ଭୁବନେଶ୍ୱର : ଏକ ବଡଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ଫ୍ଲାଇଟ୍ । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟର ବାମ ପଟେ ଲାଗିଯାଇଥିଲା ନିଆଁ ଫଳରେ ରାୟପୁରରେ ଜରୁରୀକାଳିନ ଅବତରଣ କରିଥିଲା ବିମାନ।
ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ପାଇଲଟ୍ ନିଆଁ ଲାଗିଥିବା ଖବର ଜାଣିବା ପରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ସତର୍କତାର ସହ ବିମାନକୁ ଅବତରଣ କରିଛନ୍ତି। ସୂଚନା ଅନୁଯାୟୀ, ଫ୍ଲାଇଟରେ ବିଶ୍ୱଜିତ ବେହେରା ନାମକ ଜଣେ ଯାତ୍ରୀ ଟଏଲେଟକୁ ଯାଇଥିବା ବେଳେ ଇଂଜିନର ବାମପଟେ ନିଆଁ ଦେଖିବାକୁ ପାଇଥିଲେ ।
Bhubaneswar-Air India Flight No AI-670 makes emergency landing at Raipur; fire reportedly spotted near left engine #Watch Passengers being evacuated; details awaited#BIGBREAKING pic.twitter.com/7gwB9KYlTC
— OTV (@otvnews) November 8, 2019
ଏନେଇ ସଙ୍ଗେ ସଙ୍ଗେ ସେ ବିମାନର କ୍ର୍ୟୁ ମେମ୍ବରକୁ ଜଣାଇଥିଲେ । କ୍ର୍ୟୁ ମେମ୍ବର ଏବଂ ବିମାନ ପାଇଲଟ୍ ନିଆଁ ଲାଗିଥିବା ଜାଣିବା ପରେ ଯାତ୍ରୀମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲେ। ହେଲେ ଏପଟେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଏଇଠୁ ଆରମ୍ଭ ହୋଇଥିଲା ପାଇଲଟଙ୍କ ପରୀକ୍ଷାର ବେଳ। ରାୟପୁର ବିମାନ ବନ୍ଦର କର୍ତ୍ତପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ପାଇଲଟ୍। ପ୍ରାୟ ୨୫ ମିନିଟ୍ ଆକାଶମାର୍ଗରେ ଉଡାଣ ପରେ ରାୟପୁରରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲା ବିମାନ । ଭୟଭୀତ ଯାତ୍ରୀମାନେ ଏମର୍ଜେନ୍ସି ଗେଟ୍ ଦେଇ ଜଣକ ପରେ ଜଣେ ତତକ୍ଷଣାତ ସୁରକ୍ଷିତ ଭାବେ ଓହ୍ଲାଇ ପଡିଥିଲେ ।
ଏୟାର ଇଣ୍ଡିଆର A-321 ଫ୍ଲାଇଟ୍ ସମୁଦାୟ ୮୯ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ୩ଟା ବେଳେ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲା । ଏହି ବିମାନରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଥିବା ନେଇ ସୂଚନା ମିଳିଛି। ତେବେ ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ଏ ଯାଏ ସ୍ପଷ୍ଟ ହୋଇନି।