ଦାଦନଙ୍କ ନୂଆ ଉଦ୍ଭାବନ : ବୁଲା ଗାଈଗୋରୁ ଓ ଜଙ୍ଗଲୀ ଜନ୍ତୁ ଦାଉରୁ ଫସଲ ରକ୍ଷା କରୁଛି ସୌର ତାରବାଡ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଚାଷୀଙ୍କ ଟେନସନ୍ ଶେଷ, ଫସଲ ଜଗୁଛି ସୌର ତାରବାଡ଼।  କୁହାଯାଏ ଆବଶ୍ୟକତା ହିଁ ନୂଆ କିଛି କରିବାର ରାସ୍ତା ଦେଖାଇ ଥାଏ । ଆଉ ଏପରି କିଛି କରି ଦେଖାଇଛନ୍ତି ମାଟ୍ରିକ ପଢ଼ୁଆ ଯୁବକ । ପରିବାର ଚଳାଇବାକୁ ରାଜ୍ୟ ବାହାରକୁ ଯାଇଥିଲେ ଦାଦନ ଖଟିବାକୁ, ହେଲେ ସେଥିରେ ମନ ବୁଝିଲାନି। ଗାଁରେ ଚାଷ କରିବେ ଚିନ୍ତା କରି ଘରକୁ ଚାଲି ଆସିଲେ । ହେଲେ ବୁଲା ଗାଇଗୋରୁ, ଷଣ୍ଢ ଓ ମାଙ୍କଡ ଉପଦ୍ରବ ଯୋଗୁଁ ଚାଷରେ ଅନେକ କ୍ଷତି ସହିବାକୁ ପଡ଼ିଲା । ତଥାପି ହତୋତ୍ସାହିତ ହୋଇ ପଡିଲେ ନାହିଁ । ଅନେକ ଚିନ୍ତା କରିବା ପରେ ବିକଳ୍ପ ବାହାର କଲେ । ଉଚ୍ଚଶିକ୍ଷିତ ନହୋଇ ମଧ୍ୟ ଅଦମ୍ୟ ଚେଷ୍ଟା ବଳରେ ଉଦ୍ଭାବନ କଲରେ ସୌର ତାର ବାଡ ବା ଜୀବଜନ୍ତୁ ଜଗିବା ଯନ୍ତ୍ର ।

ତିହିଡି ବ୍ଲକ ଆରସା ଗାଁର ବିପ୍ଳବ ରଞ୍ଜନ ଦାସ । ମାଟ୍ରିକ ପାସ କରି ଗାଁରେ ବୁଲା ବୁଲି କରୁଥିଲେ । ପରେ କିଛି ରୋଜଗାର କରିବା ଆଶାରେ ତାମିଲନାଡୁ ଚାଲିଥିଲେ । ହେଲେ ସେଠାରେ ଯାହା ରୋଜଗାର ହେଲା, ସେଥିରେ ପରବାର ଚଳାଇବା ନିଅଣ୍ଟ ହୋଇପଡ଼ିଲା । ଅନେକ ଚନ୍ତା କରିବା ପରେ ୨୦୧୮ ମସିହାରେ ସେ ଗାଁକୁ ପଳେଇ ଆସିଲେ । ଗାଁରେ ଘର ପଛ ପଟେ ଗୋଟିଏ ଏକର ଜାଗାରେ ଫସଲ ଆରମ୍ଭ କଲେ । କଠିନ ପରିଶ୍ରମ କରି ଜମିରେ ସୁନା ଫଳାଇଲେ ।

ହେଲେ ଗାଇଗୋରୁ, ଷଣ୍ଢ ଓ ମାଙ୍କଡ ଉପଦ୍ରବରେ ସୁନାର ଫସଲ ସବୁ ନଷ୍ଟ ହୋଇଗଲା। ସବୁ ପରିଶ୍ରମ ପାଣିରେ ପଡ଼ିଲା । ଫସଲକୁ ରକ୍ଷା କରିବାକୁ ଦିନରାତି  ଜଣକୁ ଫସଲ ଜଗିବାକୁ ପଡ଼ିଲା।  ଜୀବଜନ୍ତୁ ବ୍ୟତୀତ ସ୍ଥାନୀୟ ଲୋକେ ମଧ୍ୟ  ପନିପରିବା ଚୋରି କରିବାକୁ ଲାଗିଲେ । ଫଳରେ ଆହୁରି ଚିନ୍ତାରେ ପଡିଗଲେ ବିପ୍ଳବ । ଗୋଟିଏ ପଟରେ ଧାର କରଜର ଚିନ୍ତା ଅନ୍ୟ ପଟେ ଫସଲ ନଷ୍ଟ ହେବାର ଭୟ । ଏହାକୁ ଦେଖି ବିପ୍ଳବ ତିଆରି କଲେ ସୌର ତାର ବାଡ ବା ଜୀବଜନ୍ତୁ ଜଗିବା ଯନ୍ତ୍ର ।

ଏହି ତାର ବାଡ ପାଖକୁ ଗଲେ ଏହା ଝଟକା ମାରିବା । କେବଳ ଏତିକି ନୁହେଁ ଏହି ତାର ବାଡକୁ କିଏ ଧରିବା ପାଇଁ କିମ୍ବା କାଟିବା ପାଇଁ ଚେଷ୍ଟା କଲେ ଜୋରରେ ସାଇରନ ବାଜିବ ।  ୧.୫ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯିବ । ଏହା ଦ୍ୱାରା ମାଲିକ ମଧ୍ୟ ସଜାଗ ହୋଇଯିବେ । ଏହି ସୌର ତାର ବାଡକୁ ବାଉଁଶ ମାଧ୍ୟମରେ ଜମି ଚାରିପଟେ ବାନ୍ଧି ଦିଆଯିବାର ବ୍ୟବସ୍ଥା କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଜୀବଜନ୍ତୁଙ୍କୁ ଏହି ତାରବାଡ଼ ଝଟକା ଦେବ ସତ କିନ୍ତୁ କୌଣସି କ୍ଷତି କରିବ ନାହିଁ ।

ସୌର ତାରବାଡ଼ ତିଆରି ପାଇଁ ବିପ୍ଳବଙ୍କୁ ମୋଟ୍ ୧୧ ହାଜରରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି  । ୧୨ ଭୋଲ୍ଟର (30 ଏମ୍ପିୟାର) ବ୍ୟାଟେରୀ, 12 ଭୋଲ୍ଟର (40 ଞ୍ବାଟ) ସୋଲାର ପେନାଲ, ଅନଲାଇନର କିଛି ସ୍ପେୟାର ପାର୍ଟ୍ସ ମଗାଇ ତଥା ସ୍ଥାନୀୟ ଅଞ୍ଚଳରୁ କିଛି ଯନ୍ତ୍ରାଂଶ (ଟ୍ରାନ୍ସଫର୍ମର, କାପାସିଟର, ରିଲେ, ଡାୟଡ, ସୋଲାର ପିସିବ), ଚାରି ଚକିଆ ଗାଡ଼ିର ବ୍ୟାକ ଗିଅର ହର୍ଣ୍ଣ, କିଛି ଜିଆଇ ତାର ଆଦି ସହ  ସେ ଏହି ସୌର ତାର ବାଡ ତିଆରି କରିଛନ୍ତି । ଏହା  ୫ ବର୍ଷ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ହେବ ।

 

You might also like