ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ହେଲା ବଡ଼ ଖୁଲାସା

କଟକ: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। SIT ତଦନ୍ତ ମନିଟରିଂ ଲାଗି ସିଟିଂ ଜଜ୍ ନିଯୁକ୍ତି ପାଇଁ ଏର୍ଯ୍ୟନ୍ତ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ଚିଠି ମିଳିନାହିଁ। ଯେହେତୁ କୌଣସି ଚିଠି ମିଳିନାହିଁ, ତେଣୁ କୌଣସି ପଦକ୍ଷେପ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି। ସୂଚନା ଅଧିକାର ଆଇନ ବଳରେ ହାଇକୋର୍ଟରୁ ଏହି ସୂଚନା ମିଳିଛି।

ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ଏ ସମ୍ପର୍କରେ ତଥ୍ୟ ମାଗିଥିଲେ। ହେମନ୍ତଙ୍କ ଆବେଦନର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟରୁ ଆସିଛି। ମାତ୍ର ନଭେମ୍ବର ୨୮ ତାରିଖରେ ସରକାର ଚିଠି ଲେଖିଥିବା କଥା ପଦାକୁ ଆସିଥିଲା। ଗୃହ ବିଭାଗ ସ୍ୱତନ୍ତ୍ର ସଚିବ, ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ।

ନାବାଳିକା ମୃତ୍ୟୁର ତଦନ୍ତ ନେଇ ଗତ ନଭେମ୍ବର ୨୮ ତାରିଖରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସ୍‌ଆଇଟି ଗଠନ କରିଥିଲେ ରାଜ୍ୟ ସରକାର। ତାସହ ଏସ୍‌ଆଇଟି ତଦନ୍ତର ମନିଟରିଂ ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା କରାଇବାକୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ୍‌ଙ୍କୁ ଚିଠି ମଧ୍ୟ ଦେଇଥିଲେ। ଜଣେ ସିଟିଂ ଜଜ୍‌ଙ୍କ ଦ୍ୱାରା ଏସ୍‌ଆଇଟି ତଦନ୍ତର ମନିଟରିଂ ପାଇଁ ମୁଖ୍ୟ ବିଚାରପତିଙ୍କ ନଜରକୁ ପ୍ରସ୍ତାବଟିକୁ ଆଣିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର। ହେଲେ ଜାନୁଆରୀ ୬ ତାରିଖ ସୁଦ୍ଧା ହାଇକୋର୍ଟଙ୍କୁ କିନ୍ତୁ ସେ ସମ୍ପର୍କିତ ଚିଠି ମିଳିନଥିବା ଆରଟିଆଇ କର୍ମୀ ହେମନ୍ତ ପଣ୍ଡା ହାସଲ କରିଥିବା ତଥ୍ୟରୁ ଜଣାପଡ଼ିଛି। ତେଣୁ ଯଦି ଚିଠି ଲେଖା ଯାଇଥିଲା, ତାହା କିଭଳି ହାଇକୋର୍ଟରେ ପହଞ୍ଚିଲାନି ତାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ।

ଅନ୍ୟପକ୍ଷରେ, ଯଦୁପୁର ନାବାଳିକା ହତ୍ୟା ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ନ୍ୟାୟ ପାଇଁ ନାବାଳିକାଙ୍କ ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି। SIT ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ନାବାଳିକାଙ୍କ ମାଆ। ଏନେଇ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ନାବାଳିକାଙ୍କ ମାଆଙ୍କ ଆବେଦନକୁ ଗ୍ରହଣ କରି ଏବଂ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ ଜାରି କରିଥିଲେ।

ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛନ୍ତି ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଏସଆଇଟି। କିନ୍ତୁ SIT ଉପରେ ଭରସା କରିପାରୁ ନାହାନ୍ତି ନାବାଳିକାଙ୍କ ବାପାମାଆ। ଫଳରେ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମା’। ସେପଟେ ଏହି ମାମଲାରେ ଯେଉଁ ନାବାଳକକୁ ଅଭିଯୁକ୍ତ ଭାବେ ଏସଆଇଟି ଧରିଛି, ସିଏ ବ୍ରେନ୍‌ ମ୍ୟାପିଂ ପାଇଁ ମନା କରି ଦେଇଛନ୍ତି। ପୂର୍ବରୁ ଉକ୍ତ ନାବାଳକ ନାର୍କୋ ଆନାଲିସିସ୍ ଟେଷ୍ଟକୁ ମଧ୍ୟ ମନା କରିଦେଇଥିଲେ।

You might also like