କେମିତି ଭୁଶୁଡ଼ିଲା ବିମାନବନ୍ଦରର ନିର୍ମାଣାଧୀନ କୋଠାର ଛାତ ?

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତିରେ ଏକ ବଡ଼ ଧରଣର  ଅଘଟଣ ଘଟିଛି। ବିମାନବନ୍ଦର ପରିସରରେ ଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି।

ଦିଲ୍ଲୀପ କନ୍‌ଷ୍ଟ୍ରକସନ୍‌ ନାମକ ଏକ ସଂସ୍ଥା ଏହି ନିର୍ମାଣ କାର୍ଯ୍ୟ କରୁଥିଲା। ଅନ୍ୟପକ୍ଷରେ ଏହି ଦୁର୍ଘଟଣାକୁ ନେଇ ଅତି ଖାମ୍‌ଖିଆଲ ଢଙ୍ଗରେ ଠିକା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଦିଲୀପ ଖଟେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ବିଲ୍ଡିଂ କାମ କରିବା ପୂର୍ବରୁ ସୁରକ୍ଷାକୁ ନେଇ ସମସ୍ତ ପଦକ୍ଷେପ ନିଆଯାଇଥିଲା। କାମ ସରି ଯାଇଥିଲା। ସବୁ ଲୋକ ବିଲ୍ଡିଂରୁ ତଳକୁ ଓହ୍ଲାଇ ପଡ଼ିଥିଲେ। ସେମାନେ ଫେରିବା ପରେ ଏହି ଅଘଟଣ ଘଟିଥିଲା। ଅଧିକ ଓଜନ ପଡ଼ିବାରୁ ଏହା ଭୁଶୁଡ଼ି ପଡ଼ିଛି। ନିର୍ମାଣରେ କୌଣସି ନିମ୍ନମାନର କାମ ହୋଇନାହିଁ।”

ସେପଟେ ଓଡ଼ିଶା କଣ୍ଟ୍ରାକ୍ଟର ସଂଘର ସଭାପତି ପ୍ରଭାତ ଦାସ କହିଛନ୍ତି, “ଛାତ ଭୁଶୁଡ଼ିବାର ମୁଖ୍ୟ କାରଣ ହେଲା ସେଣ୍ଟ୍ରିଂ ଯଦି ଠିକ୍‌ ଭାବରେ ହୋଇନଥିବ ଅର୍ଥାତ୍ ମଜଭୁତ ହୋଇନଥିବ ଏବଂ ତା’ଉପରେ ଯେତେବେଳେ କାମ ଚାଲିଥିବ ସେତେବେଳେ ଏହା ଭୁଶୁଡ଼ି ପଡ଼ିବ।”

“ଏହି ଘଟଣା ପାଇଁ ଦୁଇ ଜଣ ହେଉଛନ୍ତି ମୁଖ୍ୟତଃ ଦାୟୀ ଜଣେ କଣ୍ଟ୍ରାକ୍ଟର ଓ ଅନ୍ୟ ଜଣେ ବିଭାଗର ଇଞ୍ଜିନିୟର। ଯଦି ନିମ୍ନମାନ କାମର ପ୍ରମାଣ ମିଳେ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ।” ବୋଲି ପ୍ରଭାତ ଦାସ କହିଛନ୍ତି। ଏହାସହ ସେ ବିମାନବନ୍ଦର ଭଳି ହାଇ ସିକ୍ୟୁରିଟି ଜୋନ୍ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସେଣ୍ଟ୍ରିଂ ପାଇଁ ଲୁହା ବିମ୍ ବଦଳରେ ବଲ୍ଲାର ବ୍ୟବହାର ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

You might also like