କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ, ସଫେଇ କର୍ମଚାରୀ ବିରଞ୍ଚି ନାଏକଙ୍କୁ ଦିଆଗଲା ପ୍ରଥମ ଟିକା

ଭୁବନେଶ୍ୱର : ରାଜ୍ୟରେ୧୧ଟା ୦୫ରୁ କରୋନା ଟିକାକରଣ ଆରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ସ୍ୱାସ୍ଥ୍ୟ ବିଭାଗ) ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ଜଣେ ୪ର୍ଥ ଶ୍ରେଣୀର କର୍ମଚାରୀ ଟିକା ନେଇଛନ୍ତି । ବିରଞ୍ଚି ନାଏକ ନାମକ ସଫେଇ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏବଂ ତା’ପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନେଇଛନ୍ତି କରୋନା ସଞ୍ଜିବନୀ । କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ରାଜ୍ୟବାସୀ ଉପନୀତ ହୋଇଥିବା ବେଳ ୧୬୧ଟି କେନ୍ଦ୍ରରେ ୧୬ ହଜାର ୧୦୦ ଜଣଙ୍କୁ ଆଜି ଟିକା ଦିଆଯିବାର ଯୋଜନା ରହିଛି । ସେହିପରି  ୨୫ ତାରିଖ ଭିତରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି ।

 

 

ସବୁ ଟିକାକରଣ କେନ୍ଦ୍ରରେ  ୱେଟିଂ ରୁମ,  ଭ୍ୟାକ୍ସିନ୍ ରୁମ୍ ଓ ଅବଜରଭେସନ୍ ରୁମର ବ୍ୟବସ୍ଥା ହୋଇଛି । ପ୍ରତି କେନ୍ଦ୍ରରେ ୫ ଜଣିଆ ଭ୍ୟାକ୍ସିନେସନ୍ ଟିମ୍ ପ୍ରସ୍ତୁତ ଅଛନ୍ତିା  ତେବେ ଟିକାକରଣକୁ ନେଇ କୌଣସି ପ୍ରଶ୍ନ ବା ସହାୟତାର ଆବଶ୍ୟକତା ଥିଲେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ କିମ୍ବା ୧୦୭୫ ନମ୍ବରରେ ଫୋନ୍ କରିପାରିବେ ।

ଟିକାକରଣ ପାଇଁ ପ୍ରତି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ୍ ପଠାଯାଇଛି । ଗାଇଡ଼ଲାଇନ୍ ଅନୁଯାୟୀ ୧୮ ବର୍ଷରୁ କମ୍ , ଗର୍ଭବତୀ ଓ ସ୍ତନ୍ୟପାନ କରାଉଥବା ମହିଳା, ଅସୁସ୍ଥ ବା ଚିକିତ୍ସାଧୀନଙ୍କୁ ଟିକାକରଣ ବାରଣ ରହିଛି। ଠିକ୍ ସେହିପରି ୧୪ ଦିନ ଭିତରେ ଅନ୍ୟ କିଛି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ନାହିଁ। କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଯାଇଁ ଟିକା ନେଇ ହେବ ବୋଲି କୁହାଯାଇଛି ।

ତେବେ ମହାମାରୀ ବିରୋଧୀ ମହାକବଚ ପାଇଁ ଆଜି ଠାରୁ ଆରମ୍ଭ ହୋଇଯାଇଛି ଦେଶବ୍ୟାପୀ ମହାଅଭିଯାନ । ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଶ୍ୱର ସର୍ବବୃହତ୍ତ ଟିକାକରଣର ଶୁଭାରମ୍ଭ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କୋ-ୱିନ୍ ଆପର ବି ଶୁଭାରମ୍ଭ କରିଛନ୍ତି । ପ୍ରାରମ୍ଭରେ ଦେଶର ପ୍ରାୟ ୩ ହଜାର କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି ।

ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ କେବେ କୌଣସି ଠାରେ ଏପରି ଟିକାକରଣ ହୋଇ ନ ଥିଲା । ବିଶ୍ୱରେ କେବେ କୌଣସି ଠାରେ ଏପରି ଟିକାକରଣ ହୋଇ ନ ଥିଲା। ବିଶ୍ୱରେ ୧୦୦ଟି ଦେଶର ଲୋକଙ୍କ ସଂଖ୍ୟା ୩ କୋଟିରୁ କମ୍। ୩୦ କୋଟିରୁ ଅଧିକ ଲୋକସଂଖ୍ୟା ଦେଶ ଭାରତ, ଚୀନ, USA। ଭାରତ ବିରାଟ ଦେଶ ହୋଇ ବି ଟିକା ପ୍ରସ୍ତୁତ କରି ସାମର୍ଥ୍ୟ ଦେଖାଇଛି ।


ସେହିପରି ଟିକାର ଶୁଭାରମ୍ଭ କରି ଟିକା ପ୍ରସ୍ତୁତକାରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଦୁଇ ପ୍ରକାରର ଟିକା ପ୍ରସ୍ତୁତ ହୋଇଛି। ଯେଉଁମାନେ ଟିକା ପ୍ରସ୍ତୁତ କରିଛନ୍ତି ସେମାନେ ପ୍ରଥମେ ଟିକା ନେବେ। ଟିକା ପ୍ରସ୍ତୁତକାରୀ ପ୍ରଥମ ଟିକା ନେବା ପାଇଁ ହକ୍‌ଦାର୍‌। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ  ଟିକା ପ୍ରଦାନ କରାଯିବ ।

ପ୍ରତିଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାଦାନ କାର୍ଯ୍ୟକ୍ରମ ହେବ।  ଟିକାକରଣ ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଟି କରୋନା ପ୍ରତିଷେଧକ ଟିକା କୋଭିସିଲ୍ଡ ଓ କୋଭିକ୍ସିନର ଡୋଜ ପହଞ୍ଚାଯାଇଛି।

 

ଆହୁରି ପଢନ୍ତୁ :

କରୋନାର ଅନୁସନ୍ଧାନ ପାଇଁ ଚୀନ୍‌ର ଉହାନ୍‌ରେ ପହଞ୍ଚିଲା WHO ଟିମ୍

You might also like