• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଓଟିଭି ଏମ୍‌ଡି ଆଜି ହାଜର ହୋଇଛନ୍ତି। ପୂର୍ବରୁ ଓଟିଭିର ୨ ବରିଷ୍ଠ ସାମ୍ବାଦିକ, HR ମୁଖ୍ୟ ଓ ସହଯୋଗୀ ମହିଳା ଥାନାରେ ହାଜର ହୋଇଥିଲେ। ପୋଲିସକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରି ହାଜର ହେଉଛନ୍ତି ଓଟିଭି କର୍ମଚାରୀ। ତେବେ ଏଥିରେ ଅଭିଯୁକ୍ତ ଥିବା ପୋଲିସ୍ କର୍ମଚାରୀଙ୍କୁ ଏଯାଏ ଚିହ୍ନଟ କରାଯାଇ ନ ଥିବା ଜଣାପଡ଼ିଛି। ଗତ ୧୫ ତାରିଖରେ ଭୁବନେଶ୍ୱର ଡିସିପି କହିଥିଲେ ନାଁ ଆସିଥିବା ପୋଲିସ୍ କର୍ମଚାରୀଙ୍କ ପରିଚୟ ଯାଞ୍ଚ ଚାଲିଛି।

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। ଯଦି ଅଭିଯୋଗ ସତ୍ୟ ହୋଇଥାଏ ତେବେ ଦୋଷୀ ଯିଏ ବି ହୋଇଥାଉ ନା କାହିଁକି ତାଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହା କହିଛନ୍ତି ଓଟିଭି ଏମ୍‌ଡି ଜଗୀ ମଙ୍ଗତ ପଣ୍ଡା। ଯେତେବେଳେ ଓଡ଼ିଶା ଟେଲିଭିଜନ ଲିମିଟେଡ୍‌କୁ ଯୌନ ଉତ୍ପୀଡ଼ନ ଅଭିଯୋଗ ମିଳିଲା, ଆମେ ତୁରନ୍ତ ପଦକ୍ଷେପ ନେଇଥିଲୁ। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଅନୁସାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ICC ଏହାର ତଦନ୍ତ କଲା। ପୀଡ଼ିତାଙ୍କୁ ପୋଲିସ୍‌ରେ ରିପୋର୍ଟ କରିବାକୁ ମଧ୍ୟ ପରାମର୍ଶ ଦିଆଗଲା ବୋଲି ଓଟିଭି ଏମ୍‌ଡି ଉଲ୍ଲେଖ କରିଛନ୍ତି। ତେବେ ତଦନ୍ତ ଚାଲିଥିବା ସମୟରେ ଏଭଳି କିଛି ବିଚିତ୍ର ଘଟଣା ଘଟିଛି ଯାହାକି ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

୧. ଓଡ଼ିଶା ଟେଲିଭିଜନ ନେଟଓ୍ୱର୍କ ଲିମିଟେଡ୍ ପକ୍ଷରୁ ଘଟଣା ସମ୍ପର୍କିତ ସମସ୍ତ କାଗଜପତ୍ର ଏବଂ ସୂଚନା ପୋଲିସକୁ ଦିଆଯାଇଛି। ଆଉ ଏ ନେଇ କର୍ତ୍ତୃପକ୍ଷଙ୍କୁ ପୂର୍ଣ୍ଣ ସହଯୋଗ କରାଯାଉଛି। ଏହାସତ୍ତ୍ୱେ ପୋଲିସ୍‌ ଓଟିଭିରେ ପ୍ରସାରିତ ଏକ ଅଡିଓ ରେକର୍ଡିଂକୁ ନେଇ ଓଟିଭି କର୍ମଚାରୀଙ୍କୁ ଜେରା କରିବା ଦିଗରେ ଅଧିକ ଆଗ୍ରହ ପ୍ରକାଶ କରୁଛି। ରାଜ୍ୟର ଅନ୍ୟ ସରକାରୀ ପ୍ରୋତ୍ସାହିତ ଚ୍ୟାନେଲ୍‌ ଗୁଡ଼ିକରେ ଏକ ଲିକ୍ ଅଡିଓ ଟେପ୍ ବ୍ୟାପକ ଭାବେ ପ୍ରସାରଣ କରିବା ପରେ ଯାଇ ଓଟିଭିରେ ଏହି ରେକର୍ଡିଂ ପ୍ରସାରିତ ହୋଇଥିଲା। ତେବେ ତଦନ୍ତକାରୀ ଅଧିକାରୀ ଅନ୍ୟ ଚ୍ୟାନେଲ୍ ଯେଉଁମାନେ କି ପ୍ରଥମେ ଏହାକୁ ପ୍ରସାରଣ କରିଥିଲେ, ସେମାନଙ୍କୁ ଜେରା କରିବା ଦିଗରେ ଆଗ୍ରହ ପ୍ରକାଶ କରୁ ନଥିବା ଭଳି ମନେ ହେଉଛି।

