କରୋନାରେ ପ୍ରଥମ ମୃତ୍ୟୁ ନେଇ ଏମ୍ସର ପ୍ରତିକ୍ରିୟା

ଭୁବନେଶ୍ୱର: ରାଜ୍ୟରେ କରୋନାରେ ପ୍ରଥମ ମୃତ୍ୟୁ ନେଇ ଏମ୍ସ ପକ୍ଷରୁ ପ୍ରତିକ୍ରିୟା ଜାରି ହୋଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା। ଅନ୍ୟ ରୋଗୀଙ୍କ ସହ ରଖାନଯାଇ ଅଲଗା ଭାବେ ରଖାଯାଇଥିବା କହିଛନ୍ତି ଏମ୍ସ ଅଧୀକ୍ଷକ ଜବାହର ପିଲେ।

ମୃତ ବ୍ୟକ୍ତିଙ୍କର ନମୁନା RMRCକୁ ପରୀକ୍ଷଣ ପାଇଁ ପଠାଯାଇଥିଲା। ଏମ୍ସକୁ ସଂପୃକ୍ତ ବ୍ୟକ୍ତିଙ୍କର ରିପୋର୍ଟ ଆସିନଥିବା  ଅଧୀକ୍ଷକ ଜବାହର ପିଲେ କହିଛନ୍ତି।

କୋଭିଡି-୧୯ରେ ରାଜ୍ୟର ପ୍ରଥମ ମୃତ୍ୟୁ ହୋଇଛି। ମୃତକଙ୍କ ଘର ଝାରପଡ଼ା ଅଞ୍ଚଳରେ। ସେ ୪ ତାରିଖରୁ ଆକ୍ରାନ୍ତ ହୋଇ ଏମ୍‌ସରେ ଭର୍ତ୍ତି ହୋଇଥିଲେ।  ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ନମୁନା ଟେଷ୍ଟ ପାଇଁ ପଠାଇଯାଇଥିଲା। ଆଜି ନମୁନା ଆସିବା ପରେ ତାଙ୍କର କୋଭିଡ୍-୧୯ ପଜିଟିଭ୍‌ ଥିବା ଜଣାପଡ଼ିଛି।

ମୃତକଙ୍କୁ ୭୨ ବର୍ଷ  ବୟସ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ଏହା ପୂର୍ବରୁ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସେ କରୋନା ଭାଇରସରେ ସଂକ୍ରମଣ ହୋଇଥିବା ଜଣାପଡ଼ିଲା।

ଏହି ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ ଏବେ ଝାରପଡ଼ା ଅଞ୍ଚଳରେ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି। ଏଥିସହ ସଂପୃକ୍ତ ଅଞ୍ଚଳକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

You might also like