ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋକୁ ନେଇ ଗୃହରେ ହଟ୍ଟଗୋଳ

ଲୋଗୋ ପାଇଁ ହଟ୍ଟଗୋଳ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ଲାଗିବାକୁ ନେଇ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେପି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ବିଜୁ ପକ୍କାଘର ଲୋଗୋ ଲଗାଇବାକୁ ମନା କରି କେନ୍ଦ୍ର ଲେଖିଥିବା ଚିଠି ଗୃହରେ ଦେଖାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ବିଜୁ ପକ୍କାଘର ଲୋଗୋ ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଚଞ୍ଚକତା ପ୍ରସଙ୍ଗ ସେ ଉଠାଇଥିଲେ।

ଅନ୍ୟପଟେ କଂଗ୍ରେସ କହିଛି ଇନ୍ଦିରାଆବାସ ଯୋଜନାକୁ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଯାଇଛି। କଂଗ୍ରେସ କେବେ ଏହି ଯୋଜନାର ଘରେ ଲୋଗୋ ଲଗାଇ ନଥିଲା। ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ଲୋଗୋ ଲଗାଉଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେପଟେ ବିଜେଡି କହିଛି ଲୋଗୋକୁ ନେଇ ରାଜନୀତି କରାନଯାଉ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ସେ କହିଛନ୍ତି ଯେ, ଏହାକୁ ନେଇ ଆମେ ଗତ ଡିସେମ୍ବର ମାସରୁ ବିରୋଧ କରି ଆସୁଛୁ। ଏ ସଂକ୍ରାନ୍ତରେ ରାଜ୍ୟପାଳଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିଥିଲୁ। ନିର୍ମାଣ କାମରେ ୬୦ ଓ ୪୦ ପ୍ରତିଶତ ରେସିଓରେ କାମ ଚାଲିଛି। କିନ୍ତୁ ରାଜ୍ୟ ସରକାର ନିଜ ନାଁକୁ ବଡ଼ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁକୁ ଛୋଟ କରି ଲେଖୁଛନ୍ତି। ଏହି ଯୋଜନାରେ ବିଜୁ ଲୋଗୋ କେବେ ବି ଲଗାଯିବା ଉଚିତ୍‌ ନୁହେଁ ବୋଲି ପ୍ରଦୀପ୍ତ କହିଛନ୍ତି।

ଏହାକୁ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଇଏ ଏବେ  ନୁହେଁ ଅନେକ ଦିନ ହେଲାଣି ଚାଲିଛି। ପୂର୍ବରୁ ଇନ୍ଦିରାଗାନ୍ଧୀଙ୍କ ଫଟୋ ମରାଯାଉନଥିଲା କି ରାଜୀବ ଗାନ୍ଧୀଙ୍କ ଫଟୋ ମରାଯାଉନଥିଲା। ଆଉ ଏବେ ପ୍ରଧାନମନ୍ତ୍ରୀଙ୍କ ଫଟୋ କିମ୍ବା ବିଜୁ ବାବୁଙ୍କ ଫଟୋ କହିଁକି ମରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ କେବଳ ଭୋଟ ପାଇଁ ପ୍ରଧାନମନ୍ତ୍ରୀ ଓ ବିଜୁ ବାବୁଙ୍କ ଫଟୋ ମରାଯାଉଛି ବୋଲି ତାରା କହିଛନ୍ତି।

ଆଉ ବିରୋଧୀ ଦଳର ଅଭିଯୋଗ ଉପରେ ଜବାବ ରଖିଛି ଶାସକ ଦଳ। ଦଳର ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ଯେ,  ରାଜ୍ୟ ସରକାରଙ୍କ ପକ୍ଷରୁ ଟଙ୍କା ଦିଆଯାଉଛି। ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଯୋଜନା ଲେଖିଲେ କୌଣସି ଅସୁବିଧା ନାହିଁ ବୋଲି ପ୍ରମିଳା କହିବା ସହ ବିରୋଧୀ ଯାହା କହୁଛନ୍ତି ଖାଲି ଠିକ୍‌ ଆମେ ଯାହା କହୁଛୁ ତାହା କଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।

You might also like