ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ଦୀର୍ଘ ବର୍ଷ ହେଲା ଡାକ୍ତରଙ୍କ ସମେତ ଆବଶ୍ୟକ ଷ୍ଟାଫ ପଦବୀ ଖାଲି

ଜଣେ ଆୟୁଷ ଡାକ୍ତର ଓ ଜଣେ ଫାର୍ମାସିଷ୍ଟରେ ଚାଲିଛି ମେଡିକାଲ, ରୋଗୀ ସେବା ବ୍ୟାହତ

  • ନାହିଁ ନାହିଁରେ ଚାଲିଛି ଯାଜପୁରର ଉତଙ୍ଗରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର
  • ଦୀର୍ଘ ବର୍ଷ ହେଲା ଡାକ୍ତରଙ୍କ ସମେତ ଆବଶ୍ୟକ ଷ୍ଟାଫ ପଦବୀ ଖାଲି
  • ଜଣେ ଆୟୁଷ ଡାକ୍ତର ଓ ଜଣେ ଫାର୍ମାସିଷ୍ଟଙ୍କ ଉପରେ ସମସ୍ତ ଦାୟିତ୍ୱ
  • ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ

ଯାଜପୁର(ଗୁଲାମ ଗସ): ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନ ସ୍ଥାପନ କରିଛନ୍ତି । ହେଲେ କେଉଁଠି ଡାକ୍ତରଙ୍କ ଅଭାବ ତ ଆଉ କେଉଁଠି ଆବଶ୍ୟକ ଷ୍ଟାଫ ନାହାନ୍ତି  । ଫଳରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟସେବା । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଉତଙ୍ଗରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଦୀର୍ଘ ବର୍ଷ ହେଲା ଏଠାରେ ଡାକ୍ତରଙ୍କ ସମେତ ଆବଶ୍ୟକ ଷ୍ଟାଫ ପଦବୀ ଖାଲି ପଡିଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି  ।

୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିବା ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଉତଙ୍ଗରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଦୀର୍ଘ ବର୍ଷ ହେଲା ଖାଲି ପଡିଛି ଡାକ୍ତର ପଦବୀ । ଫଳରେ ରୋଗୀସେବାରେ ବ୍ୟାହତ ସୃଷ୍ଟି ହୋଇଛି । ଜଣେ ଆୟୁସ ଡାକ୍ତର ଓ ଜଣେ ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର  । ଏଠାରେ ଏଏନଏମ, ସୁଇପର ଓ ଆଟେଣ୍ଡାଣ୍ଟ ପଦବୀ ମଧ୍ୟ ଖାଲି ପଡିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି ସ୍ଥାନୀୟ ୭ଟି ପଂଚାୟତର ଲୋକେ । ହେଲେ ଡାକ୍ତର ନଥିବାରୁ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି  । ଫଳରେ ଲୋକେ ଯାଜପୁର ମେଡିକାଲ ଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଆମ୍ବୁଲାନ୍ସ ସେବା ନଥିବାରୁ ରୋଗୀମାନେ ଅଟୋ କିମ୍ବା ବାଇକରେ ଦୂରଦୂରାନ୍ତକୁ ଚିକିତ୍ସା ପାଇଁ ଯାଇଥାନ୍ତି । ଏନେଇ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି ।

ଜଣେ ସ୍ଥାନୀୟ ଚନ୍ଦ୍ରକାନ୍ତ ମଲ୍ଲିକ ଅଭିଯୋଗ କରିଛନ୍ତି, ଯେଉଁ ଡାକ୍ତର ଜଣକ ଅଛନ୍ତି, ସେ ଇଞ୍ଜେକ୍ସନ ଦେଇପାରୁ ନାହାନ୍ତି କି ଗ୍ଲୁକୋଜ ଚଢ଼ାଇ ପାରୁନାହାନ୍ତି । ଆମେ ବୁ‍ଢ଼ାବୁଢ଼ୀ ଥରି ଥରି ଡାକ୍ତରଖାନାକୁ ଆସିବା ବେଳକୁ ଏଠାରେ କିଛି ସୁବିଧା ନାହିଁ । ଏପରି ଅବସ୍ଥାରେ ଆମେ କୁଆଡ଼େ ଯିବୁ ?

ଏଠାରେ ଡାକ୍ତର ଓ ଷ୍ଟାଫଙ୍କ ଅଭାବ ଯୋଗୁ ରୋଗୀ ସେବା ବିପଯର୍ଯ୍ୟସ୍ତ ହୋଇପଡିଛି । ତେବେ ଖୁବଶୀଘ୍ର ଡାକ୍ତର ସମେତ ଫାଙ୍କା ପଡିଥିବା ଅନ୍ୟ ପଦବୀ ଗୁଡିକ ପୂରଣ କରାଯିବ ବୋଲି ଯାଜପୁର ସିଡିଏମଓ କହିଛନ୍ତି । ତେବେ କେବେ ସ୍ୱାଭାବିକ ହେଉଛି ଏଠାରେ ରୋଗୀ ସେବା, ତାହାକୁ ହିଁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ ।

You might also like