ପରକୀୟା ପ୍ରୀତି ପାଇଁ ୪ ଜଣଙ୍କୁ ହତ୍ୟା କରି ଫେରାର ଥିଲା ସ୍ୱାମୀ, ଏବେ ଧରାପଡ଼ିଲେ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ୯ ମାସ ତଳେ ୪ ଜଣଙ୍କୁ ହତ୍ୟା କରି ଫେରାର ଥିବା ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି। ଉତ୍ତରପ୍ରଦେଶର ଲଲନ୍‌ରୁ ଅଭିଯୁକ୍ତ ପପୁ ସେନ୍‌ଙ୍କୁ ସେଠାକାର ପୋଲିସ୍‌ ଗିରଫ କରିଛି। ୨୦୨୦ରେ ପପୁ ନିଜ ଶାଶୁ, ଶ୍ୱଶୁର ଓ ଶାଳକଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିବା ସହ ସ୍ତ୍ରୀର ପ୍ରେମିକର ବାପାଙ୍କୁ ମଧ୍ୟ ହତ୍ୟା କରିଥିଲେ। ସ୍ତ୍ରୀର ପରକୀୟା ପ୍ରୀତି ଓ ପ୍ରେମିକ ସହ ଫେରାର ଘଟଣାକୁ ନେଇ ପପୁ ଏହି ହତ୍ୟାକାଣ୍ଡ ଘଟାଇଥିଲା।

ସୂଚନା ଅନୁସାରେ, ସ୍ତ୍ରୀର ପରକୀୟା ପ୍ରୀତି ଓ ପ୍ରେମିକ ସହ ଫେରାର ଘଟଣାକୁ ନେଇ ପପୁ ପ୍ରଥମେ ୨୦୨୦ ଜୁଲାଇ ୧୬ରେ ସ୍ତ୍ରୀର ପ୍ରେମିକର ବାପା ରଘୁନନ୍ଦନଙ୍କୁ ହତ୍ୟା କରିଥିଲେ। ଉତ୍ତରପ୍ରଦେଶ ଚୌକାବାଗ ଥାନା ଅନ୍ତର୍ଗତ ଲଳିତପୁରରେ ରହୁଥିବା ରଘୁନନ୍ଦନଙ୍କୁ ଗୁଳି କରି ହତ୍ୟା କରିଥିଲା ପପୁ। ଏହାପରେ ସେଠାରୁ ଫେରାର ହୋଇ ପପୁ ଜୁଲାଇ ୨୨ରେ ନିଜ ଶାଶୁ ବୈଦେହୀ ଭୋଇ, ଶ୍ୱଶୁର ଗୋଲୁ ଭୋଇ ଓ ଶାଳକ ଶିବ ଭୋଇଙ୍କୁ କୁରାଢ଼ୀରେ ବୀଭତ୍ସ ଭାବେ ହତ୍ୟା କରିଥିଲା। ଏମାନେ ସମସ୍ତେ ରାତିରେ ଶୋଇଥିବା ଅବସ୍ଥାରେ ପପୁ ଏହି ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିଲା।

ପପୁଙ୍କ ପତ୍ନୀ ପପୁଙ୍କ ଜଣେ ସାଙ୍ଗଙ୍କ ସହ ସମ୍ପର୍କ ରଖିବା ସହ ତାଙ୍କ ସହ ଫେରାର ହୋଇଯାଇଥିଲେ। ଏହାସହ ପପୁଙ୍କ କହିବା ଅନୁଯାୟୀ, ପତ୍ନୀ ତାଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଥିଲେ। ଏସବୁ ଘଟଣାକୁ ନେଇ ପପୁ  ପ୍ରତିଶୋଧ ପରାୟଣ ହୋଇ ଚାରି ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ୪ ଜଣଙ୍କୁ ହତ୍ୟା କରିବା ପରେ ପପୁ ନିଜ ପତ୍ନୀ ଓ ପ୍ରେମିକଙ୍କୁ ମଧ୍ୟ ହତ୍ୟା ପାଇଁ ଯୋଜନା କରିବା ସହ ସେମାନଙ୍କୁ ଖୋଜୁଥିଲା। ହେଲେ ଶେଷରେ ସେ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ। ୯ ମାସ ପରେ ଗତ ୨ ତାରିଖରେ ପପୁକୁ ଧରିବାରେ ପୋଲିସ୍ ସଫଳ ହୋଇଛି। ତାଙ୍କ ନିକଟରୁ ପୋଲିସ୍‌ ଏକ ବନ୍ଧୁକ ଜବତ କରିଛି। ୪ ଜଣଙ୍କୁ ହତ୍ୟା କରିଥିବା ପପୁକୁ ଧରାଇବାକୁ ପୁରସ୍କାର ରାଶି ଘୋଷଣା ହୋଇଥିଲା।

You might also like