ଏକାଧିକ ଆକ୍ରାନ୍ତ ଚିହ୍ନଟ ପରେ ଝାରସୁଗୁଡ଼ା କୋର୍ଟ ସିଲ

ଭୁବନେଶ୍ୱର: ଝାରସୁଗୁଡ଼ା କୋର୍ଟକୁ ସିଲ୍ କରାଯାଇଛି। ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋର୍ଟ କଂପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ କଂପ୍ଲେକ୍ସକୁ ସିଲ୍ କରାଯାଇଛି। ଏନେଇ ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା କୋର୍ଟର ବିଚାର ବିଭାଗୀୟ ପରିସର ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଛି। ଏଥିସହ କୋର୍ଟ ପରିସରକୁ ସପ୍ତାହେ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳରେ ବାସ କରୁଥିବା ଜନସାଧାରଣ ବାହାରକୁ ଆସିବା ଅଥବା ବାହାରୁ କେହି ସେଠାକୁ ଯିବା ଉପରେ କଟକଣା ଜାରି କରାଯାଇଛି। ଅଦାଲତରେ ହେବାକୁ ଥିବା ଜରୁରୀ ଶୁଣାଣି ଗୁଡ଼ିକ ଭର୍ଚ୍ଚୁଆଲ ମାଧ୍ୟମରେ ତଥା ଅନଲାଇନ ଦ୍ୱାରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ୭ ଦିନ ପାଇଁ ସିଲ ହେଲା ଭୁବନେଶ୍ୱର କୋର୍ଟ। ଏପ୍ରିଲ ୨୯ ତାରିଖ ଗୁରବାରଠାରୁ ମେ’ ୫ ତାରିଖ ପର୍ଯ୍ୟନ୍ତ କୋର୍ଟକୁ ସିଲ କରାଯାଇଛି। ଦୀର୍ଘ ୭ ଦିନ ପର୍ଯ୍ୟନ୍ତ ଜୁଡିସିଆଲ କଂପ୍ଲେକ୍ସକୁ ସିଲ୍ କରିଛି ବିଏମସି। ଏହି ସ୍ଥାନରୁ କୋଭିଡ୍ ପଜିଟିଭ ଚିହ୍ନଟ ପରେ ଏହାକୁ ସିଲ୍ କରାଯାଇଛି।

ତେବେ ବୁଧବାର ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ମଧ୍ୟ ସିଲ କରିଛି ବିଏମସି। କରୋନା ଗାଇଡଲାଇନକୁ ଉଲଂଘନ କରିଥିବାରୁ ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି। ୪୮ ଘଣ୍ଟା ପାଇଁ ଏହାକୁ ସିଲ କରାଯାଇଛି। DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି। ୪୮ ଘଣ୍ଟା ପୁରଣ ପରେ ଶନିବାର ଓ ରବିବାର ସଟଡାଉନ ରହିଥିବାରୁ ଏକାଥରେ ସୋମବାର ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବ। ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ବଜାୟ ରଖୁନଥିବା ଏବଂ ଗହଳି ହୋଇଥିବା ଆଦି କାରଣ ପାଇଁ ବିଏମସିର ଡେପୁଟି କମିଶନର ମାର୍କେଟ ବିଲ୍ଡିଂ ସିଲ କରାଯାଇଛି।

ସେପଟେ ଭିଏସଏସ୍ ନଗର ହାଟ ମଧ୍ୟ ସିଲ କରିଛି ବିଏମସି। ଏଠାରେ ମଧ୍ୟ କୋଭିଡ ନିୟମକୁ ଉଲଂଘନ କରିଥିଲେ ଉଭୟ ବ୍ୟବସାୟୀ ଓ ସାଧାରଣ ଜନତା। ଅଧିକାଂଶ ଲୋକ ମାସ୍କ ପିନ୍ଧିନଥିବା ବେଳେ ସାମାଜିକ ଦୂରତା ମଧ୍ୟ ଲୋକଙ୍କ ମଧ୍ୟରେ ନଥିଲା। ତେଣୁ ବିଏମସି ଅଧିକାରୀ ସେଠାରେ ପହଞ୍ଚି ହାଟକୁ ସମ୍ପୂର୍ଣ୍ଣ ସିଲ କରିଛନ୍ତି। ତେବେ ଭୁବନେଶ୍ୱରରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ବିଏମସିକୁ ଅଧିକ କଠୋର ହେବାକୁ ପଡ଼ିବ ବୋଲି କୁହାଯାଉଛି। 

You might also like