ଶିକୁଳିରେ ବନ୍ଧା ପଡ଼ିଛି ଜୀବନ : ଚାଳଘର ଆଗରେ ଛଳଛଳ ଆଖିରେ ବାପା ଗୋଡ଼ରେ ବେଡ଼ି ପକାଉଛି କୁନିଝିଅ

ଗୁହାରୀ କରୁଛି ବାପାଙ୍କୁ ମୋର ଭଲ କରିଦିଅ

ଭଦ୍ରକ( ପାର୍ଥସାରଥି ନାୟକ) : ବାପା ଗୋଡ଼ରେ ବେଡ଼ି ପକାଉଛି କୁନି ଝିଅ। ଚାଳଘର ଆଗରେ ଲୁହା ଶିକୁଳିର ବନ୍ଧା ପଡ଼ିଛି ଜୀବନ। ଆଜି ନୁହେଁ ଦୀର୍ଘ ୨ରୁ୩ ବର୍ଷ ହେଲା ଏମିତି ବନ୍ଧା ପଡ଼ିଛନ୍ତି ଭଦ୍ରକର ଖଗେନ୍ ନାୟକ। ଆଉ ଛଳଛଳ ଆଖିରେ ବାପାକୁ ଶିକୁଳିରେ ବାନ୍ଧିବାକୁ ବାଧ୍ୟ ଝିଅ। ହେଲେ ଏବୟସରେ ବି ସବୁକିଛି ବୁଝିପାରୁଛି ଟିକି ଝିଅ। ବାପାକୁ ଶିକୁଳି ଦେବା ପରେ ଘର ଭିତରକୁ ଯାଇ ନୀରବରେ ଆଖିରୁ ଲୁହ ଝରାଉଛି।

ଭଦ୍ରକ ବ୍ଲକ ରାହାଞ୍ଜ ପଞ୍ଚାୟତ ବାଇଶାସାହିର ଖଗେନ ନାୟକ। ପାଗଳ ମଣିଷ ଟିଏ। କେତେବେଳେ ଘର ପିଣ୍ଡାରେ ଥିବା ଖୁଣ୍ଟିକୁ ତବଲା କରି ବଜାଇ ନାନା ବାୟା ଗୀତ ଗାଉଛିଛନ୍ତି ତ ଆଉ କେତେବେଳେ ବାଟଗଲା ଲୋକଙ୍କୁ ନାନା କଥା ମଧ୍ୟ କହୁଛନ୍ତି।  ଦିନ ଥିଲା କୁଲି ମଜୁରୀ କରି ସେ ପରିବାର ଚଳାଉଥିଲେ। ହେଲେ ଏବେ ଆଉ ମୁଣ୍ଡ କାମ କରୁନି। କିଛି ବର୍ଷ ଧରି ମୁଣ୍ଡ ଖରାପ ହେବାରୁ କାମଦାମ କରିବା ତାଙ୍କ ପକ୍ଷେ ସମ୍ଭବପର ନୁହଁ। ଏବେ ମୁଣ୍ଡ ଅଧିକ ଖରାପ ହେବାରୁ ଘରେ ପରିବାର ଲୋକେ ତାଙ୍କୁ ଲୁହା ଶିକୁଳିରେ ବାନ୍ଧି ଦେଉଛନ୍ତି । 

ମୁଣ୍ଡ ଠିକ ନଥାଉ ବରଂ ସେ ଘରେ ଥାଆନ୍ତୁ। ମାନସିକ ଦୁର୍ବଳ ବାପା ଯେପରି କୁଆଡ଼େ ନପଳାଇ ଯାଆନ୍ତି, ସେଥିପାଇଁ ଦିନରାତି ଜଗିଛି କୁନିଝିଅ।  ବାପାର ସ୍ନେହ ସିନା ପାଉନି, ହେଲେ ବାପାକୁ ଜୀବନ ଠାରୁ ଅଧିକ ଭଲପାଉଛି। ଦର ଖଣ୍ଡି କଥାରେ କୁନି ଝିଛି କାନ୍ଦି କାନ୍ଦି କହୁଛି ବାପା ତାର ପାଗଳ । ସେ ଘରୁ ଯେପରି ପଳେଇ ନଯାଆନ୍ତି, ତେଣୁ ତାଙ୍କୁ ଆମେ ବାନ୍ଧି ରଖୁଛୁ।

ଘରର ଏକମାତ୍ର ରୋଜଗାରିଆ ମଣିଷ ବେଡ଼ିରେ ବନ୍ଧା ପଡ଼ିବା ପରେ ଘରେ ଖାଇବାକୁ ଦାନା ମୁଠେ ବୋଲି ନାହିଁ। ଦିନ ଦିନ ଧରି ଚୁଲି ଜଳୁନି। ପରିବାର ଚଳାଇବା ପାଇଁ ଖଗେନଙ୍କ ସ୍ତ୍ରୀ କୁନିଲତା ପର ଘରେ ମୂଲ ଲାଗୁଛନ୍ତି। ହେଲେ ଜଣେ ମଣିଷ ଯେତେ କାମ କଲେ ବି ୪ ପ୍ରାଣୀ କୁଟୁମ୍ବର ପେଟ ପୂରୁନି। ତେବେ ପାଖପଡୋଶୀ ଏହି ଗରିବ ଅସହାୟ ପରିବାରକୁ ପାରୁପର୍ଯ୍ୟନ୍ତ ସାହାଯ୍ୟ କରୁଛନ୍ତି। ହେଲେ ସେସବୁ ସମୁଦ୍ରକୁ ଶଙ୍ଖେ ପରି। ଗୋଟିଏ ପଟେ ୪ ପ୍ରାଣୀ କୁଟୁମ୍ବର ଭାର ଆଉ ଅନ୍ୟପଟେ ସ୍ୱାମୀଙ୍କ ଚିକିତ୍ସା। କ’ଣ କରିବେ ଚିନ୍ତା କରି କରି ଅଧୈର୍ଯ୍ୟ ହୋଇ ପଡ଼ିଛନ୍ତି କୁନିଲତା।

ପାଗଳ ସ୍ୱାମୀ ଓ ଦୁଇ ଝିଅଙ୍କୁ ନେଇ ଭଙ୍ଗା ଘରେ ତଳେ ବିତୁଛି। ଘରର ଅବସ୍ଥା କହିଲେ ନସରେ। ଭଙ୍ଗାଦଦରା ଚଳାଘରେ ମୁଣ୍ଡ ଗୁଞ୍ଜିଛନ୍ତି। ବର୍ଷା ଦିନ ପାଣି ଗଳୁଥିବାରୁ ଗାଁ ଲୋକଙ୍କ ସହାୟତାରେ ଘର ଉପରେ ଏକ ପାଲ ବନ୍ଧା ହୋଇଛି । ଏପରିକି ମାନସିକ ଦୁର୍ବଳ ବୋଲି ସାର୍ଟିଫିକେଟ୍ ନଥିବାରୁ ଭତ୍ତା ପାଇବାରୁ ମଧ୍ୟ ବଞ୍ଚିତ ଖଗେନଙ୍କ ପରିବାର। ତେବେ ଏନେଇ ଭଦ୍ରକ ବିଡିଓଙ୍କ ଠାରେ ଅଭିଯୋଗ ପରେ ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

You might also like