କିଡ଼ନୀ ଦେବା ଲାଗି କହି ଲକ୍ଷ ଲକ୍ଷ ଟଙ୍କା ଠକିନେଲେ
ଭୁବନେଶ୍ୱର: କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ। ଜାଲ କାଗଜପତ୍ର ଜରିଆରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ହଡପ କରୁଥିବା ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ସେ ବାଲେଶ୍ୱରର ଜଣଙ୍କଠାରୁ ୫ଲକ୍ଷ ୫୦ ହଜାର ଚୁନ ଲଗାଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଅନ୍ୟ ଜଣେ ରୋଗୀଙ୍କଠୁ ଠକିଛି ୩ଲକ୍ଷ ୧୯ ହଜାର। ତେବେ ଏନେଇ କିଡନୀ ଆଶାୟୀ ଅଭିଯୋଗ କରିବା ପରେ ନୟାପଲ୍ଲୀ ପୋଲିସ ହିମାଂଶୁକୁ ଗିରଫ କରିବା ସହ ଘଟଣାର ଖୋଳତାଡ କରୁଛି।
ନକଲି, ଜାଲି , ପୁରା ୪୨୦। ଲୋକଙ୍କ ଦୁର୍ଦ୍ଦିନର ସୁଯୋଗ ନେଇ ସେମାନଙ୍କୁ ଚୁନ ଲଗାଇବା ଲାଗି ସୁଚିନ୍ତିତ ବ୍ଲୁପ୍ରିଣ୍ଟ କିଡନୀ ଯୋଗାଣ ଆଳରେ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ମାଷ୍ଟରମାଇଣ୍ଡକୁ ଧରିଛି କମିଶନରେଟ ପୋଲିସ। ଅଭିଯୁକ୍ତ ହେଲା ଭୁବନେଶ୍ୱର ଉତ୍ତରା ଅଞ୍ଚଳରେ ରହୁଥିବା ପଟାମୁଣ୍ଡାଇର ହିମାଂଶୁ ନନ୍ଦ। କିଡନୀ ପ୍ରତିରୋପଣ ଲାଗି ଆବଶ୍ୟକ ହେଉଥିବା ସବୁ ଡକ୍ୟୁମେଣ୍ଟ ଉପରେ ଦେଖିବାକୁ ସିନା ଅସଲି, ହେଲେ ପ୍ରକୃତରେ ପୁରା ନକଲି। ଆଉ ଏଭଳି ନକଲି କାଗଜପତ୍ର ଜରିଆରେ ଲୋକଙ୍କୁ ଠକିବାର ଜାଲ ବିଛାଇଥିଲା ହିମାଂଶୁ।
କିଡନୀ ଯୋଗାଇ ଦେବାକୁ ସେ ବାଲେଶ୍ୱର ରୁପସା ଅଞ୍ଚଳର ପ୍ରତାପ ମିଶ୍ରଙ୍କଠୁ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗରର ତରୁଲତା ମିଶ୍ରଙ୍କୁ ଠକିଛିି ୩ଲକ୍ଷ ୧୯ହଜାର। ତେବେ କିଡନୀ ଆଶାୟୀ ହସ୍ପିଟାଲରେ ପହଞ୍ଚି ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ପରେ ହିମାଂଶୁର କାରସାଦି ଧରାପଡିଛି।
ପ୍ରତାପ ଓ ତରୁଲତାଙ୍କ ଅଭିଯୋଗ ପରେ କମିଶନରେଟ୍ ପୋଲିସ ହିମାଂଶୁକୁ ଗିରଫ କରିିଛି। ତେବେ ସେ କିଭଳି କିଡନୀ ଆଶାୟୀଙ୍କ ସଂପର୍କରେ ଆସୁଥିଲା ଓ ସେମାନଙ୍କ ବିଶ୍ୱାସ ଜିତି ଲକ୍ଷ ଲକ୍ଷ ଟଙ୍କା ଖସେଇ ନେବାରେ ସଫଳ ବି ହେଉଥିଲା ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ପୋଲିସର ସୂଚନା ଅନୁଯାୟୀ ହିମାଂଶୁ ନିଜର ଜଣେ ସହଯୋଗୀ ସମୀର ସୁବୁଦ୍ଧିକୁ ଏଥିପାଇଁ ବ୍ୟବହାର କରୁଥିଲା। ସମୀର କିଡନୀ ଦେବ ବୋଲି କହି ତାକୁ ରୋଗୀଙ୍କ ସହିତ ଆବଶ୍ୟକ ପରୀକ୍ଷଣ ଲାଗି କୋଲକତା ବି ପଠାଇଥିଲା।
କିଡ୍ନୀ ଯୋଗାଣ ଆଳରେ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲା ଅଭିଯୁକ୍ତ, ଏବେ ପୋଲିସ ହାତରେ ଧରାପଡ଼ିଲା ମାଷ୍ଟରମାଇଣ୍ଡ #Odisha @cpbbsrctc pic.twitter.com/Kk7kkZERev
— ଓଟିଭି (@otvkhabar) January 13, 2021
ତେବେ ପ୍ରଶ୍ନ ଉଠୁଛି କିଡନୀ ପ୍ରତିରୋପଣ ଲାଗି ଡିଏମଇଟିଙ୍କ ବିଧିବଦ୍ଧ ଗାଇଡ୍ଲାଇନ ରହିଛି। କିଡନୀ ଆଶାୟୀ କଣ ଏ ବିଷୟରେ ଅବଗତ ନଥିଲେ? ନା ସବୁ ଜାଣି ଜୀବନ ବଞ୍ଚାଇବା ଲୋଭରେ ହିଂମାଶୁର ମାୟାଜାଲର ଶିକାର ହୋଇଥିଲେ। ତେବେ ନିଜ ଫନ୍ଦି ଧରା ପଡିଯିବା ପରେ ହିମାଂଶୁ ଟଙ୍କା ଫେରାଇ ଦେବ ବୋଲି କହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ ବି କରିଥିଲ।
ଏବେ ପ୍ରଶ୍ନ କେବଳ ପ୍ରତାପ ଓ ତରୁଲତା ହିମାଂଶୁଙ୍କ ଠକେଇର ଶିକାର ହୋଇଛନ୍ତି ନା ଏହି ତାଲିକାରେ ଆଉ କିଏ ଅଛନ୍ତି? ଏପଟେ ଉତ୍ତରାଛକରେ ଥିବା ହିମାଂଶୁଙ୍କ ଇଣ୍ଟେରିୟର ଡେକୋର ସୋ-ରୁମ ଠକେଇ ଟଙ୍କାରେ କିଭଳି ଢଙ୍ଗରେ ନିଜ ବେପାର ବଢାଇ ଚାଲିଥିଲା ହିମାଂଶୁ? ତେବେ ଏହି ଠକେଇରେ ସେ ଏକା ନା ତାସହ ଆଉ କିଏ ଅଛନ୍ତି, ପୋଲିସ ତଦନ୍ତରୁ ତାହା ଜଣାପଡିବ।
ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ, ଓଟିଭି