୩ ଦିନ ପରେ ବି ମିଳିଲାନି ପୁଅର ଖବର , ଶେଷରେ ଏମିତି ଦେଲେ ଅନ୍ତିମ ବିଦାୟ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ୩ ଦିନ ବିତିଗଲାଣି। ହେଲେ  ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କର କୌଣସି ପତ୍ତା ମିଳୁନାହିଁ।  ଏପରିକି ସେ ମୃତ ନା ଜୀବିତ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ ଏ ନେଇ ଦ୍ୱନ୍ଦ୍ୱରେ  ପଡ଼ିଛନ୍ତି। କିଛି ବାଟ ନ ପାଇ ଶେଷରେ ପ୍ରତୀକ ଭାବେ ପୁଅର ଅନ୍ତିମ ସଂସ୍କାର କରିଛନ୍ତି। କିଛି ପାଳ ନଡ଼ାକୁ ବିଡ଼ା ବାନ୍ଧି ମଶାଣିକୁ କୋକେଇରେ ନେବା ସହ ସତ୍କାର କାମ  କରିଛନ୍ତି।

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗହଙ୍ଗୁ ଗାଁର ସୀମାଞ୍ଚଳ ପରିଡା। ବିସ୍ଫୋରଣ ପରଠାରୁ ସେ ନିଖୋଜ ଅଛନ୍ତି। ସେ ଏବେ ମୃତ କି ଜୀବିତ ସେ ନେଇ ସରକାରୀ ସୁତ୍ରରୁ ସ୍ପଷ୍ଟ କରାଯାଇନି। ପୂର୍ବରୁ ବିସ୍ଫୋରଣରେ ମୃତ ଗଞ୍ଜାମ ଜିଲ୍ଲାରଘୁନାଥ ନଗରର ଜଣେ ବ୍ୟକ୍ତିଙ୍କ ମୃତଦେହ ଗାଁକୁ ଅଣାଯାଇଥିଲା। ହେଲେ ସୀମାଞ୍ଚଳଙ୍କ ଖବର ନ ମିଳିବାର ପରିବାର ଲୋକେ ତାଙ୍କର ପ୍ରତୀକ ସଂସ୍କାର କରିଛନ୍ତି। ଏଭଳି ଢଙ୍ଗରେ ଅନ୍ତିମ ସଂସ୍କାର କରିିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଥାଉ କି, ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି କମିଶନରେଟ୍ ପୋଲିସ। ଏ ନେଇ ନିଜ ଆଡୁ ମାମଲା କରିଛି କମିଶନରେଟ୍ ପୋଲିସ। ବିସ୍ଫୋରଣ ପରେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି।

ପୋଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ, ବିସ୍ଫୋରଣ ପୂର୍ବରୁ ସେଠାରେ ୪ ଜଣ କାମ କରୁଥିଲେ। ଏହି ପ୍ରାଣଘାତୀ ବିସ୍ଫୋରଣରେ କଟକ ଏସ୍‌ସିବିରେ ଗଞ୍ଜାମ ଜିଲ୍ଲାର ସଦାନନ୍ଦ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି।  ଜଣେ ନିଖୋଜ ଥିବା କୁହା ଯାଉଛିା

You might also like