ଏବେ ମନାକଲେ ପରେ ମାଗଣାରେ ମିଳିବନି କରୋନା ଟିକା
ଟିକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆହ୍ୱାନ ଦେଲା ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର : ପରେ ମାଗଣାରେ ମିଳିବନି କରୋନା ଟିକା । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯିବା ପାଇଁ ଚୟନ କରାଯାଇଛି । ହେଲେ ଏବେ କିଛି ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେବାକୁ ମନା କରୁଛନ୍ତି । ବର୍ତ୍ତମାନ ଯଦି ସ୍ୱାସ୍ଥ୍ୟକର୍ମୀମାନେ ଟିକା ନନେବେ, ପରେ ସେମାନଙ୍କୁ ଆଉ ମାଗଣା ଟିକା ପ୍ରଦାନ କରାଯିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଟିକା ନେବାକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆହ୍ୱାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଟିକା ନେବାକୁ ମନାକଲେ ପରେ ଆଉ ମାଗଣାରେ ଟିକା ଦିଆଯିବ ନାହିଁ, ହୁଏତ ସେମାନଙ୍କୁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଟିକା କିଣିବାକୁ ପଡ଼ିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଟିକାକରଣର ଦ୍ୱିତୀୟ ଦିନ ମଧ୍ୟ ବେଶ୍ ସଫଳ ହୋଇଛି ।ଗତକାଲି ୩୭୫ ସେସନରେ ୩୨ ହଜାର ୫୨୬ ଜଣଙ୍କୁ ଟିକା ଦିଆଯାଇଛି । ୩୧ ହଜାର ୯୦୨ ଜଣଙ୍କୁ ଟିକା ଦିଆଯିବାର ଯୋଜନା ଥିଲା, କିନ୍ତୁ ତାଠାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ।
ଫଳରେ ୧୦୨ ପ୍ରତିଶତ ଟାର୍ଗେଟ ହାସଲ କରାଯାଇପାରିଛି । ତେଣୁ ଆଜି କିଛି ସେସନ କମ୍ କରାଯାଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ୧୯୨ଟି ସେସନ ହେଉଥିବା ବେଳେ ଏଥିରେ ୧୬ ହଜାର ୨୬୧ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଟିକା ନେବା ପରେ ଏପଯର୍ଯ୍ୟନ୍ତ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇନାହିଁ । ତେବେ ୭ ଜଣ ସାମାନ୍ୟ ଭଲ ଲାଗୁନଥିବା ପ୍ରକାଶ କରିଛନ୍ତି ।
ଆଜି ସାଢ଼େ ୪ଟାରେ ପୁଣେରୁ ଦ୍ୱିତୀୟ ଦଫାରେ ଭୁବନେଶ୍ୱର ଟିକା ଆସିବ । ସ୍ପାଇସ୍ ଜେଟ୍ ଏୟାରଲାଇନ୍ସର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଭୁବନେଶ୍ୱରକୁ କୋଭିସିଲ୍ଡ ଟିକା ଆସିବ । ସେପଟେ ରାଜ୍ୟରେ କରୋନା ଟିକାକରଣ ସୁରୁଖୁରୁରରେ ଜାରି ରହିଛି । ଆସନ୍ତାକାଲି ୯୨ ଟି ସେସନ, ୨୧ ତାରିଖରେ ୪୩୬ଟି ସେସନ,୨୨ରେ ୧୪୧ସେସନ୍, ୨୩ରେ ୧୭୮ ଏବଂ ୨୫ ତାରିଖରେ ୨୭୯ ଟି ସେସନ ହେବ ଟିକାକରଣ ହେବ । ଏହିପରି ଭାବରେ ୨୫ ତାରିଖ ଭିତରେ ୧୬ ଶହ ୯୮ଟି ସେସନ୍ରେ ମୋଟ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କେବେ କେଉଁଦିନ କେତୋଟି ସେସନରେ ଟିକାକରଣ ହେବ ସମୟ ନିର୍ଦ୍ଧାରଣ ସରିଛି ।