ମିଠା ଦୋକାନୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌, ମର୍ଡର ପାଇଁ ହୋଇଥିଲା ଏତେ ଟଙ୍କାର ଡିଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁରର ମିଠା ଦୋକାନୀ ଶମ୍ଭୁ ସାହୁ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ ହୋଇଛି। ସୁପାରୀ କିଲର୍‌ଙ୍କ ଦ୍ୱାରା ଶମ୍ଭୁଙ୍କୁ ହତ୍ୟା କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି।

ଆଜି ଏକ ପ୍ରେସ୍‌ମିଟ୍‌ରେ ପୋଲିସ କମିଶନର ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସୁପାରୀ କିଲର୍‌ ଶ୍ରୀତିକ ବିଶ୍ୱାଳ ମର୍ଡର ପାଇଁ ୫୦ ହଜାର ଟଙ୍କା ନେଇଥାନ୍ତା। ତେବେ ଅଗ୍ରୀମ ଆକାରରେ ଶ୍ରୀତିକଙ୍କୁ ୧୦ ହଜାର ଟଙ୍କା ଦିଆଯାଇଥିଲା। ପରେ ବାକି ୪୦ ଓ ଓକିଲ ଖର୍ଚ୍ଚ ବହନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ବ୍ୟବସାୟିକ ଶତ୍ରୁତା ପାଇଁ ରାଜା ବେହେରା ନାମକ ଜଣେ ବ୍ୟକ୍ତି ଶମ୍ଭୁଙ୍କୁ ହତ୍ୟା କରିବା ପାଇଁ ଏହି ସୁପାରୀ ଦେଇଥିଲେ।’

‘ଘଟଣା ଦିନ ଶ୍ରୀତିକ ଶମ୍ଭୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଅନ୍ୟତମ ଅଭିଯୁକ୍ତ ଆଶୁତୋଷ ସେଦିନ ବାଇକ ଚଳାଉଥିଲେ। ଆଜି ଶ୍ରୀତିକ ଓ ଆଶୁତୋଷଙ୍କ ସହ ଆଉ ଜଣଙ୍କୁ ଗିରଫ କରାଯାଇଛି। ତୁମୁଡ଼ିବନ୍ଧରେ ଲୁଚି ରହିଥିବା ସମସ୍ତ ୩ଜଣଙ୍କୁ ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଥିଲା। ଏଯାବତ ୮ଜଣ ଗିରଫ ହେଲେଣି, ପୂର୍ବରୁ ରାଜା ଆତ୍ମସର୍ମପଣ କରିଛି। ଅଧିକ ପଚରାଉଚରା ପାଇଁ ରାଜାକୁ ରିମାଣ୍ଡରେ ଆଣିବାକୁ ଆବେଦନ’ କରାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି।

ସୂଚନାଥାଉ କି, ଗତ ୪ ତାରିଖ ଅପରାହ୍ଣରେ ସାମନ୍ତରାପୁରରେ ଦୁଇ ଜଣ ବ୍ୟକ୍ତି ଗୋଡ଼ାଇ ଗୋଡ଼ାଇ ମିଠା ଦୋକାନୀ ଶମ୍ଭୁ ସାହୁଙ୍କୁ ହାଣି ହତ୍ୟା କରିବା ପରେ ଫେରାର୍ ହୋଇଯାଇଥିଲେ। ଏହି ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀ ଶିଶୁପାଳଗ଼ଡ ଅଞ୍ଚଳର ରାଜା, କୋର୍ଟରେ ଆତ୍ମସମର୍ପଣ କରିଥିଲା। ପୋଲିସ ରାଜାଙ୍କ ବାପା, ମା ଓ ଜେଜେବାପାଙ୍କୁ ଗିରଫ କରିଥିଲା। ଦୁଇ ହତ୍ୟାକାରୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ୍‌। ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ ପ୍ରତିଦ୍ୱନ୍ଦିତା କାରଣରୁ ହତ୍ୟା ଘଟିଥିବା ନେଇ ପୋଲିସ କମିଶନର ପୂର୍ବରୁ ସୂଚନା ଦେଇଥିଲେ।

You might also like