ରାଜ୍ୟରେ ଭାରତ ବନ୍ଦର ପ୍ରଭାବ; ରେଳ ରୋକ ସହ ଅଟକି ରହିଛି ବସ୍‌

ଭୁବନେଶ୍ୱର: ଆଜି ଭାରତ ବନ୍ଦ। କେନ୍ଦ୍ରର ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିରେ ଦେଶର ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଦେଶବ୍ୟାପୀ ପ୍ରତୀକାତ୍ମକ ଆନ୍ଦୋଳନ ଓ ବିକ୍ଷୋଭ କରିବେ ଚାଷୀ। ଏହି ସମୟରେ ଚକ ଅଖ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଆନ୍ଦୋଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଭାରତର ପ୍ରଭାବ ଦେଖିବାକୁ ମିଳିଛି। ରାୟଗଡ଼ା ଗୁଣପୁରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ଶ୍ରମିକ ସଂଗଠନ ଓ ବାମଦଳ ପକ୍ଷରୁ ରାସ୍ତା ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ରାଉରକେଲାରେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ଯୋଗୁଁ ରାଉରକେଲାରେ ବସ୍ ଚଳାଚଳ ବନ୍ଦ ରହିଛି। ଗୁଣୁପୁର ଓଭରବ୍ରିଜ୍ ଉପରେ ସିପିଏମ୍ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ବି ଚକ, ଅଖ ବନ୍ଦ ରହିଛି। ଭୁବନେଶ୍ୱର ଷ୍ଟେସନରେ ବାମ ଦଳଗୁଡ଼ିକ ପକ୍ଷରୁ ରେଳରୋକ ସହ ନୂଆ କୃଷି ଆଇନ ବିରୋଧରେ ନାରାବାଜି କରାଯାଇଛି। ମାଷ୍ଟର କ୍ୟାଣ୍ଟିନ ଛକରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରାଯାଇଛି। ଜୟଦେବ ବିହାର ଛକରେ ରାସ୍ତା ଅବରୋଧ ହୋଇ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏଠାରେ ଶତାଧିକ ଟ୍ରକ୍ ଅଟକି ରହିଛି।

ଚାଷୀଙ୍କ ଧର୍ମଘଟକୁ ସମର୍ଥନ କରିଛନ୍ତି କଂଗ୍ରେସ, ଏନ୍ସିପି, ଏସ୍‌ପି, ଆପ୍‌, ଡିଏମ୍‌କେ, ଶିବସେନା ସମେତ ଅଧିକାଂଶ ବିରୋଧୀ ଦଳ। ଏଣେ ପ୍ରସ୍ତାବିତ ଆନ୍ଦୋଳନକୁ ବିଶାଳକାୟ କରିବାକୁ ପୂରା ଦେଶରୁ ବଳ ଯୋଗାଡ଼ୁଛନ୍ତି ଚାଷୀ ସଂଗଠନ। ଡିସେମ୍ବର ୫ରେ ସରକାରଙ୍କ ସହ ଚାଷୀଙ୍କ ପଞ୍ଚମ ପର୍ଯ୍ୟାୟ ଆଲୋଚନାରେ ବି କୌଣସି ନିସ୍କର୍ଷ ବାହାରି ପାରିନଥିବାରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଐତିହାସିକ କରି ସରକାରଙ୍କ ଉପରେ ଚାପ ସୃଷ୍ଟି ଯୋଜନାରେ ଅଛନ୍ତି ଚାଷୀ।

ଅନ୍ୟପଟେ ଗତକାଲି ଚାଷୀ ଆନ୍ଦୋଳନକୁ ବିରୋଧୀଙ୍କ ସମର୍ଥନ ନେଇ ବର୍ଷିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ବିରୋଧୀମାନେ ଯୋଜନାବଦ୍ଧ ଭାବେ ଚାଷୀମାନଙ୍କୁ ଭ୍ରମିତ କରୁଛନ୍ତି ଡବଲ ଷ୍ଟାଣ୍ଡାର୍ଡ ନୀତି ଆପଣାଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ।

You might also like