• translate
Abinash Pati

ଭୁବନେଶ୍ୱର: ଆଜି ଭୁବନେଶ୍ୱର IRC Village N-2 ଘଟିଥିବା ଘଟଣା ଅକ୍ଟୋବର ୪ ତାରିଖର ସେହି ଲୋମଟାଙ୍କୁରା ଅପରାଧକୁ ମନେ ପକାଇ ଦେଉଛି। ସେଦି ସ୍ପଷ୍ଟ ଦିବାଲୋକରେ ସାମନ୍ତରାପୁରରେ ସୈତାନ ଖେଳିଥିଲେ ରକ୍ତର ହୋଲି। ଆଉ ଆଜିର ଦୃଶ୍ୟ ବି ଥିଲା ଠିକ୍ ସେମିତି। ସାମନ୍ତରାପୁର ହତ୍ୟା ଘଟଣାର ଶହେ କୋଡ଼ିଏ ଦିନର ବ୍ୟବଧାନ ପରେ ଦିନ ଦିପହରରେ ରାଜଧାନୀରେ  ଗଡ଼ିଛି ଆଉ ଏକ ମଣିଷ ମୁଣ୍ଡ।

ଆଇଆର୍‌ସି ଭିଲେଜ୍ ସ୍ଥିତ ଭିଆଇପି କଲୋନୀରେ ଭୂଜାଲି ଓ ଫାର୍ସାରେ ହାଣି ହତ୍ୟା କରାଯାଇଛି ଜଣେ ଡ୍ରାଇଭରଙ୍କୁ। ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ IRC Village N-2 ଲେନ୍‌ରେ ଏକ ପିକପ୍ ଭ୍ୟାନ୍ ଲାଗିଥିଲା। ଆଉ ସେହି ପିକପ୍ ଭ୍ୟାନ୍‌ରୁ ଆକ୍ରମଣ ପ୍ରତିଆକ୍ରମଣର ଚିତ୍କାର ଶୁଭୁଥିଲା। ତାହାରି ଭିତରେ ଡ୍ରାଇଭର ଟୁକୁନା ଓରଫ୍ ଜଟିଆକୁ ଭୁଜାଲି ଏବଂ ଫାର୍ସାରେ ହାଣି ମାରିଦେଲେ ସାଲିଆସାହିର ୨ ଭାଇ ସାଗର ପୃଷ୍ଟି ଓ ସୁଧିର ପୃଷ୍ଟି।

କଥା ଏତିକିରେ ସରିନଥିଲା। IRC Villageରେ ଏଭଳି ବୀଭତ୍ସ କାଣ୍ଡକୁ ନେଇ ତାତି ଉଠିଥିଲେ ଲୋକେ। ଖବର ପାଇ ଘଟଣାସ୍ଥଳରେ ପିସିଆର ଭ୍ୟାନ୍‌ ନେଇ ସଦଳବଳେ ପହଞ୍ଚିଥିଲା ପୋଲିସ। ଅଭିଯୁକ୍ତଙ୍କୁ ଉଦ୍ଧାର କରି ଭ୍ୟାନ୍‌ରେ ବସାଇ ନେଉଥିଲା ବେଳେ ପୋଲିସ ହାତରୁ ଛଡ଼ାଇ ନେଇ ଅଭିଯୁକ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଲୋକେ।

ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ୨ ଭାଇ କାକୁତି ମୀନତି ହୋଇଥିଲେ ବି ଛାଡ଼ ପାଇନଥିଲେ। ଲହୁଲୁହାଣ ହୋଇ ଅଭିଯୁକ୍ତ ତଳେ ପଡ଼ିଯାଇଥିଲେ ବି ଥମିନଥିଲା ଲୋକଙ୍କର ଆକ୍ରୋଶ। ଆଉ ଆଖି ସାମ୍ନାରେ ସବୁ ଘଟଣା ଘଟୁଥିଲେ ବି ପୋଲିସ ନାଚାର୍ ହୋଇ ସବୁ ଦେଖୁଥିଲା। ଶେଷରେ ବହୁ କଷ୍ଟରେ ୨ ଭାଇଙ୍କୁ ଲୋକଙ୍କଠାରୁ ଉଦ୍ଧାର କରି ଥାନାକୁ ନେଇଥିଲା ପୋଲିସ।

