‘ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା, ଖାଇବାକୁ ଦେଉନଥିଲା’

ଭୁବନେଶ୍ୱର: ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ରାସ୍ତାରୁ ସପ୍ତାହକ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ସହ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ବିବାହକୁ ନେଇ ବିବାଦରୁ ପୁଷ୍ପଲତା ରାଉଳ ନାମକ ୨୮ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଥିବା ଗତକାଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସ୍ପଷ୍ଟ କରିଥିଲେ।

ଦୋଷୀକୁ ଫାଶୀ ଦଣ୍ଡ ମିଳୁ ବୋଲି ମୃତ ପୁଷ୍ପଲତାଙ୍କ ମା’ ମିନତି ବାରିକ କହିଛନ୍ତି। ସେ କହିଛନ୍ତି, ‘ଅଭିଯୁକ୍ତ ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା, ଖାଇବାକୁ ଦେଉନଥିଲା। ମୁଁ ଲୁଚାଇକି ଝିଅ ପାଖକୁ ଟଙ୍କା ପଠାଉଥିଲି ଓ ସେହି ଟଙ୍କାରେ ସେ ଖାଏ। ଝିଅ ପୂର୍ବରୁ ବିବାହ କରିଥିଲା, ମୋ ପାଖରେ ତାର ୨ଟି ଝିଅ ଅଛନ୍ତି। ଏପରିକି ମନା କରିବା ସତ୍ତ୍ୱେ ମଧ୍ୟ ସେ ଆଉ ଜଣେ ପୁଅକୁ ବାହା ହୋଇଥିଲା। ବାହା ହେବା ପରେ ସେ ଦ୍ୱିତୀୟ ବିବାହ କରିଥିବା ପୁଅକୁ ଛାଡ଼ି ପୁଣି ଆସି ସଞ୍ଜୟ ପାଖରେ ରହିଥିଲା। ଏହି କାରଣ ପାଇଁ ମୁଁ ଝିଅକୁ ଘରେ ପଶିବା ପାଇଁ ଅନୁମତି ଦେଉନଥିଲି।’

ଝିଅର ମୃତ୍ୟୁ ଘଟିଥିବା ଜାଣି ଗାଁ ଲୋକଙ୍କ ଠାରୁ ଖବର ପାଇବା ସହ ତାର ପିନ୍ଧା ଶାଲ୍‌, ନାଇଟି ଦେଖି ଝିଅକୁ ଚିହ୍ନଟ କରିଥିଲି ବୋଲି ପୁଷ୍ପଲତାଙ୍କ ମା’ ମିନତି କହିଛନ୍ତି।

ବିବାହକୁ ନେଇ ବିବାଦରୁ ହୋଇଛି ପୁଷ୍ପଲତାଙ୍କୁ ଜଘନ୍ୟ ହତ୍ୟା। ଆଉ ହତ୍ୟାକାରୀ, ପୁଷ୍ପଲତାଙ୍କ ସହ ୬ ବର୍ଷ ଧରି ସଂପର୍କ ରଖିଥିବା ଗଂଜାମ ହୁମ୍ମା ଅଞ୍ଚଳର ସଂଜୟ ଦାସ ବୋଲି ଜଣାପଡ଼ିଛି।

You might also like