ଭୁବନେଶ୍ୱରରେ ୧୨, କଟକରେ ୩୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି  ଭୁବନେଶ୍ୱରରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣ ଲୋକାଲ କେସ୍ ବୋଲି ସୂଚନା ମିଳିଛି। ଡୁମଡୁମା ରଘୁନାଥ ନଗର ବସ୍ତିରୁ ୨ଜଣ, ସୁଖ ବିହାର ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଶ୍ରୀରାମ ନଗର, ନୀଳଦ୍ରି ବିହାର, ଜାଗମରା, ୟୁନିଟ୍ ୨ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଜଣେ ଆକ୍ରାନ୍ତ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଚିହ୍ନଟ ହୋଇଥିବା ଅନ୍ୟ ୪ଜଣ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟିନରେ ଥିବା ସୂଚନା ମିଳିଛି।

ସେହିଭଳି କଟକ ଜିଲ୍ଲାରେ ବି ଆଜି ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସିଏମ୍‌ସି(କଟକ ମହାନଗର ନିଗମ)। ଏମାନଙ୍କ ମଧ୍ୟରୁ ୭ଜଣ କଟକ ମହାନଗର ନିଗମ ଅଂଚଳର ବୋଲି ଜଣାପଡ଼ିଛି। ସହରରୁ ଚିହ୍ନଟ ସମସ୍ତ ୭ଟି ଯାକ କେସ୍ ଲୋକାଲ ସଂକ୍ରମଣ ବୋଲି ସୂଚନା ମିଳିଛି।

୭ଜଣଙ୍କ ମଧ୍ୟରୁ ୬ଜଣ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ କାଠଗଡା ସାହିର ଜଣେ ୩୩ ବର୍ଷ ବୟସ୍କା ମହିଳା, ଥୋରିଆର ସାହିର ୫୨ବର୍ଷର ପୁରୁଷ, ନୂଆପାଟଣାର ୨ ଜଣ ମହିଳା,  ମଙ୍ଗଳବାଗ ଓ ଜଗତପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମହାନଦୀ ବିହାର ଅଂଚଳରୁ ମଧ୍ୟ ଜଣେ ୪୦ ବର୍ଷିୟା ମହିଳା କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

You might also like