କିଏ ଆଉ ମୋତେ ମାଗିବ ଶାଗ..ପଖାଳ. ..

ଭୁବନେଶ୍ୱର: ମୃତ୍ୟୁ ପାଖରେ ହାରି ଯାଇଛନ୍ତି ବିଜୟ।  ଜିତି ଯାଇଛି ମୃତ୍ୟୁ । ଓଡ଼ିଆ ସିନେମା ଜଗତର ଜଣେ କିମ୍ବଦନ୍ତୀ ନେତା ବିଜୟ ମହାନ୍ତି। ନିଜ ଅଭିନୟ କଳାରେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନକୁ କିଣି ନେଇଥିବା ବିଜୟ ଆଜି ବାହୁଡି ଯାଇଛନ୍ତି ଅଫେରା ରାଜ୍ୟକୁ । ମାସାଧିକ କାଳ ରୋଗ ଶଯ୍ୟାରେ ପଡ଼ିବା ପରେ ଗତକାଲି ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। କେତେବେଳେ ନାୟକ ତ କେତେବେଳେ ଖଳନାୟକ ଭୂମିକାରେ ଅଭିନୟ କରି ସର୍ବାଧିକ ଦେଢଶହରୁ ଅଧିକ ଫିଲ୍ମ ଉପହାର ଦେଇଥିବା ବିଜୟଙ୍କ ଆବର୍ତ୍ତମାନରେ ଆଜି ସମସ୍ତେ ଝୁରୁଛନ୍ତି। ସମସ୍ତେ କାନ୍ଦୁଛନ୍ତି । ଅଭିନେତା, ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଖୋଜୁଛନ୍ତି ତାଙ୍କୁ।

ଆତ୍ମୀୟ, ସମ୍ପର୍କୀୟଙ୍କ କରୁଣ କ୍ରନ୍ଦନରେ ଶୋକାକୁଳ ହୋଇ ଯାଇଛି ପରିବେଶ। ୧୯୫୦ ଏପ୍ରିଲ ୮ ତାରିଖ କେନ୍ଦ୍ରାପଡ଼ାର ପାଣ୍ଡିରିରେ ଜନ୍ମ ଗ୍ରହଣ କରିଥିଲେ ବିଜୟ। ନାସିରୁଦ୍ଦିନ ଶାହ, ରାଜ ବବ୍ବର, ଓମ୍‌ ପୁରୀଙ୍କ ସହପାଠୀ ଥିଲେ। ଚିଲିକା ତୀରେ ଫିଲ୍ମରୁ ଅଭିନୟ ଆରମ୍ଭ କରି ଅନେକ ଫିଲ୍ମ ଉପହାର ଦେଇଛନ୍ତି ଓଲିଉଡ୍‌କୁ। ଅନେକ ପୁରସ୍କାର ପାଇଛନ୍ତି। ଏସବୁକୁ ପଛରେ ପକାଇ ଚାଲି ଯାଇଛନ୍ତି ବିଜୟ।

ଏସବୁ ସବୁ ସମ୍ମାନ, ପୁରସ୍କାର ପାଇବା ସତ୍ତ୍ୱେ ଶାଗ, ପଖାଳର ମଣିଷଟିଏ ଥିଲେ ବିଜୟ। ଆତ୍ମୀୟ ସ୍ୱଜନଙ୍କୁ ଦେଖିଲେ ମନେ ପଡ଼ିଯାଏ ତାଙ୍କର ସେଇ ଶାଗ ପଖାଳ କଥା। ତାଙ୍କର ସେଇ ସ୍ମୃତିକୁ ମନେ ପକାଇ ଆଜି କାନ୍ଦୁଛନ୍ତି ତାଙ୍କର ବଡ ଭାଉଜ। ’ କିଏ ଆଉ ମୋତେ ଶାଗ ପଖାଳ ମାଗିବ ?’  କହି ଗୁମୁରି ଗୁମୁରି କାନ୍ଦୁଛନ୍ତି।

ଗତକାଲି ରାତିରୁ ବିଜୟଙ୍କ ପରଲୋକ ହୋଇଥିଲେ ବି ପରିବାର ଲୋକେ ତାଙ୍କୁ ଜଣାଇ ନ ଥିଲେ। ଆଜି ସକାଳୁ ଶୁଣିବା ପରେ ଭାଙ୍ଗି ପଡ଼ିଛନ୍ତି। ବାର୍ଦ୍ଧକ୍ୟରେ ଏପରି ଏକ ଖବର ତାଙ୍କ ପାଇଁ ଏକ ଧକ୍କା । ବିଜୟଙ୍କ ସ୍ମୃତିକୁ ମନେ ପକାଇ କାନ୍ଦି କାନ୍ଦି କହୁଛନ୍ତି  ‘ଭାଉଜ ତାଙ୍କର ବୋଲି ବାରିପଦାରୁ ଚାଲି ଆସିବ। କିଛି ଖାଇବନି। ଶାଗ ପଖାଳ ଖାଇବା ପାଇଁ ମୋ ପାଖରେ ବସି ପଡ଼ିବ।’

ଖାଇ ସାରିବା ପରେ ପରମ ତୃପ୍ତିରେ କହନ୍ତି ‘ ଭାଉଜ, ତୁମ ଶାଗ ପଖାଳ ପରି କିଛି ମୋତେ ସୁଆଦ ଲାଗୁନି।’

ସୂଚନାଥାଉ କି, ଫିଲ୍ମ ଦୁନିଆରେ ବିଜୟ ଲାଭ କରିଥିବା ବିଜୟ ମହାନ୍ତି ଜୀବନ ଲଢେଇରେ ହାରିଯାଇଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଆ ସିନେ ପ୍ରେମୀଙ୍କ ମନରେ ରାଜ କରିଥିବା ବିଜୟ ଆଜି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ସଂନ୍ଧ୍ୟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।

 

You might also like