ବାତ୍ୟା ପାଇଁ ଆରମ୍ଭ ହୋଇଛି ବର୍ଷା: ଏହି ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତର କଲାଣି ପ୍ରଶାସନ

ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ନୀଳଗିରି ଅଞ୍ଚଳରେ ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ନୀଳଗିରି ଏନ୍ଏସିର ୨ ନମ୍ବର ୱାର୍ଡ ଅନ୍ତର୍ଗତ ଘାଟଘର ସାହିରେ ଏବେ ବି ଲୋକେ ମାଟି ଘରେ ଅସୁରକ୍ଷିତ ଭାବେ ରହୁଛନ୍ତି। କିନ୍ତୁ ସେମାନଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନି। କେବଳ ମାଇକ୍‌ରେ ପ୍ରଚାର କରି କାମ ସାରି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ବାତ୍ୟାକୁ ଆଖି ଆଗରେ ରଖି ବାଲେଶ୍ୱର ଜିଲ୍ଲାର ସୋର ଏବଂ ବାହାନଗା ବ୍ଲକର ସମୁଦ୍ରକୂଳିଆ ଅଞ୍ଚଳବାସୀଙ୍କୁ ପ୍ରଶାସନ ସ୍ଥାନାନ୍ତର କରିଛି। ତଳିଆ ଅଞ୍ଚଳରେ ରହୁଥିବା ପ୍ରାୟ ୬ ହଜାର ଲୋକଙ୍କୁ ସ୍ଥାନାନ୍ତର ସରିଲାଣି। ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଭଳି ସୁରକ୍ଷିତ ସ୍ଥାନକୁ ଏମାନଙ୍କୁ ନିଆଯାଇଛି।
ନିଜେ ବାହାନଗା ତହସିଲଦାର ଘର ଘର ବୁଲି ଲୋକଙ୍କୁ ସତର୍କ କରାଉଛନ୍ତି। ପୋଲିସ, ଅଗ୍ନିଶମ କର୍ମଚାରୀ, ଓଡ୍ରାଫ ଟିମ୍‌କୁ ଏଥିରେ ନିୟୋଜିତ କରାଯାଇଛି।

ସେହିଭଳି ଭଦ୍ରକ ଜିଲ୍ଲା ବାସୁଦେବପୁର ଓ ଚାନ୍ଦବାଲି ବ୍ଲକରୁ ୨ ହଜାର ଲୋକଙ୍କୁ ସୁରକ୍ଷିତ ଜାଗାକୁ ନିଆଯାଇଛି। ଏମାନଙ୍କୁ ନିକଟସ୍ଥ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ବାତ୍ୟା ବିପଦକୁ ଦେଖି ଜୀବନ ହାନି ଏଡ଼ାଇବା ପାଇଁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ନିଆଯାଇଥିବା ଜିଲ୍ଲାପାଳ ଜ୍ଞାନ ଦାସ କହିଛନ୍ତି।

You might also like