ଚଢେଇଙ୍କ ପାଇଁ ସମର୍ପିତ କୁନି ଝିଅ ମାମାଲି

ଗାଁ ମୁଣ୍ଡ ବର ଓ ଅଶ୍ୱସ୍ଥ ଗଛରେ ନିରୀହ ପକ୍ଷୀମାନଙ୍କ ଭୋକ ଶୋଷ ବୁଝି କରିଛି ସ୍ୱତନ୍ତ୍ର ବ୍ୟବସ୍ଥା

ଭଦ୍ରକ( ପାର୍ଥ ସାରଥୀ ନାୟକ) : ନିରୀହ ପକ୍ଷୀଙ୍କ ଅକୁଥା ବେଦନା ବୁଝେ କୁନି ଝିଅ । ଆଉ ତାକୁ ଦେଖିଲେ କିଚିରିମିଚିରି ଶବ୍ଦ କରି ଚଢ଼େଇମାନେ ଖାଇବାକୁ ମାଗନ୍ତି । ଶୋଷ ହେଉଥିଲେ ଥଣ୍ଟ ହଲେଇ ପାଣି ପିଇବା ପାଇଁ ମାଗନ୍ତି । ନିଦାଘ ଗ୍ରୀଷ୍ମରେ ନିଜର ବେଦନା ବଖାଣିବା ଆଗରୁ ନିରୀହ ପକ୍ଷୀମାନଙ୍କ ଶୋଷ ଓ ଭୋକ ମେଣ୍ଟାଇବା ପାଇଁ ଗଛ ଉପରେ କୁନି ଝିଅ ମାମାଲି ବାନ୍ଧି ଦେଉଛି ଖାଦ୍ୟ ଓ ପାନୀୟ ଜଳ । ତେବେ ମାମାଲିକୁ ଏହି କାମରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ତାଙ୍କ ବାପା । ଉଭୟ ବାପା ଓ ଝିଅ ମିଶି ପକ୍ଷୀସେବା କରୁଛନ୍ତି । ତେବେ ବାପାଝିଅଙ୍କ ଏଭଳି ନିଆରା ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବାୟାଁବନାପୁର ଗ୍ରାମର ଜ୍ୟୋତିଶଙ୍କର ପଣ୍ଡାଙ୍କ ଝିଅ ମାମାଲି ପଣ୍ଡା  । ବୟସ ମାତ୍ର ୯ ବର୍ଷ । ଜ୍ୟୋତିଶଙ୍କର ଭଣ୍ଡାରିପୋଖରୀ ବ୍ଲକରେ ହର୍ଟିକଲଚର ବିଭାଗରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି ।  ଅତି କମ୍ ବୟସରୁ ଜୀବନର ପ୍ରକୃତ ମୂଲ୍ୟ ବୁଝିନଥିବା ମାମାଲି ପଡ଼ିଛି ପକ୍ଷୀପ୍ରେମରେ । କୁନି ବୟସରୁ ପଶୁପକ୍ଷୀଙ୍କ ସେବା ପାଇଁ ନିଜକୁ ସମର୍ପିତ କରି ଦେଇଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢି ଚାଲିଥିବାବେଳେ ନିଜ ଗାଁ ମୁଣ୍ଡ ବର ଓ ଅଶ୍ୱସ୍ଥ ଗଛରେ ପକ୍ଷୀମାନଙ୍କ ପାଇଁ ନିୟମିତ ଖାଦ୍ୟ ପାନୀୟର ବ୍ୟବସ୍ଥା କରୁଛି ତାଙ୍କ ଝିଅ ।

