ଶବ ନେବାକୁ ମନା କରିଦେଲେ ପରିବାର ଲୋକେ, କାନ୍ଧ ଦେଲେ ଉପଜିଲ୍ଲାପାଳ

ଭଞ୍ଜନଗର: କରୋନାରେ ମୃତ୍ୟୁ ହେବାପରେ ପର କରି ଦେଉଛନ୍ତି ଆପଣାର ଲୋକ। ଶବକୁ ଚାରି କାନ୍ଧ ଦେବା ତ ଦୂର କଥା ମୃତଦେହ ପାଖ ମଧ୍ୟ ମାଡ଼ୁ ନାହାନ୍ତି। ଏପରିକି ମୃତଦେହ ଛାଡ଼ି ଚାଲି ଯାଉଛନ୍ତି। ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। କୋଭିଡ୍‌ କେୟାର ସେଣ୍ଟରରେ ରୋଗୀର ମୃତ୍ୟୁ ହେବାପରେ ପରିବାର ଲୋକେ ଶବ ନେବାକୁ ମନା କରି ଦେଲେ। ଆତ୍ମୀୟ ସ୍ୱଜନ ଶବକୁ ନେବା ପାଇଁ ମନା କରି ଦେବା ପରେ ଦୀର୍ଘ ସମୟ ଶବ ପଡ଼ି ରହିଥିଲା। ଶେଷରେ ଖବରପାଇ ଭଞ୍ଜନଗର ଉପଜିଲ୍ଲାପାଳ ନିଜ ଷ୍ଟାଫଙ୍କ ସହ କୋଭିଡ୍‌ କେୟାର ସେଣ୍ଟରରେ ପହଞ୍ଚି ଶବକୁ ଧରି ଶ୍ମଶାନ ନେଇଥିଲେ ଓ ସେଠାରେ ଅନ୍ତିମ ସଂସ୍କାର କରିଥିଲେ।

ସୂଚନା ଅନୁସାରେ, ଭଞ୍ଜନଗର ଲଣ୍ଡେଇ ସାହିର କାଳି ଚରଣ ସାହୁ ଜ୍ୱରରେ ପୀଡିତ ଥିଲେ। ପରିବାର ଲୋକେ ତାଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅକ୍ସିଜେନ ମାତ୍ରା କମ୍‌ ଥିବା ଯୋଗୁ କୋଭିଡ କେୟାର ସେଣ୍ଟରରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ଶବକୁ ନେବାପାଇଁ ମନା କରିଦେବାରୁ ଦୀର୍ଘ ସମୟ ଧରି ଶବ ପଡ଼ି ରହିଥିଲା। ଖବରପାଇ ଭଞ୍ଜନଗର ଉପଜିଲ୍ଲାପାଳ ନିଜ ଷ୍ଟାଫଙ୍କ ସହ କୋଭିଡ୍‌ କେୟାର ସେଣ୍ଟରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ପିପିଇ କିଟ୍‌ ପିନ୍ଧି ଶବକୁ ଧରି ଶ୍ମଶାନ ନେଇଥିଲେ ଓ ବିଳମ୍ବିତ ରାତିରେ ସେଠାରେ ସେ ଅନ୍ତିମ ସଂସ୍କାର କରିଥିଲେ। ଉପଜିଲ୍ଲାପାଳଙ୍କ ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୂୟସୀ ପ୍ରଶଂଶା କରିଛନ୍ତି।

ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ରାଜ୍ୟରେ ପୁଣି ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ହଜାର ୬୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୫୭ ଜଣ ଚିହ୍ନଟ ହୋଇଥିବାବେଳେ କଟକ ଦ୍ୱିତୀୟ ସ୍ଥାନରେ ରହିଛି।

You might also like