• translate
Satyendu Shekher Mishra

ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟ୍‌ରେ ବଡ଼ ଧରଣର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର୍ । ମୋଦି ସରକାରର ଦ୍ୱିତୀୟ ପାଳିକୁ ୟା ଭିତରେ ଦୁଇ ବର୍ଷ ପୂରି ସାରିଥିଲେ ବି ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ଆବଶ୍ୟକତାଠୁ ବହୁ କମ୍ ମନ୍ତ୍ରୀରେ ସରକାର ଚାଲିଛି । ତେଣୁ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ଯଥେଷ୍ଟ ପୂର୍ବରୁ ସଂପ୍ରସାରଣ ଓ ଅଦଳବଦଳ କାମ ସାରି କ୍ୟାବିନେଟ୍‌ରେ ଏସବୁ ରାଜ୍ୟରୁ ପ୍ରତିନିଧିତ୍ୱ ବଢ଼ାଇବା ଲକ୍ଷ୍ୟରେ ଆଗକୁ ବଢୁଛି ମୋଦିଙ୍କ ଥିଙ୍କଟ୍ୟାଙ୍କ ।

ମିନିମମ୍ ଗଭର୍ଣ୍ଣମେଣ୍ଟ, ମାକ୍ସିମମ୍ ଗଭର୍ଣ୍ଣାନ୍ସ । ଦ୍ୱିତୀୟ ପାଳି ଆରମ୍ଭରୁ ଏଯାଏଁ ଏଇ ଧାରାରେ ଚାଲିଆସିଛି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ । କ୍ୟାବିନେଟ୍‌ରେ ୮୧ ଜଣ ପର୍ଯ୍ୟନ୍ତ ମନ୍ତ୍ରୀ ରହିବାର ବ୍ୟବସ୍ଥା ଥିଲା ବେଳେ ଏବେ ସୁଦ୍ଧା ଅଛନ୍ତି ମାତ୍ର ୫୩ ମନ୍ତ୍ରୀ । ଅର୍ଥାତ୍ ଏବେ ବି ଆହୁରି ୨୮ ଜଣଙ୍କୁ ମନ୍ତ୍ରୀ କରିବାର ବିକଳ୍ପ ମହଜୁଦ ରହିଛି ପ୍ରଧାନମନ୍ତ୍ରୀଙ୍କ ପାଖରେ ।

ତା ଛଡ଼ା ୯ ଜଣ ବରିଷ୍ଠ ମନ୍ତ୍ରୀ ପ୍ରକାଶ ଜାଭଡେକର, ପୀୟୂଷ ଗୋଏଲ୍, ନୀତିନ ଗଡ଼କରି, ଧର୍ମେନ୍ଦ୍ର ପ୍ରଧାନ, ହର୍ଷ ବର୍ଦ୍ଧନ, ନରେନ୍ଦ୍ର ସିଂହ ତୋମାର, ରବିଶଙ୍କର ପ୍ରସାଦ, ହରଦୀପ ସିଂ ପୁରୀ ଓ ସ୍ମୃତି ଇରାନୀଙ୍କ ନିକଟରେ ଏକାଧିକ ମନ୍ତ୍ରଣାଳୟ ରହିଛି । ଏଭଳି ସ୍ଥିତିରେ ଆଗକୁ ଅର୍ଥାତ୍ ଆସନ୍ତାବର୍ଷ ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ଭଳି ୫ ରାଜ୍ୟରେ ବିଧାନସଭା ନିର୍ବାଚନ । ତେଣୁ ରଣନୀତି ଅନୁଯାୟୀ ଏସବୁ ରାଜ୍ୟର ନିର୍ବାଚିତ ପ୍ରତିଧିନିଧିଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି ।

ତେବେ ବିଜେପିର ରାଜନୈତିକ ଭବିଷ୍ୟତ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ଉତ୍ତରପ୍ରଦେଶକୁ କ୍ୟାବିନେଟ୍‌ରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ମିଳିପାରେ । ସେହିପରି ପ୍ରଦର୍ଶନ ଆଧାରରେ କିଛି ମନ୍ତ୍ରୀଙ୍କ ବିଭାଗ ବଦଳି ପାରେ ଏବଂ କିଛି ମନ୍ତ୍ରୀଙ୍କୁ ବାଦ୍ ବି ଦିଆଯାଇପାରେ । ତେଣୁ କିଏ ବାଦ୍ ପଡ଼ିବେ, କାହା ବିଭାଗ ବଦଳିବ, ଏକାଧିକ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କ ପାଖରୁ କେଉଁ କେଉଁ ବିଭାଗ କାଢ଼ି ନିଆଯିବ ତାକୁ ନେଇ ବି ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ । ତେବେ ସଂପ୍ରସାରଣରେ ସ୍ଥାନ ପାଇବା ନେଇ ଯେଉଁମାନଙ୍କ ନାଁରେ ସର୍ବାଧିକ ଚର୍ଚ୍ଚା । ସେମାନେ ହେଲେ କଂଗ୍ରେସ ଛାଡ଼ି ବିଜେପି ଆସିବା ପରେ ମଧ୍ୟପ୍ରଦେଶରେ ବିଜେପିକୁ କ୍ଷମତାସୀନ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ୍, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଉତ୍ତରପ୍ରଦେଶରୁ ବରୁଣ ଗାନ୍ଧି ଓ ରୀତାବହୁଗୁଣା ଯୋଶୀଙ୍କ ସହ ମହାରାଷ୍ଟ୍ରରୁ ନାରାୟଣ ରାଣେ ଓ ପୁନମ୍ ମହାଜନ ପ୍ରମୁଖ ।

ଏପଟେ କେନ୍ଦ୍ର କ୍ୟାବିନେଟ୍‌ର ସମ୍ଭାବ୍ୟ ସଂପ୍ରସାରଣକୁ ନେଇ ଓଡ଼ିଶାରେ ବି ଜୋର୍‌ଦାର୍‌ କଳ୍ପନାଜଳ୍ପନା । ମନ୍ତ୍ରିମଣ୍ଡଳରେ ଏବେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷ଼ଡ଼ଙ୍ଗୀଙ୍କ ଭଳି ଦୁଇ ଜଣଙ୍କ ପ୍ରତିନିଧିତ୍ୱ ଥିଲେ ମଧ୍ୟ ଆଉ ଜଣଙ୍କୁ ମନ୍ତ୍ରିପଦ ମିଳିପାରେ ବୋଲି କୁହାଯାଉଛି । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ତୃତୀୟ ବ୍ୟକ୍ତି ଭାବେ ରେସ୍‌ରେ ସବୁଠୁ ଆଗରେ ଅଛନ୍ତି ବିଜେଡି ସମର୍ଥନରେ ବିଜେପିିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଅଶ୍ୱିନୀ ବୈଷ୍ଣବ ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କ୍ୟାବିନେଟ୍ ବର୍ଥକୁ ନେଇ ଅସନ୍ତୋଷ ପ୍ରକାଶ କରି ସରକାରରେ ଯୋଗ ଦେଇ ନଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଏଥର କ୍ୟାବନେଟ୍‌ରେ ସାମିଲ ହୋଇପାରେ । ଅପରପକ୍ଷେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗଲ୍‌ରୁ ଅଧିକ ସାଂସଦଙ୍କୁ ନିଜ ଟିମ୍‌ରେ ସାମିଲ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Other Stories