ରାଜ୍ୟବ୍ୟାପୀ ମହମ୍ମଦ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଅାଜି ମହମ୍ମଦ ଜୟନ୍ତୀ। ଇସଲାମ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ମହମ୍ମଦ ଜୟନ୍ତୀକୁ ଧୁମଧାମରେ ପାଳନ କରିଛନ୍ତି। ଏହି ଅବସରରେ ଭଦ୍ରକରୁ ଜୁଲୁସ ଶୋଭାଯାତ୍ରା ବାହାରିଥିଲା। ଶହ ଶହ ସଂଖ୍ୟାରେ ଲୋକେ ଶୋଭାଯାତ୍ରାରେ ଅାସି ମହମ୍ମଦଙ୍କ ଧର୍ମବାଣୀ ଗାନ କରିଥିଲେ।

ବାଲେଶ୍ୱରରେ ମହାଅାଡମ୍ବରରେ ପାଳିତ ହୋଇଛି ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ। ଏହି ଅବସରରେ ଏକ ବିରାଟ ବାଇକ୍ ରାଲି ଦର୍ଘା ଉବଦାନରୁ ବାହାରି ସହର ପରିକ୍ରମା କରିଥିଲା। ଏଥିରେ ସବୁ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ।

ସମ୍ବଲପୁରରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ମହମ୍ମଦ ଜୟନ୍ତୀ। ଜିଲ୍ଲା ସ୍କୁଲ ଛକରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ଶୋଭାଯାତ୍ରାରେ ବାହାରିଥିଲେ। ପରସ୍ପରକୁ ଶୁଭେଚ୍ଛା ଜଣାଇ ଉତ୍ସବ ପାଳନ କରିଥିଲେ। ସୁନ୍ଦରଗଡ଼ରେ ଇଦ୍ ମିଲାଦୁନ୍ ନବୀ ପରିଚାଳନା କମିଟି ପକ୍ଷରୁ ଏହି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ସୁନ୍ଦରଗଡ଼ରେ ତାଜିଅା ଶୋଭାଯାତ୍ରା ବାହାରିଥିଲା।

ବ୍ରହ୍ମପୁର ଏବଂ ରାୟଗଡାରେ ମଧ୍ୟ ମହାପୁରୁଷ ମହମ୍ମଦଙ୍କ ୧୪୪୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

ସେହିପରି କେନ୍ଦ୍ରାପଡ଼ା ସହରରେ ଅାନନ୍ଦ ଉଲ୍ଲାସରେ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଛି। କେନ୍ଦ୍ରାପଡ଼ା ସହର ଓ ଏହାର ଉପକଣ୍ଠର ପ୍ରାୟ ୨୫ରୁ ଅଧିକ ଅନୁଷ୍ଠାନ ଏବଂ ସାହି ବସ୍ତିରୁ ଶୋଭାଯାତ୍ରା ଗୁଡିକ ବାହାରି ସହର ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେଇ ଇସ୍‌ଲାମ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

You might also like