୭ ଦିନ ପାଇଁ ସିଲ୍‌ ହେଲା ଭୁବନେଶ୍ୱର କୋର୍ଟ

ଭୁବନେଶ୍ୱର: ବଢୁଛି କରୋନା ସଂକ୍ରମଣ। ଘରଠୁ ଅଫିସ ସବୁଆଡ଼ୁ ବାହାରୁଛନ୍ତି ପୁଳା ପୁଳା ପଜିଟିଭ। ଗତକାଲି ସନ୍ଧ୍ୟାରେ ବିଏମ୍‌ସି ପକ୍ଷରୁ ମାର୍କେଟ ବିଲ୍‌ଡିଂ ସିଲ କରାଯାଇଥିବାବେଳେ ଆଜି ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ୍‌ କରିଦିଆଯାଇଛି।

କରୋନା ଗାଇଡଲାଇନକୁ ଉଲଂଘନ କରିଥିବାରୁ ଗତକାଲି ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି। ୪୮ ଘଣ୍ଟା ପାଇଁ  DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି।  ଶନିବାର ଓ ରବିବାର ସଟଡାଉନ ରହିବା ପରେ ସୋମବାରଠାରୁ ମାର୍କେଟ ବିଲ୍ଡିଂ ଖୋଲାଯିବ ବୋଲି କୁହାଯାଉଛି। ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ବଜାୟ ରଖୁନଥିବା ଏବଂ ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମସିର ଡେପୁଟି କମିଶନର ମାର୍କେଟ ବିଲଡିଂ ସିଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆଜି ଭୁବନେଶ୍ୱର କୋର୍ଟ ଜୁଡିସିଆଲ କଂପ୍ଲେକ୍ସକୁ  ୭ ଦିନ ପାଇଁ ସିଲ୍ କରାଯାଇଛି । ଆଜିଠାରୁ ମେ’ ୫ ତାରିଖ ପର୍ଯ୍ୟନ୍ତ କୋର୍ଟ ୭ ଦିନ ପାଇଁ ସିଲ୍ କରାଯାଇଛି। କୋଭିଡ୍ ପଜିଟିଭ ଚିହ୍ନଟ ପରେ BMC ପକ୍ଷରୁ ଜୁଡିସିଆଲ କଂପ୍ଲେକ୍ସକୁ ସିଲ୍‌ କରାଯାଇଥିବା  କୁହାଯାଇଛି।

ସୂଚନାଥାଉ କି, ଓଡ଼ିଶାରେ ସଂକ୍ରମଣ ଯେପରି ଭାବେ ବଢିବାରେ ଲାଗିଛି ଏହି ଚେନ୍‌ରେ ବ୍ରେକ୍‌ ଦେବା ନିହାତି ଜରୁରୀ ହୋଇ ପଡ଼ିଛି।  ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି। ଜଣେ ଲୋକ ଏକାଧିକ ଲୋକଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ଯେହେତୁ ଭୁବନେଶ୍ୱରକୁ ଏକାଧିକ ଲୋକ ବାହାରୁ ଆସୁଛନ୍ତି ସେଥିଲାଗି ସଂକ୍ରମିତଙ୍କ ସଂଖ୍ୟା ବଢୁଛି ବୋଲି ସେ କହଛନ୍ତି।

ଅନ୍ୟପକ୍ଷେ ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ବ୍ୟବସାୟୀ । ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଆଜିଠୁ ଦିନ ୨ଟାରୁ ପରଦିନ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ନିଷ୍ପତ୍ତି ନେଇଛି । ସଂଘ ପକ୍ଷରୁ ଆସନ୍ତା ୧୦ ଦିନ ଯାଏଁ ଏଭଳି କଟକଣା ପାଳିବାକୁ ନିଷ୍ପତ୍ତି ହୋଇଥିବା ବେଳେ, ଏହାକୁ ଆସନ୍ତା ମାସ ୯ ତାରିଖ ଯାଏ ବଳବତ୍ତର ରଖିବାକୁ ନିବେଦନ କରିଛନ୍ତି ଜିଲ୍ଲା ପ୍ରଶାସନ । ବ୍ୟବସାୟୀ ସଂଘର ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଜନସାଧାରଣଙ୍କୁ ଏଥିରେ ସହଯୋଗ କରିବାକୁ ଅପିଲ୍ କରିଛି ଜିଲ୍ଲା ପ୍ରଶାସନ ।

ସେହିପରି ପୁରୀ ସହରରେ ମଧ୍ୟ ଆଜିଠାରୁ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ବ୍ୟବସାୟୀ ସଂଘ ଏବଂ ପୁରୀ ଡିଷ୍ଟ୍ରିବ୍ୟୁଟର୍ସ ଓ ଟ୍ରେଡର୍ ସଂଘ । ସେହିପରି ସମ୍ବଲପୁରରେ ମଧ୍ୟ ଆଜିଠାରୁ ସକାଳ ୭ରୁ ଅପରାହ୍ଣ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବ। ସେପଟେ କଳାହାଣ୍ଡି ବଣିକ ସଂଘ ମଧ୍ୟ ପୂରା ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ।

You might also like