ଆଇସକ୍ରିମ୍ କାଠିରେ ନିଆରା କଳାକୃତି, ଗଢିଲେ ଅବିକଳ କେଦାରନାଥ ମନ୍ଦିର

ପୁରୀ: ଶିଳ୍ପୀର ହାତ କେତେବେଳେ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥଙ୍କୁ ବିରାଜମାନ କରେ ତ କେତେବେଳେ ବିଦ୍ୟାଦାତା ଗଣେଶଙ୍କ ମୂର୍ତ୍ତି ଗଢେ । ଆଉ କେତେବେଳେ ମହାଦେବଙ୍କ ମନ୍ଦିର । ଆଇସକ୍ରିମ କାଠିରେ ନିଆରା କଳାକୃତି କରି ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ପୁରୀ ଅଞ୍ଚଳର ବିଶ୍ୱଜିତ ନାୟକ ଏବେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଆଇସକ୍ରିମ୍ କାଠିରେ ସେ ୧୦ ଇଞ୍ଚର କେଦାରନାଥ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ରହିଛନ୍ତି । ବିଶ୍ୱଜିତ ୧୭୫ଟି ଆଇସକ୍ରିମ୍ କାଠିକୁ ନେଇ ଏହି ମନ୍ଦିର ନିର୍ମାଣ କରିଛନ୍ତି । ମନ୍ଦିରର ଉଚତା ମାତ୍ର ୧୦ ଇଞ୍ଚ ରହିଥିବା ବେଳେ ୭ ଇଞ୍ଚ ଚଉଡ଼ା ରହିଛି । ଏହି କଳାକୃତି ନିର୍ମାଣ ପାଇଁ ତାଙ୍କୁ ୨୭ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି । ତାଙ୍କର ଏହି କଳାକୃତିକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେବା ପାଇଁ ସେ ଆବେଦନ କରିଛନ୍ତି ।

Ice cream stick Kedarnath

ପୂର୍ବରୁ ଶାରଦୀୟ ଦୁର୍ଗା ପୂଜା ଅବସରରେ ସେ ଆଇସ୍‌କ୍ରିମ୍‌ କାଠିରେ ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ତିଆରି କରିଥିଲେ । ସେ ସେହି ସମୟରେ ମା’ଙ୍କ ମୂର୍ତ୍ତି ତିଆରି କରି ମହିଂସାସୁର ରୂପୀ କରୋନା ଭୂତାଣୁକୁ ନାଶ କରିବା ପାଇଁ ପ୍ରାର୍ଥନା କରିଥିଲେ । ଆଉ ଏହି କଳାକୃତୀ ପାଇଁ ସେତେବେଳେ ସେ ଢ଼େର ଚର୍ଚ୍ଚାକୁ ଆସିଥିଲେ ।

Ice cream stick Kedarnath

ତାଙ୍କୁ ଏହି ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ତିଆରି ପାଇଁ ୬ଦିନ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା । ଏଥିରେ ସେ ୩୭୫ଟି ଆଇସକ୍ରିମ କାଠି ବ୍ୟବହାର କରିଥିଲେ । ଏହି କଳାକୃତିରୁ ତାଙ୍କର ଅସାଧାରଣ ପ୍ରତିଭା ବାରି ହୋଇପଡେ।

କେବଳ କେଦାରନାଥ ମନ୍ଦିର କିମ୍ବା ମା’ ଦୁର୍ଗା ନୁହଁନ୍ତି, ପୂର୍ବରୁ ସେ ଏଭଳି ଅନେକ କଳାକୃତି ଦେଖାଇ ବେଶ ପ୍ରଶଂସା ସାଉଟିବା ସହ ଲୋକପ୍ରିୟତା ହାସଲ କରିଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି । ସେ ପୂର୍ବରୁ ଜଗନ୍ନାଥ ଏବଂ ଗଣେଶଙ୍କର ମୂର୍ତ୍ତି କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ଏବଂ ଏସିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇସାରିଛନ୍ତି ।

You might also like