5-Tକୁ ଏମିତି ସମାଲୋଚନା କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ୨୦ ବର୍ଷ ପରେ 5-ଟି ? ୨୦ ବର୍ଷ ଆଗରୁ ହେଲାନି ? ଏଇଟା ତ କାମ ସରକାରଙ୍କର, ବଡ କଥା କ’ଣ ? ଏମିତି କହି  ରାଜ୍ୟ ସରକାରଙ୍କ 5-ଟି ଆକ୍ସନକୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମଧ୍ୟ ଭୁବନେଶ୍ୱରରେ ବିଜେପି ପକ୍ଷରୁ ଚାଲିଥିବା ଗାନ୍ଧୀ ସଂକଳ୍ପ ଯାତ୍ରାରେ ସାମିଲ ହୋଇ ଅପରାଜିତା ୫ଟିକୁ କଟାକ୍ଷ କରି ୨୦ ବର୍ଷ ପରେ ରାଜ୍ୟ ସରକାରଙ୍କ ମନେ ପଡିଲା ବୋଲି କହିଛନ୍ତି ।

ସେ କହିଛନ୍ତି-ମୁଁ ବି ଅଫିସର ଥିଲି। ଆମ ସମସ୍ତଙ୍କର କାମ ହେଉଛି ହସ୍‌ପିଟାଲ ଯିବା, ସ୍କୁଲ ଯିବା। ଯେଉଁସବୁ ସରକାରୀ କାମ ଅଛି ତାହା ଠିକ୍‌ ଭାବେ ହେଉଛି କି ନାହିଁ ତାହାକୁ ଦେଖିବା ଅଫିସରଙ୍କ କାମ।  ଏଇଟା ବଡ଼ କଥା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ସରକାରୀ କାର୍ଯ୍ୟର ତଦାରଖ କରିବା ଅଫିସରଙ୍କର ରୁଟିନ୍‌ ୱାର୍କ। ଯଦି ସରକାର କହିବେ ଯେ, ଆମେ କାର୍ଯ୍ୟର ତଦାରଖ କରିବା ପାଇଁ ଯୋଜନା କରୁଛୁ ତେବେ ତାହା ହାସ୍ୟାସ୍ପଦ କଥା ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏପରିକି ନବୀନ ସରକାରଙ୍କର ଏଇ  ତଦାରଖ ଯୋଜନା ବେଶୀ ଦିନ ତିଷ୍ଠିବା ନେଇ ବି ସେ ସନ୍ଦେହ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ସଚିବ ମାନେ ବିଭିନ୍ନ ଜିଳ୍ଲାକୁ ଯାଉଥିଲେ ମଧ୍ୟ ମନ୍ତ୍ରୀମାନେ କାହିଁକି ଯାଉନାହାନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି।  ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଲୁଚାଇବାକୁ ଏହା ରାଜ୍ୟ ସରକାରଙ୍କ ଏକ ମିଡିଆ ଷ୍ଟଣ୍ଟ ବୋଲି ସେ କହିଛନ୍ତି ।

You might also like