• ବିଜୁ ଯୁବ ବାହିନୀ ପୋଥିରେ ଡୋରି ବାନ୍ଧିଲେ ସରକାର
  • ଏବର୍ଷ ବଜେଟରେ ହୋଇନି ଅର୍ଥ ବରାଦ, ହେବନି କିଛି କାର୍ଯ୍ୟକ୍ରମ
  • ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବର୍ଷିଲେ ବିରୋଧୀ
  • ବିଜେଡି କହିଲା କରୋନା ପାଇଁ ହୋଇଛି ଖର୍ଚ୍ଚକାଟ

ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ବିଜୁ ଯୁବ ବାହିନୀ ସ୍କିମ। ବିଧାନସଭାରେ ବିଜେପି ବିଧାୟକଙ୍କ ଲିଖିତ ପ୍ରଶ୍ନ ଉପରେ କ୍ରୀଡା ଓ ଯୁବ କଲ୍ୟାଣ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉତ୍ତରରୁ ଏକଥା ସ୍ପଷ୍ଟ ହୋଇଛି। ବଜେଟରେ ବିଜୁ ଯୁବ ବାହିନୀ ପାଇଁ କୌଣସି ଅର୍ଥ ବରାଦ କରାଯାଇନାହିଁ, ତେଣୁ ବିଜୁ ଯୁବ ବାହିନୀର ବର୍ତ୍ତମାନ କାର୍ଯ୍ୟକ୍ରମ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ। ବିଜୁ ଯୁବବାହିନୀ ନାଁରେ ସରକାରୀ ଅର୍ଥ ଲୁଟ୍ କରାଯାଇଥିବା ବିଜେପି କହିଥିବା ବେଳେ ନିର୍ବାଚନ ବୈତରଣୀ ପାର ହେବା ଲାଗି ଏହା ଚାଲ୍ ଥିଲା ବୋଲି କହିଛି କଂଗ୍ରେସ।

ନିର୍ବାଚନ ପୂର୍ବରୁ ଆସିଲା,  ଆଉ ନିର୍ବାଚନ ସରିବା ପରେ ବନ୍ଦ ହୋଇଗଲା। ମାତ୍ର ଦି ବର୍ଷ ଚାଲିଲା ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ବିଜୁ ଯୁବ ବାହିନୀ ଯୋଜନା । ଯୁବକମାନଙ୍କୁ ଆକୃଷ୍ଟ କରିବା ଲାଗି ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଯୋଜନା ଭାବେ ବିଜୁ ଯୁବବାହିନୀ ସ୍କିମ୍ ଲଞ୍ଚ କରିଥିଲେ ରାଜ୍ୟ ସରକାର। ମାତ୍ର ଯାହା ଅଭିଯୋଗ ହେଉଥିଲା ତାହା ହିଁ ଘଟିଛି। ସରକାର ଏହି ସ୍କିମକୁ ଆଉ ଆଗକୁ ନେବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ବିଧାନସଭାରେ ବିଜେପି ବିଧାୟକ ଭବାନି ଶଙ୍କର ଭୋଇଙ୍କ ପ୍ରଶ୍ନ ଉପରେ କ୍ରୀଡା ଓ ଯୁବ କଲ୍ୟାଣ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହେଉଛି।

୨୦୨୧-୨୨ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ହୋଇନଥିବା ମନ୍ତ୍ରୀ କହିଛନ୍ତି। ଅର୍ଥାତ୍ ଯୁବ ବାହିନୀ ପୋଥିରେ ଡୋରି ବାନ୍ଧିଛନ୍ତି ସରକାର। ଏହାକୁ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିରୋଧୀ। ବିଜୁ ଯୁବବାହିନୀ ନାଁରେ ରାଜ୍ୟ ରାଜକୋଷରୁ ଟଙ୍କା ଲୁଟ୍ କରାଯାଇଥିବା ବିଜେପି ଅଭିଯୋଗ କରିଥିବା ବେଳେ ଏହା ନିର୍ବାଚନ ବୈତରଣୀ ପାର ହେବା ଚାଲ୍ ଥିଲା ବୋଲି କହିଛି କଂଗ୍ରେସ। ଆଉ ବିଜେଡି ବିରୋଧୀଙ୍କ ଅଭିଯୋଗର ଜବାବ ବି ରଖିଛି।

ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା। ସେ କହିଛନ୍ତି ଯେ, ରାଜ୍ୟରେ ଯୁବ ବାହିନୀକରି ଭୁଲ କରିଛନ୍ତି ସରକାର। ଏବେ ତାହା ଅନୁତାପ କରୁଛନ୍ତି। କେବଳ ନିଜର ସ୍ୱାର୍ଥକୁ ସାଧନ କରିବାକୁ ଏହାକୁ ଗଠନ କରିଥିଲେ। କେବଳ ଭୋଟରେ ଜିତିବାକୁ ଏହା କରିଥିଲେ ତେଣୁ ତାହାକୁ ସ୍ୱୀକାର କରନ୍ତୁ ସରକାର ବୋଲି ପ୍ରଦୀପ୍ତ କହିଛନ୍ତି।

ସେପଟେ, ପିସିସି ସଭାପତି କହିଛନ୍ତି ଯେ, ରାଜ୍ୟରେ ନିର୍ବାଚନ ସମୟର ଭୋଟରେ ସାହାଯ୍ୟ କରିବା ଲାଗି ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା। ସେ କାମ ଏବେ ସରିଯାଇଛି। ତେଣୁ ଆଉ କାହିଁକି ସେ ରହିବ ବୋଲି କହିଛନ୍ତି ନିରଞ୍ଜନ। ଆଉ ୩ ବର୍ଷ ଅପେକ୍ଷା କରନ୍ତୁ, ଆଉ କଣ ଗୋଟାଏ ହେବ ବୋଲି ନିରଞ୍ଜନ କହିଛନ୍ତି।

ଆଉ ଏହାର ଜବାବ ରଖିଛି ବିଜେଡି। ଦଳର ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, କରୋନା ଚାଲିଛି। ଅନେକ ଯୋଜନାର ଅର୍ଥ ଦେବା କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ତେଣୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅନେକ ଯୋଜନା ଚଳାଉଛନ୍ତି। ଏ ସବୁକୁ ଦୃଷ୍ଟିରେ ରଖି ବିଜୁ ଯୁବ ବାହିନୀକୁ ବନ୍ଦ କରାଯାଇଥିବା ଦଳୀୟ ନେତା ସଫେଇ ଦେଇଛନ୍ତି।

୨୦୧୮ ମାର୍ଚ୍ଚ ୧୪ରେ ବିଜୁ ଯୁବବାହିନୀ ଗଠନ ପ୍ରସ୍ତାବକୁ ମଂଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ। ଆଉ ତାପରେ ଉଦଘାଟିତ ହୋଇଥିଲା ଏହି ବହୁଚର୍ଚ୍ଚିତ ସ୍କିମ। ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୩ ବର୍ଷରେ ୪୫୦ କୋଟି ଟଙ୍କା ଖର୍ଚ୍ଚ ଲାଗି ଲକ୍ଷ୍ୟ ରଖାଯାଇଥିଲା। ସବୁ ପଞ୍ଚାୟତ ଓ ପୌର ସଂସ୍ଥାରେ ୮ହଜାର ଗ୍ରୁପ ଗଠନ ଲାଗି ବ୍ୟବସ୍ଥା ହୋଇଥିଲା। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଲାଙ୍ଗିର, ସମ୍ବଲପୁର ଭଳି ବିଭିନ୍ନ ଜିଲାକୁ ଯାଇ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୁଁ ହିରୋ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ଆକୃଷ୍ଟ କରିବା ଲାଗି ପ୍ରୟାସ କରାଯାଇଥିଲା। ସ୍ୱେଚ୍ଛାସେବୀମାନେ ବି ଏଥିରେ ନିୟୋଜିତ ହୋଇଥିଲେ। ତେବେ କେଉଁ କାର୍ଯ୍ୟକ୍ରମ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ହିସାବ ଦେଇପାରିନଥିଲେ। ସରକାରଙ୍କୁ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ସିଏଜି।

ନିର୍ବାଚନ ସମୟରେ ବିଜୁ ଯୁବ ବାହିନୀର କାର୍ଯ୍ୟକଳାପକୁ ନେଇ ବି ପ୍ରଶ୍ନ ଉଠିଥିଲା। ଏହାକୁ ଗୁଣ୍ଡା ବାହିନୀ ବୋଲି କହିଥିଲେ ବିରୋଧୀ। ସେହିପରି ବିଜୁ ଯୁବବାହିନୀକୁ ନେଇ ହାଇକୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଥିଲା।

ଭୁବନେଶ୍ୱରରୁ ଜଗଦୀଶ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ 

Other Stories