୨. ସେହିପରି, ଘଟଣାରେ FIR ରୁଜୁ ହେବାର ୨୦ ଦିନ ପରେ ବି ମାମଲାରେ ଅଭିଯୁକ୍ତ ୩ ପୋଲିସ୍‌ କର୍ମଚାରୀଙ୍କୁ ଚିହ୍ନଟ କିମ୍ବା ଜେରା କରିବା ନେଇ କର୍ତ୍ତୃପକ୍ଷ କୌଣସି ଆଗ୍ରହ ଦେଖାଉ ନ ଥିବା ଭଳି ଜଣାପଡ଼ୁଛି।

୩. ମାମଲାର ତଦନ୍ତ ସହ ଜଡିତ ବିଭିନ୍ନ ସଂସ୍ଥାର ଅଧିକାରୀ ଓ ଓଟିଭି କର୍ମଚାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ଜଣାପଡୁଛି ଯେ, କିଛି ପ୍ରଭାବଶାଳୀ ବ୍ୟକ୍ତି ମାମଲାରୁ ନଜର ହଟାଇବା ଲାଗି ଚାପ ପ୍ରୟୋଗ କରୁଛନ୍ତି। ବିଗତ ଦିନରେ ମଧ୍ୟ ଏହି ପ୍ରଭାବଶାଳୀ ବ୍ୟକ୍ତିମାନେ ବିଧାନସଭାରେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣି ଓଟିିଭିର ଛବିକୁ ମଳିନ କରିବାକୁ ଅପଚେଷ୍ଟା କରିଥିଲେ। ପରେ ଏହି ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଥିଲା। ନିକଟରେ ଦୁଇ ଜଣ ବ୍ୟକ୍ତି ନିଜର କୋଭିଡ୍ ଅଭିଜ୍ଞତା ସଂପର୍କରେ କଥା ହେଉଥିବାର ଏକ ଅ଼ଡିଓ ଭାଇରାଲ୍ ହୋଇଥିଲା। ଆଉ ତାହା ଓଟିଭିର ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ହୋଇଥିଲା। ଏହି ମାମଲାରେ ସରକାର ଆମ ବିରୋଧରେ FIR ରୁଜୁ କରିଥିଲେ। ଆଉ ମାମଲାରେ ପୋଲିସ ଆମ କର୍ମଚାରୀଙ୍କୁ ନିୟମିତ ଭାବେ ଡାକି ଥାନାରେ ଘଣ୍ଟା ଘଣ୍ଟା ଧରି ବସାଇ ହଇରାଣ କରିଥିଲେ। ବଢି ଚାଲିଥିବା କରୋନା ସଂକ୍ରମଣର ମୁକାବିଲା କରିବା ଛାଡି ପୋଲିସ୍‌ ଭାଇରାଲ ଅଡ଼ିଓ ମାମଲାରେ ଓଟିଭି ଏବଂ ଏହାର କର୍ମଚାରୀଙ୍କ ପଛରେ ଅଧିକ ସମୟ ଖର୍ଚ୍ଚ କରୁନି କି ?

୪. ଗତ ଅଗଷ୍ଟ ୩୦ ତାରିଖରେ FIR ରୁଜୁ ହୋଇ ତଦନ୍ତ ଆରମ୍ଭ ହେଲା ପରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ୍‌ରେ ଏକ ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ। ଦୁର୍ଭାଗ୍ୟବଶତଃ ଶିଶୁ ସୁରକ୍ଷା ଅଧିକାର କମିଶନର ମୁଖ୍ୟ ମାମଲାକୁ ବିସ୍ତୃତ ଭାବେ ଅଧ୍ୟୟନ ନ କରି ଆମ ବିରୋଧରେ ଏକ ନୋଟିସ ଜାରି କରିଥିଲେ। ଏଥିସହିତ ସେ ଅନ୍ୟ ସରକାରୀ ପ୍ରୋତ୍ସାହିତ ଚ୍ୟାନେଲଙ୍କ ଭଳି ବେଆଇନ୍‌ ଭାବେ ପୀଡିତାଙ୍କ ପରିଚୟ ପ୍ରଘଟ କରି ପୋକ୍ସୋ ଆଇନକୁ ଉଲ୍ଲଂଘନ କରିଛନ୍ତି। ମହିଳା ଥାନା ଘଟଣାର ତଦନ୍ତ ଆରମ୍ଭ କରିସାରିଥିବା ବେଳେ ନିଜର ପରିସୀମାକୁ ଉଲ୍ଲଂଘନ କରିବାକୁ ତାଙ୍କ ଉପରେ ଚାପ ପ୍ରୟୋଗ ହୋଇଥିଲା କି ? ନା ଅଧ୍ୟକ୍ଷାଙ୍କର ପୋଲିସ୍ ତଦନ୍ତ ଉପରେ ବିଶ୍ୱାସ ନ ଥିଲା ? ପୋକ୍ସୋ ଆଇନ ଏବଂ ନିଜର ପରିସୀମାକୁ ଉଲ୍ଲଂଘନ କରିବା ଲାଗି ତାଙ୍କ ବିରୋଧରେ ମାମଲା ଦାଏର ହୋଇଛି କି ?

