ଲୋକଙ୍କ ସହ ମିଶି ମାଟି ହାଣି ଝୁଡ଼ିରେ ବୋହିଲେ ଭଦ୍ରକ ପିଡ଼ି

ମାଟି ହାଣିଲେ ପିଡ଼ି

ଭଦ୍ରକ(ପାର୍ଥ ସାରଥୀ ନାୟକ) ମୁଣ୍ଡରେ ପଗଡି ବାନ୍ଧି ଝୁଡ଼ି ସାହାଯ୍ୟରେ ମାଟି ବୋହିଲେ ଭଦ୍ରକ ପିଡି। ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଜଣେ ସରକାରୀ ଅଫିସର ଲୋକଙ୍କ ସହ ଆସି ନିଜେ କାମ କରିଛନ୍ତି,ତେଣୁ ପିଡ଼ିଙ୍କ କାମକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଶ୍ରମିକ ମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ଦିନ ମଜୁରିଆଙ୍କ ସହ କାମ କରିଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ। ଭଦ୍ରକ ଧାମରା ପଞ୍ଚାୟତର ଝାଡକଟା ଗ୍ରାମରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି।

ମାଟି ବୋହୁଛନ୍ତି ଭଦ୍ରକ ପିଡ଼ି

ଏମଜିଏନଆରଜିଏସ ପ୍ରକଳ୍ପରେ ଧାମରା ଝାଡ଼କଟା ଅଞ୍ଚଳରେ ଶ୍ରମିକ ମାନେ କାମ କରୁଥିଲେ। ମେସିନ ମାଧ୍ୟମରେ ଏମଜିଏନଆରଜିଏସ ପ୍ରକଳ୍ପ କାର୍ଯ୍ୟ ଗୁଡିକ ହେଉଥିବା ପିଡିଙ୍କ ନଜରକୁ ଆସିଥିଲା। ଆଉ ଏହି କାମକୁ ଦେଖିବା ପରେ ପିଡି ନିଜେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ପ୍ରକଳ୍ପରେ କିପରି ସ୍ୱଚ୍ଛତା ଅଣାଯାଇପାରିବ? ଶ୍ରମିକ ମାନେ କିପରି ନିଜେ କାର୍ଯ୍ୟ କରି ଦୁଇ ପଇସା ରୋଜଗାର କରିପାରିବେ ସେନେଇ ପିଡି ଆଲୋଚନା ମଧ୍ୟ କରିଥିଲେ। ଏହାସହ ଅଧିକ ପ୍ରୋତ୍ସାହନ ଯୋଗାଇବା ପାଇଁ ପିଡି ଗାଁ କୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରିଥିବା ନେଇ ସୂଚନା ମିଳିଛି।

ପିଡି ନିଜେ କୋଦାଳରେ ମାଟି ହାଣିବା ସହ ଝୁଡ଼ି ସାହାଯ୍ୟରେ ମୁଣ୍ଡରେ ମାଟି ବୋହି ରାସ୍ତା ବାନ୍ଧିଛନ୍ତି। ପିଡିଙ୍କ ଏଭଳି କାର୍ଯ୍ୟ ଦେଖି ଚାନ୍ଦବାଲି ବିଡ଼ିଓ ମଧ୍ୟ ମାଟି ହାଣୁଥିବାର ଚିତ୍ର ସାମ୍ନାକୁ ଆସିଛି। ଫଳରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି।

ଆଉ ସମ୍ପର୍କରେ ପିଡ଼ିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗତକାଲି ମୁଁ ଧାମରା ଯାଇଥିଲି। ସେଠାରେ ଗାଁ ଲୋକ କାମ କରୁଥିବା ଦେଖିଥିଲି। NRGS କାମ ବାବଦରେ ଦେଶ ଆଉ ଆମ ରାଜ୍ୟରେ କିଛି ଟଙ୍କା ଆସିପାରିନାହିଁ, କିନ୍ତୁ ଗାଁ ଲୋକ କାମ କରୁଥିବା ମୁଁ ଦେଖିଥିଲି। ସେମାନେ କାମ କରୁଥିଲେ ତେଣୁ ମୁଁ ବି ତାଙ୍କ ସହ କାମରେ ଲାଗିପଡିଲି ବୋଲି ପିଡ଼ି କହିଛନ୍ତି। ଏହାସହ ସ୍ଥାନୀୟ ଅଂଚଳରେ କାମ କରୁଥିବା ଶ୍ରମିକଙ୍କୁ ଏହାଦ୍ୱାରା ପ୍ରୋତ୍ସାହନ ମିଳିପାରିବ ବୋଲି ପିଡ଼ି କହିଛନ୍ତି।

ଆମେ ମଧ୍ୟ ଲୋକଙ୍କ ସହ କାନ୍ଧ ମିଳାଇ କାମ କରିବାର ଆବଶ୍ୟକତା ରହିଛି। ଆମେ ଯଦି ସେମାନଙ୍କ ସହ ନମିଶିବା ତେବେ କାମ କେମିତି ଆଗେଇବ ବୋଲି ସେ ପ୍ରଶ୍ନ କରିଛନ୍ତି? ଏହାସହ ଲୋକମାନଙ୍କ ଟଙ୍କାରେ ଆମେ ଦରମା ନେଉଛନ୍ତି, ତାଙ୍କ ସହ କାମ କଲେ କୌଣସି ଅସୁବିଧା ନଥିବା ପିଡ଼ି କହିଛନ୍ତି। ତେବେ ପିଡ଼ିଙ୍କର କାମ କରିବାର ସମୟର ଫଟୋ ବେଶ୍ ଭାଇରାଲ ହେଉଛି, ସ୍ଥାନୀୟ ଅଂଚଳର ଲୋକମାନେ ମଧ୍ୟ ତାଙ୍କୁ ପ୍ରଶଂସା କରୁଥିବା ଦେଖିବକୁ ମିଳିଛି।

You might also like