‘ମୋ ବାପାଟା ପରା, ୫/୭ ବର୍ଷ ବୁଲିବା ଭୁଲି ଯା,..ତା’ ପରେ ସାରା ଦୁନିଆ ବୁଲିବୁ..’

ରାଉରକେଲା(ପବନ ତିୱାରୀ) : ‘ହଇରେ ଆଳିଆ, କ’ଣ ଆଜି କ୍ଲାସକୁ ଡେରିରେ ଆସିଲୁ ? ….ମୋ ବାପାଟା ପରା, ଏଇ ୫/୭  ବର୍ଷ ଦୁନିଆ ଭୁଲି ଯା। ମଞ୍ଚ ଦେଖ, ଲାଇବ୍ରେରୀ ଦେଖ, ନାଟକ ଶିଖ। ଦିନ ଆସିବ, ତୁ ଦୁନିଆ ସାରା ବୁଲିବୁ…। ତାଙ୍କର ଏଇ କେଇପଦ କଥା ମୋ ଜୀବନର ଗତିପଥକୁ ବଦଳାଇ ଦେଇଛି। ବାପାଙ୍କ ପରି ଛାତ୍ରଙ୍କୁ ଏମିତି ବୁଝାଉଥିବା ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟର ପ୍ରଫେସର ବିଜୟ ମହାନ୍ତି ଆଉ ନାହାନ୍ତି। ହେଲେ ତାଙ୍କର ଏଇ କଥାକୁ ମନେ ପକାଇ ଝୁରି ହେଉଛନ୍ତି ଛାତ୍ର।

ବିଜୟ ମହାନ୍ତିଙ୍କ ସେହି ଶିଷ୍ୟ ହେଉଛନ୍ତି ନଳିନୀ ନିହାର ନାୟକ। ଦିନେ ବିଜୟ ମହାନ୍ତିଙ୍କ କଲେଜ (ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟ)ରେ ପଢ଼ିବା ପାଇଁ ୧୯୯୮କେନ୍ଦ୍ରାପଡ଼ା ଆଳିରୁ ଟ୍ରଙ୍କ ମୁଣ୍ଡାଇ ବସ୍‌ ଛାତ ଉପରେ ବସି ଭୁବନେଶ୍ୱର ଆସିଥିଲେ। ଆଶା ଥିଲା, ବିଜୟ ମହାନ୍ତି ଅଭିନୟ କଳାର ଆ..ଆ…ଇ.. ଶିଖାଇ ଦେବେ, ଆଉ ମୁଁ କଳାକାର ହୋଇଯିବି। ଆଉ ସତରେ ସେ ଆଜି ଜଣେ ଉଚ୍ଚକୋଟୀର ନିର୍ଦ୍ଦେଶକ ପାଲଟି ଯାଇଛନ୍ତି। କେନ୍ଦ୍ର ନାଟକ ଏକାଡେମୀ ପକ୍ଷରୁ ପ୍ରଥମ ଓଡ଼ିଆ ଭାବେ ବିସ୍‌ମିଲ୍ଲା ଖାଁ ପୁରସ୍କାର ପାଇଛନ୍ତି। ହେଲେ ଯାହା ପାଇଁ ଏଠି ପହଞ୍ଚିଛନ୍ତି, ସେଇ ପ୍ରିୟ ଗୁରୁଙ୍କ ଶେଷ ଦର୍ଶନ କରିପାରି ନ ଥିବାରୁ ଛାତି ଫଟେଇ କାନ୍ଦୁଛନ୍ତି। 

୬ ମାସ ତଳେ ବିଜୟ ମହାନ୍ତି ତାଙ୍କୁ ଦିନେ କହିଥିଲେ,“ନଳିନୀ, ତୁ ନାଟକର ନିର୍ଦ୍ଦେଶନା ଦେବୁ। ଆଉ ମୁଁ କରିବି ଅଭିନୟ। ତୁ ଅନ୍ୟମାନଙ୍କୁ ନେଇ କାମ କରୁଛୁ। ମୁଁ କ’ଣ ପାରିବିନି ?‘ ହେଲେ ସେଇ କଥା ମୋ ପାଇଁ ସ୍ୱପ୍ନ ହୋଇ ରହିଗଲା।

ବିଜୟ ସାର୍ ଖାଲି ଜଣେ ଅଭିନେତା ନ ଥିଲେ। ସେ ଥିଲେ ଜଣେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ। ଅନେକ ପାଣ୍ଡୁଲିପି ଲେଖିଛନ୍ତି। ଅନେକ ଆଗଧାଡ଼ିର ଅଭିନେତା, ନିର୍ଦ୍ଦେଶକଙ୍କୁ ତିଆରି କରିଛନ୍ତି। ନାଟକ ଇତିହାସରେ ସେ ଜଣେ କିମ୍ବଦନ୍ତୀ ପୁରୁଷ। ନାଟକ ମଞ୍ଚରେ ବିଜୟଙ୍କ ଅଭିନୟ ଦେଖି ଆମେ ସବୁ ସ୍ତମ୍ଭୀଭୂତ ହୋଇଯାଉ। ତାଙ୍କର ନିର୍ଦ୍ଦେଶନା ନାଟକରେ ଏକ ଅଦ୍ଭୁତ ପରିବର୍ତ୍ତନ ନେଇ ଆସେ।

ଆଜି ବିଜୟ ମହାନ୍ତି ନାହାନ୍ତି। ତାଙ୍କର ଏଇ ସ୍ମୃତିକୁ ମନେ ପକାଇ କାନ୍ଦୁଛନ୍ତି ତାଙ୍କର ଶିଷ୍ୟ।

You might also like