ନିକଟରେ ଥିବା ହାଇଲେବୁଲ କେନାଲ ଓ ଗାଁ ପାର୍ଶ୍ୱରେ ଥିବା ସମସ୍ତ ଗାଡିଆ ପୋଖରୀ ଏବେ ଶୁଖି ଯାଇଥିବା ବେଳେ ପକ୍ଷୀମାନଙ୍କ କ୍ଷୁଧା ଓ ତୃଷ୍ଣା ନିବାରଣ ପାଇଁ ସତେ ଯେମିତି ମାମାଲି ଯେପରି ଦେବୀ ହୋଇ ଉଭା ହୋଇଛି । ବରଗଛ ଡାଳରେ ଷ୍ଟିଲପାତ୍ର ବାନ୍ଧି ପ୍ରତିଦିନ ସେଥିରେ ଚାଉଳ, ଭାତ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ରଖୁଛି । ଏହାସହ ପ୍ଲାଷ୍ଟିକ ପାତ୍ର ବାନ୍ଧି ପକ୍ଷୀମାନଙ୍କ ପାଇଁ ପାଣି ଭରୁଛି ।

ସେହିପରି ଗଛ ଡାଳରେ ରଖୁଥିବା ଖାଦ୍ୟ ଓ ପାନୀୟ ଜଳକୁ କୌଣସି ବିଷାକ୍ତ ଶରୀଶୃପ ଛୁଇଁ ନଦିଏ, ସେଥିପାଇଁ  ଘଡିକୁ ଘଡି ତୀକ୍ଷ୍ଣ ନଜର ରଖୁଛି ମାମାଲି । କେବଳ ଏତିକି ନୁହେଁ ଖରାରୁ ଚଢେଇ ବସାକୁ ରକ୍ଷା କରିବା ପାଇଁ ମଧ୍ୟ ଡାଳପତ୍ର ନେଇ ସେଗୁଡିକୁ ସଜାଡ଼ୁଛି । ମାମାଲିକୁ ଦେଖିବାମାତ୍ରେ ପକ୍ଷୀ ମାନେ ଖିଚିରି ମିଚିର ଶବ୍ଦ କରିଥାନ୍ତି । ଏହି ପକ୍ଷୀମାନଙ୍କ କିଚିରି ମିଚିର ରାବ ସତେ ଯେପରି ମାମାଲିଙ୍କୁ ହୃଦୟକୁ ଆନ୍ଦୋଳିତ କରିଦେଉଛି । ଯେଉଁଥିପାଇଁ ରାତି ପାହିଲେ ଗାଁ ମୁଣ୍ଡ ବରଗଛ ଡାଳରେ ବିଭିନ୍ନ କିସମର ପକ୍ଷୀମାନଙ୍କର ଖାଦ୍ୟପାନୀୟ ବ୍ୟବସ୍ଥା କରିବାକୁ ଦୌଡ଼ିଯାଉଛି ।

ତେବେ ଝିଅ ସହ ନିଜ କର୍ମମୟ ଜୀବନରୁ ସମୟ ବାହାର କରି ଗଛଡାଳରେ କିଚିରି ମିଚିରି ହେଉଥିବା ପକ୍ଷୀଙ୍କ ପାଇଁ ନିସ୍ୱାର୍ଥପର ଭାବେ ସମସ୍ତ ସୁବିଧା ସୁଯୋଗ ଯୋଗାଉଛନ୍ତି ଜ୍ୟୋତିଶଙ୍କର ପଣ୍ଡା । ପ୍ରଚଣ୍ତ ଖରା ଦାଉରୁ ରକ୍ଷା କରିବା ପାଇଁ ନିରୀହ ପକ୍ଷୀମାନଙ୍କ ହୃଦୟର କଥା ବୁଝି ଆଗେଇ ଆସିଛନ୍ତି ବାପ, ଝିଅ । କୁନି ଝିଅର ଏପରି କାର୍ଯ୍ୟକୁ ସାମାଜିକ କର୍ମୀ ମାନଙ୍କ ଠାରୁ ଗ୍ରାମବାସୀମାନେ ସାଧୁବାଦ ଜଣାଇଥିବାବେଳେ ନିରୀହ ପକ୍ଷୀମାନଙ୍କ ପାଇଁ ସେ ସମର୍ପିତ ହୋଇ ଅନେକ ଆତ୍ମତୃପ୍ତି ପାଉଥିବା ମାମାଲି କହିଛି  ।

 

 

 

 

 

You might also like