ତେବେ କାହିଁକି ଘଟିଲା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ? କୁହାଯାଉଛି, ସାଗର ଓ ସୁଧିର ସହ ଜଟିଆର ପୂର୍ବ ଶତ୍ରୁତା ଥିଲା। କାଲି ଓ ଆଜି ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ ବି ହୋଇଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଦୁଇ ଭାଇ ନିଜ ପିକଅପ୍ ଭ୍ୟାନ୍‌ରେ ଆଜି ଜଟିଆକୁ ଉଠାଇ ଆଣୁଥିବାବେଳେ ଜଟିଆ ସାଗର ଓ ସୁଧିରକୁ ଆକ୍ରମଣ କରିଥିଲା। ତାପରେ ସାଗର ଓ ସୁଧିର ପାଲଟା ଆକ୍ରମଣ କରି ଜଟିଆକୁ ଜୀବନରୁ ମାରିଦେଇଥିଲେ। ମୃତ ଜଟିଆ, ସାଗର ଓ ସୁଧିର ତିନିଜଣଯାକ ପେଶାରେ ଡ୍ରାଇଭର। ତେଣୁ ସେମାନଙ୍କ ମଧ୍ୟରେ ବ୍ୟାବସାୟିକ ଶତ୍ରୁତା ଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ପ୍ରେମ ବ୍ୟାପାର କଥା ମଧ୍ୟ ସାମ୍ନାକୁ ଆସୁବାବେଳେ ପୋଲିସ ଏସବୁ ଦିଗକୁ ଧରି ତଦନ୍ତ ଚଳାଇଛି।

ତେବେ ଘଟଣା ସମ୍ପର୍କରେ ଜଟିଆର ବାପା କୈଳାସ ରାଉତ କହିଛନ୍ତି ସାନ ଭାଇ ସୁଧୀର ମୋ ଝିଅକୁ ଭଲପାଉଥିଲା। ଓ ତାକୁ ବାହା ହେବାକୁ କହିଥିଲା। ତେବେ କାହିଁକି ହାଣିଲା ମୁଁ ଜାଣି ନାହିଁ ବୋଲି ଜିଟିଆର ବାପା କହିଛନ୍ତି।

ଅନ୍ୟପଟେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଏହି ୩ ଜଣଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ମଝିରେ ଅନେକ ସମୟରେ ପାଟିତୁଣ୍ଡ ହୋଇଥିଲା। ଗତକାଲି ମଧ୍ୟ ପାଟିତୁଣ୍ଡ ହୋଇଥିଲା। ତେବେ ଆଜିର ଘଟଣା ପରେ ଠିକ୍ ସମୟରେ ପୋଲିସ ପହଞ୍ଚି ଅଭିଯୁକ୍ତମାନଙ୍କୁ ଉଦ୍ଧାର କରିଛି ବୋଲି ଡିସିପି କହିଛନ୍ତି।

ତେବେ ଏହି ଗୋଟିଏ ଦୁଇଟି ନୁହେଁ ରାଜଧାନୀର ଛାତି ଉପରେ ହତ୍ୟାକାଣ୍ଡର ଗ୍ରାଫ୍ ଧୀରେଧୀରେ ବଢ଼ିଚାଲିଛି। ନିକଟରେ ପ୍ରକାଶ ପାଇଥିବା କମିଶନରେଟ୍ ପୋଲିସର ବାର୍ଷିକ ଅପରାଧ ରିପୋର୍ଟ ଦେଖିଲେ, ୨୦୧୯ ଅପେକ୍ଷା ୨୦୨୦ରେ ହତ୍ୟା ଘଟଣାର ସ୍ଥିତି ଚିନ୍ତାଜନକ ରହିଛି। ୨୦୧୯ରେ ଭୁବନେଶ୍ୱରରେ ୩୯ଟି ହତ୍ୟା ଘଟଣା ଘଟିଥିବା ବେଳେ ୨୦୨୦ରେ ସଂଖ୍ୟା ବଢ଼ି ୪୯ରେ ପହଞ୍ଚିଛି।

ସେପଟେ ଏହି ଘଟଣା ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ମୃତ ଟୁକୁନା ଓରଫ୍ ଜଟିଆ ନାଁରେ ଆଗରୁ ଅପରାଧିକ ମାମଲା ଅଛି। ସେ ଜାମିନରେ ଥିଲା। ଆଜି ପ୍ରଥମେ ସେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲା। ଏହାପରେ ତାକୁ ଗାଡ଼ିରେ ବସାଇ ଥାନାକୁ ଆଣୁଥିବାବେଳେ ଦୁଇ ଭାଇଙ୍କ ମଧ୍ୟରୁ ବଡ଼ ଭାଇଙ୍କୁ ଛୁରାମାଡ଼ କରିଥିଲା ଟୁକୁନା। ଏହାଫଳରେ ଆତ୍ମରକ୍ଷା ପାଇଁ ପ୍ରତି ଆକ୍ରମଣ କରି ହତ୍ୟା ଟୁକୁନାକୁ ହତ୍ୟା କରିଦେଇଥିଲେ ଦୁଇ ଭାଇ। ଏ ସମ୍ପର୍କରେ ମୋଟ ୩ଟି ମାମଲା ରୁଜୁ କରାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି।

ରିପୋର୍ଟ: ଅତୁଲ୍ୟ ବାଉତ, ସୌମ୍ୟରଂଜନ ସାହୁ, ଆଲୋକ ମହାନ୍ତି

https://youtu.be/KR9oBwnT9cs

 

Other Stories