛି ପାରା ବଏଲଡ଼ ରାଇସ୍ ।

ଏପଟେ ବର୍ତ୍ତମାନ ରାଜ୍ୟରେ ୩୫ ଲକ୍ଷ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ ହୋଇଛି । ଆଗାମୀ ସମୟରେ ଆହୁରି ଧାନ ସଂଗ୍ରହ ଚାଲିଛି । ଚଳିତ ବର୍ଷ ମୋଟ ୮୨ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯିବା ଲକ୍ଷ୍ୟ ରହିଛି  । ଧାନ କିଣା ନେଇ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ରାଜ୍ୟ ସରକାର ଦେଇଛନ୍ତି  । ତେବେ ସେନେଇ କେନ୍ଦ୍ର ଏଯାବତ ରାଜ୍ୟ ସରକାରଙ୍କୁ ଟଙ୍କା ଦେଇନି । ଧାନ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଥିବା ବେଳେ ରାଜ୍ୟରୁ ରବି ସିଜନ୍ ପାଇଁ କିଛି ନେବ ନାହିଁ କେନ୍ଦ୍ର ବୋଲି ଚିଠ ଲେଖିଛି । କେବଳ ଖରିଫ ପାରା ବଏଡ଼ଲ ଧାନ କିଣିବ ।

କେନ୍ଦ୍ର ଉଷୁନା ଚାଉଳ ନନେଲେ ଓଡ଼ିଶା ଉପରେ ୧୦ ହଜାର କୋଟି ବୋଝ ପଡ଼ିବ ।  ରାଜ୍ୟ ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ନକାନ୍ଦି କେନ୍ଦ୍ରକୁ ବୁଝାଉ ବୋଲି କହିଛନ୍ତି ବିଜେଡି ନେତା  ।  କଠିନ ପରିଶ୍ରମ ଦ୍ୱାରା ରାଜ୍ୟରେ ବମ୍ପର ଉତ୍ପାଦନ କରିଛନ୍ତି ଚାଷୀପୁଅ । ମହାମାରୀର କଠିନ ସମୟରେ ବିଗିଡ଼ି ଯାଇଥିବା ଅର୍ଥନୀତିକୁ ସଜାଡ଼ି ମେରୁଦଣ୍ଡ ସାଜିଛନ୍ତି ଚାଷୀକୂଳ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ  ଚାଷୀନୀତି ଯୋଗୁଁ ବାରମ୍ବାର ରାଜ୍ୟ କୃଷି କର୍ମଣ ପୁରସ୍କାର ପାଇଛି । ଚାଷୀଭାଇଙ୍କର ଆୟ ଦ୍ୱିଗୁଣିତ ହୋଇଛି ।  ତେବେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ  ନୀତି ଯୋଗୁଁ ଓଡ଼ିଶାବାସୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

ଏହା ପୂର୍ବରୁ ଗତ ୧୬ ତାରିଖରରେ ଚାଷୀଙ୍କ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା ବିଜେପି । ରାଜ୍ୟ ବିଜେପି ଆସନ୍ତା ୨୧ରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଫିସ ଆଗରେ ଧାରଣା ଦେବା ସହ ଅଫିସ ଘେରାଉ ପାଇଁ ବିଜେପି ଚେତାବନୀ ଦେଇଛି ।

ସେପଟେ ଧାନ କିଣା ପ୍ରସଙ୍ଗରେ ପାଲଟି ପ୍ରେସମିଟ କରି ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ସରକାର  ଡିସେମ୍ବର ୧ରୁ ମଣ୍ଡି ଖୋଲିବେ କହି କେବେ ଖୋଲିଲେ ବନ୍ଦ କଲେ ଜଣାପଡ଼ିଲାନି । କେନ୍ଦ୍ର ମଣ୍ଡିର ଭିତ୍ତିଭୂମି ବିକାଶ ପାଇଁ ହଜାର ହଜାର କୋଟି ଦେଉଛନ୍ତି । ଟଙ୍କା ଆସୁଛି, ପଡ଼ି ରହୁଛି, କିନ୍ତୁ ଚାଷୀଙ୍କ ପାଖକୁ ଯାଉ ନାହିଁ । ଟୋକନ ଅବ୍ୟବସ୍ଥା ଓ କଟନୀ ଛଟନୀରେ ଯୋଗୁଁ ଚାଷୀ ହତାଶ ହୋଇପଡ଼ୁଛନ୍ତି । ଯଦି ଭଲ ଫସଲ ହୋଇଛି, ବଳକା ଧାନକୁ ଅନ୍ୟ ରାଜ୍ୟ ନିଜସ୍ୱ ଯୋଜନାରେ କିଣୁଥିବା ବେଳେ ଓଡ଼ିଶା ସରକାର କରୁଛନ୍ତି କ’ଣ ? ରାଜ୍ୟ ସରକାର ଏଯାଏ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ କେତେ ଧାନ କିଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ।

You might also like