ବନ୍ଧା ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରିର ମାଲିକ, କୋଲ୍ଡ ଡ୍ରିକ୍ସ ନାଁରେ ଭେଜାଲ ସାମଗ୍ରୀ ବିକୁଥିଲେ

ଭୁବନେଶ୍ୱର: ବନ୍ଧା ହେଲେ ନକଲି ମୃଦୁ ପାନୀୟ ଫ୍ୟାକ୍ଟ୍ରି ମାଲିକ। ଭୁବନେଶ୍ୱର ମଞ୍ଚେଶ୍ୱରରୁ ନକଲି ମୃଦୁ ପାନୀୟ ଜବତ ଘଟଣାରେ ଫ୍ୟାକ୍ଟ୍ରି ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ଆଜି ପୋଲିସ ଗିରଫ କରିଛି। କାରଖାନାରେ ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡର ଭେଜାଲ ମୃଦୁ ପାନୀୟ ତିଆରି ହେଉଥିଲା। ଗତକାଲି ଅତର୍କିତ ଚଢ଼ାଉ କରି ଫ୍ୟା୍କ୍ଟ୍ରି ସିଲ୍ କରିଥିଲା ପୁଲିସ୍‌। ବିଭିନ୍ନ ବ୍ରାଣ୍ଡର କୋଲ ଡ୍ରିଙ୍କସ ବୋତଲରେ ନକଲି ଲେବୁଲ ଲଗାଇ ଅପମିଶ୍ରିତ ମୃଦୁ ପାନୀୟ ତିଆରି କରୁଥିଲେ।


ଅବିକଳ ବ୍ରାଣ୍ଡେଣ୍ଡ କୋଲ୍ଡ ଡ୍ରିଙ୍କସ ବୋତଲ ପରି ବୋତଲ ତିଆରି କରୁଥିଲେ ଫ୍ୟାକ୍ଟ୍ରି ମାଲିକ। ନାଁରେ ସାମାନ୍ୟ ପରିବର୍ତ୍ତନ କରି ବଜାରକୁ ଛଡ଼ାଯାଉଥିଲା ନକଲି ପାନୀୟ ବୋତଲ। ଫଳରେ ଯେକୌଣସି ଲୋକ ସହଜରେ ଧୋକା ଖାଇଯିବାର ଅନେକ ସମ୍ଭାବନା ଥିଲା।  ଗାଁ ଗହଳିରେ ଲୋକେ ସଚେତନ ନଥିବାରୁ, ଗାଁକୁ ମୁଖ୍ୟତଃ ଟାର୍ଗେଟ କରାଯାଉଥିଲା। ଆଉ ସେଠାରେ ଏହି ନକଲି ପାନୀନ ବେଶ୍ ଭଲ ବିକ୍ରି ହୋଇପାରୁଥିଲା।

ଫ୍ୟାକ୍ଟ୍ରିରେ ଚାରି ପାଞ୍ଚ ପ୍ରକାରର ମୃଦୁ ପାନୀୟ, ଜୁସ୍ ଏବଂ ମସାଲା ଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା ହେଲେ କେଉଁ ଉତ୍ପାଦ କେତେ ପରିମାଣରେ ମିଶାଯିବ ଏବଂ ଶରୀର ଉପରେ ତାର କଣ ପ୍ରଭାବ ରହିବ, ତାର ଯାଂଚ ପାଇଁ କାରଖାନାରେ ଲାବ୍ରୋଟାରୀ କି କୌଣସି ଟେକ୍ନିସିଆନ୍ ନଥିଲେ। ଗତକାଲି କାରଖାନାରୁ ଜବତ ହୋଇଥିବା ମୃଦୁ ପାନୀୟକୁ ଯାଂଚ ପାଇଁ ଲାବ୍ରୋଟରୀକୁ ପଠାଯାଇଥିଲା ଆଜି ଫ୍ୟାକ୍ଟ୍ରି ମାଲିକଙ୍କୁ ଗିରଫ କରାଯାଇଛି।

 

ରାଜ୍ୟରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ଏବେ ରାଜ୍ୟ ପୋଲିସର ଚିନ୍ତାର କାରଣ ସାଜିଛି । ନକଲି କାରବାରର ଚେର ସାରା ରାଜ୍ୟରେ ମାଡ଼ି ଯାଇଛି। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ।ଗଲା କିଛି ଦିନ ଧରି ରାଜ୍ୟରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଉପରେ ଲଗାତର ଚଢାଉ ପରେ ଟେନ୍‌ସନ୍‌ରେ ପଡ଼ିଯାଇଛନ୍ତି ଖାଉଟି।  ରାଜ୍ୟବାସୀ ଖାଦ୍ୟ ନାଁରେ ଜହର ଖାଇବାକୁ ବାଧ୍ୟ ହେଉଛନ୍ତି। ତେବେ ଏସବୁ ଜଣାପଡ଼ିବା ପରେ ନକଲି କାରବାରର ପେଣ୍ଠସ୍ଥଳୀ ପାଲଟିଥିବା କଟକ ପରେ ରାଜଧାନୀରେ ବି ଭେଜାଲ ବ୍ୟବସାୟୀଙ୍କୁ ଗିରଫ କରୁଛି ପୋଲିସ୍।

କଟକରେ ଭେଜାଲ୍ ସାମଗ୍ରୀ ଲିଙ୍କ୍‌ରେ ଗତ ୨ ମାସରେ ୨୫ ସ୍ଥାନରେ ଚଢ଼ାଉ କଲାଣି ପୋଲିସ୍। ଏହି ମାମଲାରେ ୨୫ ଜଣ ଗିରଫ ବି ହେଲେଣି।ଏଯାଏ ସାଢ଼େ କୋଟି କୋଟି ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ ସହ ଅସାଧୁ ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ପୋଲିସ୍। ଏହି ବିଷାକ୍ତ ବ୍ୟବସାୟର ଚେର ଉପାଡ଼ିବାକୁ କମିଶନରେଟ ପୋଲିସ୍ ପୂରା ଦମ୍‌ରେ ଲାଗିପଡ଼ିଛି।

You might also like