ସେ କହିଛନ୍ତି ଯେ, ଅଭିଯୋଗକାରିଣୀ ଏବଂ ମୋ ମଧ୍ୟରେ ହୋଇଥିବା ଏକ ଗୋପନୀୟ ତଥାକଥିତ କଥାବାର୍ତ୍ତାର ରେକର୍ଡ, ଯାହାକୁ ଅଭିଯୋଗକାରିଣୀ ରେକର୍ଡ କରିଥିଲେ ତାହା କେବଳ ରାଜ୍ୟ ମହିଳା କମିଶନକୁ ଦିଆଯାଇଥିଲା। ଆଉ ସେହିଦିନ ହିଁ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ଚ୍ୟାନେଲଗୁଡିକୁ ଏହା ଲିକ୍ ହେବା ଏବଂ ସେମାନେ ଅଡିଓର ସତ୍ୟତା ଯାଞ୍ଚ ନ କରି ମନମୁଖୀ ଭାବେ ପ୍ରସାରଣ କରିବା ସବୁଠାରୁ ବ଼ଡ ଉଦ୍‌ବେଗଜନକ ବିଷୟ। ତେବେ ତଦନ୍ତକାରୀ ଏଜେନ୍ସି ଏ ନେଇ ସେତେଟା ଧ୍ୟାନ ଦେଲା ଭଳି ଲାଗୁ ନାହିଁ। ଏହି ଚ୍ୟାନେଲ୍‌ ଗୁଡିକ ପକ୍ଷରୁ ଚାଲିଥିବା ମିଥ୍ୟା ପ୍ରୋପାଗୋଣ୍ଡାକୁ ରୋକିବା ଲାଗି ଓଟିଭି ପକ୍ଷରୁ ଅଭିଯୋଗକାରିଣୀ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଅଧ୍ୟକ୍ଷାଙ୍କ ମଧ୍ୟରେ ହୋଇଥିବା ଏକ ଅଡିଓ କଥାବାର୍ତ୍ତା ପ୍ରସାରଣ କରାଯାଇଥିଲା। ଏହାସତ୍ତ୍ୱେ ମହିଳା କମିଶନ୍ ଅଧ୍ୟକ୍ଷା ଆମକୁ ଏଥିପାଇଁ ନୋଟିସ ଜାରି କରିଛନ୍ତି। ଏହି ମାମଲାର କଣ ଅଗ୍ରଗତି ହେଉଛି ତାହା ସେ ଜାଣିପାରୁନାହାନ୍ତି କି ?

ପୁଣି ଥରେ ଆମେ ଉଚିତ୍ ଏବଂ ନିରପେକ୍ଷ ତଦନ୍ତ ଲାଗି ଅନୁରୋଧ କରୁଛୁ। ଅଭିଯୋଗକାରିଣୀ ଉଲ୍ଲେଖ କରିଥିବା ପୋଲିସକର୍ମୀଙ୍କୁ ଚିହ୍ନଟ କରି ଜେରା କରାଯାଉ। ସେହିଭଳି ଯେଉଁ ଗଣମାଧ୍ୟମଗୁଡ଼ିକ ମାମଲା ସମ୍ପର୍କିତ ଲିକ୍ ଅଡିଓ ରେକର୍ଡିଂକୁ ପ୍ରସାରଣ କରିଥିଲେ, ସେମାନେ ବି ତଦନ୍ତ ପରିସରଭୁକ୍ତ ହେବା ଦରକାର। ଯଦି ଏପରି ନହୁଏ ତେବେ ଏହା ଏକପାଖିଆ ମନେ ହେବା ସହ ତଦନ୍ତକାରୀ ସଂସ୍ଥାଗୁଡିକ ସାଲିସ୍ କରିଥିବା ପ୍ରମାଣିତ ହୋଇଯିବ। ସରକାରରେ ଥିବା କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଚାପ ଗ୍ରସ୍ତ ନ ହୋଇ ନିଜ କର୍ତ୍ତବ୍ୟ କରନ୍ତୁ ବୋଲି ଓଟିଭି ଏମ୍‌ଡି, ପୋଲିସ ଓ ଅନ୍ୟ ତଦନ୍ତକାରୀ ସଂସ୍ଥାକୁ ଅନୁରୋଧ କରିଛନ୍ତି।

Bhubaneswar-minor-gang-rape-case-police-seem-to-have-no-interest-in-identifying-or-questioning-the-policemen-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories