ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ ! ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍‌ରେ  ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ବର୍ତ୍ତମାନ କରାଯାଉ ନାହିଁ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟ୍‌ରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ। ବିଜୁ ଯୁବ ବାହିନୀର ସ୍ଥିତି ଏବେ କ’ଣ ଅଛି, ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି।

ବିଧାୟକ ଭବାନୀ ଶଙ୍କର ଭୋଇ ପ୍ରଶ୍ନ କରିଥିଲେ, ବିଜୁ ଯୁବ ବାହିନୀର ସ୍ଥିତି ଏବେ କ’ଣ ଅଛି ? କେଉଁ କେଉଁ ଅଞ୍ଚଳରେ ବର୍ତ୍ତମାନ ବିଜୁ ଯୁବ ବାହିନୀ କ’ଣ କ’ଣ କାମ ଲୋକଙ୍କ ସ୍ୱାର୍ଥ ପାଇଁ କରୁଛି ? ସମୁଦାୟ କେତେ ଯୁବକ ବର୍ତ୍ତମାନ ବିଜୁ ଯୁବ ବାହିନୀରେ ଅଛନ୍ତି ? ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟ୍‌ରେ କେତେ ଆର୍ଥିକ ବ୍ୟବସ୍ଥା ହୋଇଥିଲା ଓ ସେଥିରୁ କେତେ କେଉଁଥିପାଇଁ ଖର୍ଚ୍ଚ ହୋଇଛି ? UC ଦେଇଛନ୍ତି କେତେ ଖର୍ଚ୍ଚ ହୋଇପାରିନାହିଁ ?

https://youtu.be/s7nqRGHNj4k

ଅନ୍ୟପକ୍ଷେ, ବିଜୁ ଯୁବ ବାହିନୀ ବନ୍ଦ ନେଇ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମନ୍ତବ୍ୟ ପରେ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। ବିଜୁ ଯୁବ ବାହିନୀ କେବଳ ନିର୍ବାଚନକୁ ଆଖି ଆଗରେ ରଖି କରାଯାଇଥିଲା ଓ ତାହା ଆଜି ପ୍ରମାଣିତ ହୋଇଛି ବୋଲି ବିଜେପି କହିଛି। ତା’ଛଡ଼ା ବିଜୁ ଯୁବ ବାହିନୀ ସମ୍ପୂର୍ଣ୍ଣ ଫେଲ୍ ହୋଇଛିି ଓ ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଗଠନ କରି ଅନୁତାପ କରିଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି। ରାଜ୍ୟ ସରକାର, ଲୋକଙ୍କ ଝାଳବୁହା ଧନକୁ ଏପରି ଖର୍ଚ୍ଚ ନ କରନ୍ତୁ ବୋଲି ସେ କହିଛନ୍ତି।

ଖାଲି ବନ୍ଦ ଘୋଷଣା ନୁହେଁ, ରାଜ୍ୟ ସରକାର କ’ଣ ପାଇଁ ବିଜୁ ଯୁବ ବାହିନୀ ଗଠନ କରିଥିଲେ ତାହା ସ୍ପଷ୍ଟ କରନ୍ତୁ ବୋଲି ବିଜେପି କହିଛି। ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କୁ ଏ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ଏବେ ନଥିବାରୁ ବିଜୁ ଯୁବ ବାହିନୀର ଆଉ ଆବଶ୍ୟକତା ନାହିଁ। ପୁଣି ଯେତେବେଳେ ନିର୍ବାଚନ ଆସିବ, ସରକାରଙ୍କର ପୁଣି କେଉଁ ବାହିନୀ କଥା ମନେ ପଡ଼ିବ ବୋଲି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

Other Stories