ଏଣିକି ବିନା କୋଭିଡ୍‌ ଟେଷ୍ଟରେ ବି ରାଜ୍ୟକୁ ଫେରିପାରିବେ ପ୍ରବାସୀ

ଭୁବନେଶ୍ୱର: ଏଣିକି ବିନା କୋଭିଡ ଟେଷ୍ଟରେ ବି ରାଜ୍ୟକୁ ଫେରିପାରିବେ ପ୍ରବାସୀ। ଗତକାଲି ପ୍ରବାସୀ ଫେରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ଉପରେ ଆଜି ରହିତାଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ଏହି ଘଟଣା ପ୍ରବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ହୋଇଥିଲା ବେଳେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ଟାର୍ଗେଟ୍ କରିଥିଲା ବେଳେ ଆଇନ୍ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି।

ତଥ୍ୟ ଅନୁସାରେ, ସୁରତ ଫେରନ୍ତାଙ୍କ ପାଇଁ ରାଜ୍ୟରେ କରୋନା ସ୍ଥିତି ହୁହୁ ହୋଇ ବଢ଼ିଛି। ୨୮ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୧୯ । ହେଲେ ୧୨ ଦିନ ମଧ୍ୟରେ  କରୋନା ଚିତ୍ର ପୂରା ବଦଳିଯାଇଛି। ଏବେ ଅଢ଼େଇ ଶହ ମୁହାଁ ସଂକ୍ରମିତ।

ତଥ୍ୟ କହୁଛି ଗଞ୍ଜାମରେ ଏଯାଏଁ ଯେତିକି ଆକ୍ରାନ୍ତ ହୋଇଛନ୍ତି ସେ ଭିତରୁ ପ୍ରାୟ ସମସ୍ତେ ସୁରତ ଫେରନ୍ତା। ଜଗତ୍ସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ବି ସୁରତ ଫେରନ୍ତା ଲିଙ୍କ୍ ରହିଛି।

ତେବେ ସ୍ଥିତି ବିଗୁଡ଼ୁଥିବା ଦେଖି ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଗତକାଲି ବିନା ଟେଷ୍ଟରେ ପ୍ରବାସୀଙ୍କୁ ନ ଆଣିବା ନେଇ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହାପରେ ସୁରତରୁ ଆସିବାକୁ ଥିବା ୩ଟି ଟ୍ରେନ୍‌କୁ ବନ୍ଦ କରିଥିଲେ ରାଜ୍ୟ ସରକାର। ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆଜି ରହିତାଦେଶ ଜାରି କରିଛନ୍ତି ସୁପ୍ରିମ୍‌କୋର୍ଟ।

କେନ୍ଦ୍ର ଗାଇଡଲାଇନ ଅନୁସାରେ ପ୍ରବାସୀ ନିଜ ରାଜ୍ୟକୁ ଫେରିପାରିବେ ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟା କହିଛନ୍ତି। ରାଜ୍ୟ ସରକାର ଯଦି ଚାହୁଁଛନ୍ତି ଯାଞ୍ଚ କରି ପ୍ରବାସୀଙ୍କୁ ନେଇପାରିବେ। କିନ୍ତୁ ସେମାନଙ୍କ ଆଗମନ ଉପରେ ରୋକ ଲଗାଇପାରିବେ ନାହିଁ ବୋଲି ତୁଷାର କହିଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ଏ ନିଷ୍ପତ୍ତି ପ୍ରବାସୀ ଓଡ଼ିଆଙ୍କ ପାଇଁ ବଡ଼ ଆଶ୍ୱସ୍ତି ପାଲଟିଛି। ସୁପ୍ରିମ୍‌କୋର୍ଟଙ୍କ ଏଇ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ? କେମିତି ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବେ ସରକାର, ତାହା ଏବେ ବଡ଼ ପ୍ରଶ୍ନ।

ଗୋଟିଏ ପଟେ ରାଜ୍ୟରେ ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ଓ ଅନ୍ୟ ପଟେ ପ୍ରଭାବିତ ରାଜ୍ୟରେ ପ୍ରବାସୀଙ୍କ ସମସ୍ୟା ଏଭଳି ସ୍ଥିତିରେ ସରକାର ଦୋଛକିରେ ଠିଆ ହୋଇଛନ୍ତି। ବିରୋଧୀ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଟାର୍ଗେଟ୍ କରିଛନ୍ତି। ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର ପ୍ରତ୍ୟେକ ପ୍ରବାସୀଙ୍କ ଖାତାରେ ଟଙ୍କା ପଠାଇଛନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ ସେହିଭଳି ବ୍ୟବସ୍ଥା କରନ୍ତୁ। ଯଦି ୫ ହଜାର ଲେଖାଏ ପ୍ରବାସୀଙ୍କ ଆକାଉଣ୍ଟକୁ ନ ପଠାଯିବ ତେବେ ସେମାନେ ଚଳିପାରିବେ ନାହିଁ ବୋଲି ବିଜୟ କହିଛନ୍ତି।

ସେହିପରି କଂଗ୍ରେସ୍‌ ନେତା ତାରା ବାହିନୀପତି କହିଛନ୍ତି, ପ୍ରବାସୀଙ୍କୁ କିପରି ଆଣିବେ ଏସମ୍ପର୍କରେ ରାଜ୍ୟ ସରକାର ଆଗରୁ ଚିନ୍ତା କରିବାର ଥିଲା। ପରୀକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଉଚିତ୍‌ ବ୍ୟବସ୍ଥା ନାହିଁ। କେତେ ଆସୁଛନ୍ତି କେତେ ପରୀକ୍ଷା ହେଉଛି ତାର ଉତ୍ତର ସରକାର ଦିଅନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ତାରା।

ଘଟଣାରେ ମତ ରଖିଛନ୍ତି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା।  ରାଜ୍ୟ ସରକାର ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ପ୍ରତାପ।

You might also like