‘ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୁ ଉଠିବୁ ନାହିଁ’

ଧାନ କିଣା ପାଇଁ ରାସ୍ତା ରୋକ

ଭଦ୍ରକ:(ରିପୋର୍ଟ-ପାର୍ଥସାରଥୀ ନାୟକ) ଧାନ କିଣା ପାଇଁ ରାସ୍ତା ରୋକ । ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ସେବା ସମବାୟ ସମିତିରେ ଧାନ ବିକ୍ରୟ ଅନୁମତି ଦାବିରେ ରାସ୍ତା ରୋକ । ରାସ୍ତା ଉପରେ ଧାନ ବସ୍ତା ଓ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ରୋକ କରିଛନ୍ତି ଶତାଧିକ ଚାଷୀ । ଭଦ୍ରକ ଜିଲ୍ଲାର ଭଦ୍ରକ-ଚାନ୍ଦବାଲି ଓ ଭଦ୍ରକ ବାସୁଦେବପୁର ରାସ୍ତାର ଇଚ୍ଛାପୁର ଛକ ନିକଟରେ ରାସ୍ତାରୋକ କରିଛନ୍ତି ଶତାଧିକ ଚାଷୀ । ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

ସୂଚନାଯୋଗ୍ୟ, ଯେ ଭଦ୍ରକ ଜିଲ୍ଲା ବରହମପୁର ସେବା ସମବାୟ ସମିତିର ପଞ୍ଜିକୃତ ଚାଷୀ ମାନେ ରାସ୍ତା ରୋକ କରିଛନ୍ତି । ବରହମପୁର ସେବା ସମବାୟ ସମିତି ଅଧିନରେ ବରହମପୁର ଓ କେଦାରପୁର ପଞ୍ଚାୟତର ଚାଷୀମାନେ ପଞ୍ଜିକୃତ ହୋଇଛନ୍ତି । ତେବେ ପଞ୍ଜିକୃତ ହେବା ପରେ ଏମାନେ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗର ଲାଭ ଉଠାଇଥାନ୍ତି । କିନ୍ତୁ ଚଳିତବର୍ଷ ଚାଷୀମାନେ ସେବା ସମବାୟ ସମିତି ବଦଳରେ ବରହମପୁର ପଞ୍ଚାୟତ ପାଇଁ ନିତାଇଗୌର ସ୍ୱୟଂ ସହାୟିକା ଗୋଷ୍ଠୀ ଓ କେଦାରପୁର ପଞ୍ଚାୟତ ପାଇଁ ଓଁ ନମଃ ଶିବାୟ ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଇଛି ।

ତେବେ ଚାଷୀଙ୍କ ଅଭିଯୋଗ ଯେ,ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ କଲେ ଚାଷୀ ତାଙ୍କ ପ୍ରାପ୍ୟ ଠିକ ସମୟରେ ପାଇବେ ନାହିଁ ।ତେଣୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ପୁନଃ ସେବା ସମବାୟ ସମିତିକୁ ଧାନ ସଂଗ୍ରହ ଦାୟିତ୍ୱ ଦେବା ପାଇଁ ଦାବି କରିଛନ୍ତି । ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ରାସ୍ତା ରୋକ ଜାରି ରହିବ ଓ ଆନ୍ଦୋଳନ  ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ରାସ୍ତାରୋକ ପାଇଁ ଉଭୟ ପାର୍ଶ୍ଵରେ ଗାଡି ଗୁଡିକ ଅଟକି ରହିଛି ।

You might also like