ବିଜୁ ଯୁବ ବାହିନୀରେ ଦୁର୍ନୀତିର ଗନ୍ଧ

ଭୁବନେଶ୍ୱର: ବିଜୁ ଯୁବ ବାହିନୀରେ ଦୁର୍ନୀତିର ଗନ୍ଧ ବାରି ବିଧାନସଭାରେ ବିଜେପି ହଙ୍ଗାମା କରିଛି। ଅଡିଟ୍ ପାଇଁ ସିଏଜି ମାଗିଥିବା ତଥ୍ୟ ରାଜ୍ୟ ସରକାର ଦେଇ ନ ଥିବାରୁ ବିଜେପି ଶାସକ ଦଳକୁ ଟାର୍ଗେଟ୍‌ କରିଛି। ହକି ଓ୍ୱାର୍ଲଡ୍ କପ୍ ପ୍ରସ୍ତୁତି ଆଳରେ ଏବେ ତଥ୍ୟ ଦେଇ ହେବନାହିଁ ବୋଲି କ୍ରୀଡ଼ା ବିଭାଗ କହିଥିବା ବେଳେ ବିଭ୍ରାନ୍ତ କରିବା ବିଜେପି ଗୃହରେ ଏହି ପ୍ରସଙ୍ଗ ଉଠାଇଛି ବୋଲି ବିଜେଡି ପାଲଟା ଅଭିଯୋଗ କରିଛି।

ପ୍ରଶ୍ନକାଳ ଆରମ୍ଭରୁ ବିଜୁ ଯୁବ ବାହୀନିର ଦୁର୍ନୀତି ନେଇ ବିଜେପି ବିଧାୟକମାନେ ହୋହଲ୍ଲା କରିଥିଲେ। ହୋହଲ୍ଲା ଭିତରେ ବାଚସ୍ପତି ଗୃହକୁ ଘଣ୍ଟାଏ ମୁଲତବୀ କରିଥିଲେ। ଏହା ପରେ ଶୂନ୍ୟକାଳରେ ପୁଣି ସମାନ ପ୍ରସଙ୍ଗ ଉଠାଇଥିଲା ବିଜେପି।

ସିଏଜି ରାଜ୍ୟ କ୍ରୀଡ଼ା ବିଭାଗକୁ ଲେଖିଥିବା ଚିଠି ଦେଖାଇ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ।

ବିଜୁ ଯୁବ ବାହିନୀ ସ୍କିମ୍‌ର ଅଡିଟ୍ ପାଇଁ ଗତ ୬ ତାରିଖରେ ସିଏଜି କ୍ରୀଡ଼ା ବିଭାଗକୁ ଚିଠି ଲେଖିଥିଲେ। ସ୍କିମ୍‌ରେ ଉଦ୍ଦେଶ୍ୟ କ’ଣ, ପାଣ୍ଠିର ଉତ୍ସ, ବାର୍ଷିକ ଅନୁଦାନ କେତେ ଓ ଏଯାଏ କେତେ ଟଙ୍କା ଦିଆଯାଇଛି, ସ୍କିମ୍‌କୁ କାର୍ଯ୍ୟକାରୀ କରୁଥିବା ଏଜେନ୍‌ସି କିଏ, କେଉଁମାନେ ହିତାଧିକାରୀ, ଏହାର ସ୍ୱଚ୍ଛତା ବଜାୟ ରଖିବା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ଏସବୁ ସଂପର୍କରେ ତଥ୍ୟ ମଗାଯାଇଥିଲା।

ଅନ୍ୟପଟେ ଅଡିଟ୍ ପାଇଁ ଯାଇଥିବା ଅଫିସର୍‌ଙ୍କୁ କ୍ରୀଡ଼ା ବିଭାଗରୁ ତଥ୍ୟ ଦିଆଯାଇ ନଥିଲା। ହକି ବିଶ୍ୱକପ୍ ପ୍ରସ୍ତୁତି କାର୍ଯ୍ୟରେ ଅଧିକାରୀମାନେ ନିୟୋଜିତ ଥିବାରୁ ବିଶ୍ୱକପ୍ ସରିବା ଯାଏ ଅଡିଟ୍ କାମରେ ସହଯୋଗ କରିହେବ ନାହିଁ ବୋଲି ବିଭାଗ ରୋକ୍‌ଠୋକ୍ ଜଣାଇଥିଲା। ଯାହା ସିଏଜି ଗତ ୧୪ ତାରିଖରେ କ୍ରୀଡ଼ା ବିଭାଗକୁ ଦେଇଥିବା ଆଉ ଏକ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଏହି ପୂରା ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଏବେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି।

ସେହିଭଳି ଆଇନ ଶୃଙ୍ଖଳା ପ୍ରସଙ୍ଗରେ କଂଗ୍ରେସ୍ ଆଜି ଗୃହରେ ଆଣିଥିବା ମୁଲତବୀ ପ୍ରସ୍ତାବ ବାଚସ୍ପତି ଗ୍ରହଣ କରି ନଥିବାରୁ ଦଳୀୟ ବିଧାୟକମାନେ ହଙ୍ଗାମା କରିଥିଲେ। କେବଳ ଯେଉଁ ପ୍ରସଙ୍ଗ ଶାସକ ଦଳକୁ ସୁହାଇବ ସେହି ପ୍ରସଙ୍ଗ ଆଲୋଚନା ହେବ କି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଥିଲେ।

 

You might also like