ଭୁବନେଶ୍ୱର ବିମାନ ବନ୍ଦରର ହେବ ନବକଳେବର

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରର ହେବ ନବକଳେବର। ନୂଆ ଓ ପୁରୁଣା ଟର୍ମିନାଲ୍‌କୁ ସଂଯୋଗ କରିବ ଲିଙ୍କ୍ ବିଲ୍ଡିଂ। ଟି-ୱାନ୍ ଓ ଟି-ଟୁ ଟର୍ମିନାଲ ସହ ଟି-ଥ୍ରୀ ଟର୍ମିନାଲ୍ ନିର୍ମାଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି।

କଳାତ୍ମକ ସୌଧ ଭାବେ ପରିଚିତ ଘରୋଇ ଟର୍ମିନାଲ୍ ୱାନ୍, ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ ପରେ ଏବେ ଦୁଇଟି ଟର୍ମିନାଲ୍‌କୁ ଯୋଡ଼ିବାର ପ୍ରୟାସ ଆରମ୍ଭ ହୋଇଛି। ଟର୍ମିନାଲ୍ ୱାନ୍ ଓ ଟର୍ମିନାଲ୍-ଟୁ କୁ ଯୋଡ଼ିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲିଙ୍କ୍ ବିଲ୍ଡିଂର ଶୁଭ ଦେଇଛନ୍ତି। ପ୍ରାୟ ୮୭ କୋଟି ଟଙ୍କା ବ୍ୟୟରେ ଏକ ବର୍ଷ ମଧ୍ୟରେ ଏହି ବିଲ୍ଡିଂ କାମ ଶେଷ ହେବ।

ସେହିଭଳି ପାରାଲାଲ୍ ଟ୍ୟାକ୍ସିଂ ଷ୍ଟାଣ୍ଡ୍‌ ଓ ୧୪୭ କୋଟି ଟଙ୍କା ବ୍ୟୟରେ ୮ଟି ନୂତନ ପାର୍କିଂ ବେ’ର ମଧ୍ୟ କେନ୍ଦ୍ରମନ୍ତ୍ରୀ ଶୁଭ ଦେଇଛନ୍ତି। ନୂତନ ଲିଙ୍କ୍ ବିଲ୍ଡିଂ ନିର୍ମାଣ ଶେଷ ହେବା ପରେ ଅନ୍ତର୍ଜାତୀୟ ବିମାନ ଟର୍ମିନାଲ୍-୨ରେ ଅବତରଣ କରିବ। ଯାତ୍ରୀମାନେ ଟର୍ମିନାଲ୍-ଟୁରେ ଥିବା ଏରୋବ୍ରିଜ୍‌ରେ ଓହ୍ଲାଇ ଲିଙ୍କ୍ ବିଲ୍ଡିଂ ମାଧ୍ୟମରେ ଟର୍ମିନାଲ୍ ୱାନ୍‌କୁ ଆସିବେ। ଟର୍ମିନାଲ୍ ୱାନ୍‌ରେ ଇମିଗ୍ରେସନ୍ ଓ କଷ୍ଟମ୍ସ କ୍ଲିଅରାନ୍ସ କରିବା ପରେ ପ୍ରସ୍ଥାନ କରିବେ।

୨୦୧୭-୧୮ ମସିହାରେ ଭୁବନେଶ୍ୱର ବିମାନବନ୍ଦରରୁ ପ୍ରାୟ ୨୦ ଲକ୍ଷ ଘରୋଇ ଯାତ୍ରୀ ଯିବାଆସିବା କରିଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ୯୩୫ କୋଟି ଟଙ୍କା ବ୍ୟୟରେ ଟର୍ମିନାଲ୍-ଥ୍ରୀର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଫଳରେ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀଙ୍କ ଯାତାୟତ ପାଇଁ ସୁ ବ୍ୟବସ୍ଥିତ ହୋଇପାରିବ ବୋଲି କର୍ତ୍ତୃପକ୍ଷ ଆଶା ବାନ୍ଧିଛନ୍ତି।

ବର୍ତ୍ତମାନ ପ୍ରତିଦିନ ଭୁବନେଶ୍ୱରରୁ ୪୯ଟି ବିମାନ ଯାତାୟତ କରୁଛି। ଭାରତର ୮ଟି ଓ ବିଦେଶର ୨ଟି ସହର ସହ ଭୁବନେଶ୍ୱର ବିମାନବନ୍ଦର ଯୋଗସୂତ୍ର ରକ୍ଷା କରୁଛି।

You might also like