ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ, ରାତିସାରା ବେହୋସ ହୋଇ ପଡ଼ିରହିଲେ ଯୁବକ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ) : ସମ୍ପର୍କୀୟ ଘରକୁ ଯାଇଥିଲେ, ପାଖ ଗାଁରୁ ଆସୁଛି କହି ଫେରିଲେନି । ବଲାଙ୍ଗୀର ଜିଲ୍ଲା ଗୁଡିଘାଟ ପଞ୍ଚାୟତର ବାବେଜୁରୀ ହରଗୌରୀ ମନ୍ଦିର ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ । ରାତିସାରା ଅଚେତ ଅବସ୍ଥାରେ ପଡି ରହିଲେ ଯୁବକ । ଆଜି ସକାଳେ ଉଦ୍ଧାର କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାଟଣାଗଡ଼ ଥାନା ଭଇଁସା ନିକଟସ୍ଥ ବାନ୍ଧନପାଲି ଗ୍ରାମର ମୁରଲୀ ସଲତରଙ୍କ ପୁଅ ବିଦେଶୀ ସଲତର ଡଙ୍ଗରପଡା ଗାଁରେ ରହୁଥିବା ନିଜ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଗତକାଲି ସନ୍ଧ୍ୟାରେ ସେ ପାଖ ଗ୍ରାମ ବନବାହାଲରୁ ଆସୁଛି ବୋଲି କହି ଆଉ ଫେରି ନଥିଲେ। ରାତିରେ ବାଇକରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ବୁଲାଣିରେ ଖସିପଡ଼ିଥିଲେ । ଦୁର୍ଘଟଣାଗ୍ରସ୍ତ ହେବା ପରେ ଗୁରୁତର ଆହତ ହୋଇ ବେହୋସ ହୋଇଯାଇଥିଲା । ତେବେ ରାତି ହୋଇଥିବାରୁ ଦୁର୍ଘଟଣା ସମ୍ପର୍କରେ କେହି କିଛି ଜାଣିପାରିନଥିଲେ । ଚେତାଶୂନ୍ୟ ଅବସ୍ଥାରେ ରାତିସାରା ପଡିରହିଥିଲେ ସଲତର ।

ଆଜି ସକାଳୁ ରାସ୍ତା କଡ଼ରେ ଜଣେ ଯୁବକ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଦେଖି ଗାଁ ଲୋକେ ଆମ୍ବୁଲାନ୍ସ ଡକାଇ ନିକଟସ୍ଥ ମୁରିବାହାଲ ସିଏଚସିରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଭର୍ତ୍ତି ହେବାର ଦୀର୍ଘ ସମୟ ପର‌୍ୟ୍ୟନ୍ତ ଗୁରୁତର ବିଦେଶୀଙ୍କ ଚେତା ଫେରି ନଥିବା ଜଣାପଡିଛି। ତାଙ୍କ ମୁଣ୍ଡ ପଛ ପଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା କହିଛନ୍ତି ଡାକ୍ତର । ତେବେ ଘଟଣା ସମ୍ପକୟରେ ଜାଣିବବା ପରେ ପରିବାର ଲୋକେ ତାଙ୍କୁ ସେଠାରୁ ନେଇ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ବାଇକଟି ଉଦ୍ଧାର କରି ମୁରିବାହାଲ ଥାନା ପୋଲିସ ଅଧିକ ତଦନ୍ତ କରୁଛି ।

You might also like