ଦିବ୍ୟାଙ୍ଗ ହୋଇ ବି ପରିବାରର ବୋଝ ଉଠାଉଛନ୍ତି ନମିତା

ଭୁବନେଶ୍ୱର: କଥାରେ ଅଛି, ଦୃଢ ଇଚ୍ଛା ଶକ୍ତି ଆଗରେ ହାର୍‌ ମାନେ ଦୁନିଆର ସବୁ ବାଧାବିଘ୍ନ। ଦିବ୍ୟାଙ୍ଗ ହୋଇ ବି ସେ ସ୍ୱାଭିମାନୀ। ଆଜିଯାଏ ନା କାହା ଉପରେ ବୋଝ ହୋଇଛନ୍ତି ନା କାହା ଉପରେ ନିର୍ଭରଶୀଳ। ଆତ୍ମନିର୍ଭର ହୋଇ ନିଜେ ବଞ୍ଚିଛନ୍ତି ଏବଂ ଏହାସହ ପରିବାରର ବୋଝକୁ ବି ନିଜ କାନ୍ଧରେ ବୋହିବାରେ ସକ୍ଷମ ହୋଇ ପାରିଛନ୍ତି।

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ପଞ୍ଚାୟତ ଭିଙ୍ଗାରପୁରର ନମିତା ମହାନ୍ତି, ଛୋଟବେଳୁ ଚାଲିବାକୁ ଅକ୍ଷମ। ହେଲେ କେବେବି ସେ କାହା ଉପରେ ବୋଝ ହୋଇ ନାହାନ୍ତି। ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇଛନ୍ତି। ସ୍ୱାଭିମାନର ସହ ରୋଜଗାର କରି ନିଜେ ବଞ୍ଚୁଛନ୍ତି ଏବଂ ପରିବାରର ବୋଝ ବି ମୁଣ୍ଡାଇଛନ୍ତି।

ରାଜଧାନୀ ଭୁବନେଶ୍ୱର କଳ୍ପନା ଛକରେ ନମିତାଙ୍କ ସ୍ନାକ୍ସ ଓ ଚା’ ଦୋକାନ ରହିଛି। ଦୋକାନର ନାଁ ସେ ‘ଖୁସି କାଫେ’ ରଖିଛନ୍ତି। ସେ ଯାହା ବି ରୋଜଗାର କରନ୍ତି, ସେଥିରେ ତାଙ୍କର ପୁରା ପରିବାର ଚଳେ। ନମିତାଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି ସେହି ଅଞ୍ଚଳର ଆଉ ୩ ଜଣ ଦିବ୍ୟାଙ୍ଗ ଝିଅ।

ନମିତାଙ୍କ ଭଳି ସମାନ କାହାଣୀ ସନ୍ଧ୍ୟାରାଣୀଙ୍କର। ବୟନିକା କ୍ୟାମ୍ପସ୍‌ରେ ଥିବା କ୍ୟାଣ୍ଟିନ ଚଳାଉଛନ୍ତି ୪ ଜଣ ଦିବ୍ୟାଙ୍ଗ ଯୁବତୀ। ସମସ୍ତେ ବାଲିଅନ୍ତା ଅଞ୍ଚଳର। ଚଟାପଟ୍ ମସଲା ମାରି ମାଛ ଫ୍ରାଏ ହେଉ ଅବା କିଛି ବି ଖାଦ୍ୟ ଚୁଟ୍‌କିରେ ସବୁକିଛି କରିପାରୁଛନ୍ତି ସନ୍ଧ୍ୟାରାଣୀ ନାୟକ। ଖୁବ୍‌ କମ୍‌ ସମୟରେ ରୁଟି ତିଆରି କରିପାରୁଥିବା ସ୍ନେହଲତା ବି ଜନ୍ମରୁ କଥା କହିବାକୁ ଅକ୍ଷମ। ହେଲେ କାମରେ ତାଙ୍କ ଭଳି କେହି ନାହାଁନ୍ତି।

ସନ୍ଧ୍ୟା ଓ ସ୍ନେହଲତାଙ୍କ ଭଳି ରୀନା ଓ ବେବିନା ସାହୁ ମଧ୍ୟ କଥା କହି ପାରୁନାହାନ୍ତି। ହେଲେ କ୍ୟାଣ୍ଟିନରେ କାମ କରି ସେମାନେ ଆତ୍ମନିର୍ଭର ହୋଇ ପାରିଛନ୍ତି।

ନମିତା କହିଛନ୍ତି, ଗୋଟେ ଭିନ୍ନକ୍ଷମ ଝିଅ ହେଲେ ପରିବାରର ବଡ଼ ଚିନ୍ତା ଥାଏ ଯେ, ଏହି ପିଲା ଆମ ଉପରେ ବୋଝ ହୋଇ ରହିବ। ହେଲେ ଏହାକୁ ସେ ଭୁଲ୍‌ ପ୍ରମାଣିତ କରିଛନ୍ତି। ସ୍ୱାଭିମାନର ସହ ରୋଜଗାର କରି ନିଜେ ବଞ୍ଚିବା ସହ ପରିବାରର ବୋଝ ବି ସେ ମୁଣ୍ଡାଇଛନ୍ତି।

ଆମେ ନିଜେ ଗୋଡ଼ରେ ସାହାସରେ ଛିଡ଼ା ହୋଇଛୁ। କାହା ପାଖରେ ହାତ ପତେଇନୁ। ଆମେ ଆମ ସାହାସ ବଳରେ ନିଜେ ଲଢ଼ୁଛୁ ବୋଲି ସନ୍ଧ୍ୟାରାଣୀ କହିଛନ୍ତି।

ସେହିପରି ରୀନା କହିଛନ୍ତି, ‘ସେତେବେଳର କଷ୍ଟ ଏବେ ଆଉ ଜଣାପଡ଼ୁ ନାହିଁ। ଏବେ ଆମେ ସମ୍ପୂର୍ଣ୍ଣ ଭାବରେ ଆତ୍ମନିର୍ଭର ହୋଇ ପରିବାର ଚଳାଉଛୁ। ମୁଁ ନିଜେ ଅର୍ଥ ସଞ୍ଚୟ କରି ମୋ ଭଉଣୀର ବିବାହ କରିଲି।  

ତେବେ ଏମିତି ଦିବ୍ୟାଙ୍ଗଙ୍କ ପାଇଁ ଆଶାର ଆଲୋକ ସାଜିଛି ପ୍ରତିବନ୍ଧି କଲ୍ୟାଣ କେନ୍ଦ୍ର ନାମକ ଏକ ଏନ୍‌ଜିଓ ସଂସ୍ଥା। ବାଲିଅନ୍ତା ବ୍ଲକ୍‌ରେ ଦିବ୍ୟାଙ୍ଗଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାବଲମ୍ବୀ କ୍ଷେତ୍ରରେ ଏହି ସଂସ୍ଥା କାମ କରୁଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୮ ଜଣ ଦିବ୍ୟାଙ୍ଗ ଯୁବତୀଙ୍କୁ ରୋଜଗାର ଦେଇ ସାରିଛି ଏହି ସଂସ୍ଥା।

You might also like