ସାବଧାନ ! ସୋସିଆଲ ମିଡିଆରେ ନଗ୍ନ ଭିଡିଓ କଲିଂ ମାଧ୍ୟମରେ ଚାଲିଛି ବ୍ଲାକମେଲିଂ

ଭୁବନେଶ୍ୱର : ସାବଧାନ୍ ! ରାଜ୍ୟରେ ମାତିଛନ୍ତି ସାଇବର ଅପରାଧୀ । ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କୁ ଲୁଟି ଚାଲିଛନ୍ତି ।  ଅନଲାଇନ୍ ଠକେଇର ଚେର ଧୀରେ ଧୀରେ ରାଜ୍ୟର ଚାରିଆଡ଼କୁ ମାଡ଼ିବାକୁ ବସିଛି । ଯୁବଗୋଷ୍ଠୀଙ୍କୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ବ୍ଲାକମେଲ କରି ଟଙ୍କା ଲୁଟିବା ପାଇଁ ଭିନ୍ନ ତରିକା ଆପଣାଉଛନ୍ତି ସାଇବର ଅପରାଧୀ । ଦିନକୁ ଦିନ ବଢ଼ି ଚାଲିଥିବା ସାଇବର ଅପରାଧ ପୁଲିସର ମୁଣ୍ଡବ୍ୟଥାର କାରଣ ସାଜିଛି । ସାଇବର ଅପରାଧୀ ଲୋକଙ୍କୁ ଠକିବାକୁ ଭିନ୍ନ ଭିନ୍ନ ତରିକା ଆପଣଉଥିବାରୁ ସେମାନଙ୍କୁ ଧରିବା ପୁଲିସ ପାଇଁ ବଡ ଚାଲେଞ୍ଜ ହୋଇଛି ।

ଡିଜିଟାଲ୍ ବିପ୍ଳବର ଯୁଗରେ, ସାଇବର ବିପଦର ଆଶଙ୍କା ମଧ୍ୟ ବହୁଗୁଣିତ ହୋଇଯାଇଛି । ସୋସିଆଲ ମିଡ଼ିଆ ଆପ୍ ମାଧ୍ୟମରେ ଖୁବ ସହଜରେ ଫସିଯାଉଛନ୍ତି ଯୁବଗୋଷ୍ଠୀ । ନଗ୍ନ ଫଟୋ, ଭିଡ଼ିଓ ଆଦି ଦେଇ ୧୮ ବର୍ଷ କିମ୍ବା ୧୮ ବୟସରୁ କମ୍ ପିଲାଙ୍କୁ ସହଜରେ ଶିକାର ବନେଇ ନେଉଛନ୍ତି ସାଇ‍ବର ଅପରାଧୀ । ପ୍ରଥମେ ମିଠାମିଠା କଥା କୁହନ୍ତି, ଆଉ ତା’ପରେ ଭାବପ୍ରବଣତାର ସୁଯୋଗ ନେଇ ମନଇଚ୍ଛା କାମ କରନ୍ତି । ଥରେ ତାଙ୍କ କଥା ଅନୁସାରେ କାମ କଲେ ଆରମ୍ଭ ହୋଇଯାଏ ବ୍ଲାକେମଲିଂର ଘୃଣ୍ୟ ଖେଳ ।

ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ଇମେଲ ମାଧ୍ୟମରେ ସୋସିଆଲ ମିଡ଼ିଆ ୟୁଜରଙ୍କୁ ବ୍ଲାକମେଲ୍ କରୁଛନ୍ତି ସାଇବର ଅପରାଧୀ । ୟୁଜରଙ୍କ ପ୍ରୋଫାଇଲ, ଲଗଇନ ବିବରଣୀ କିମ୍ବା ଅଶ୍ଳୀଳ ୱେବସାଇଟ୍ ପରିଦର୍ଶନ କରିଥିବା ସମ୍ପର୍କରେ ସେମାନେ ଅବଗତ ଥିବା କହି ପ୍ରଥମେ ବିଶ୍ୱାସ ଜନ୍ମାନ୍ତି  । ଆଉ ପରବର୍ତ୍ତୀ ସମୟରେ ଏସବୁକୁ ବାହାରେ ପ୍ରଘଟ ନକରିବା ପାଇଁ ମୋଟା ଅଙ୍କର ଟଙ୍କା ଦାବି କରନ୍ତି  ।

ତେବେ ସାଧାରଣତଃ ଫେସବୁକରେ ଆଜିକାଲି ଆରମ୍ଭ ହେଉଛି ଏହି ବ୍ଲାକମେଲିଂ ଖେଳ ।  ନକଲି ଆଇଡି ତିଆରି କରି ଜାଲ ବିଛାଉଛନ୍ତି ସାଇବର ଠକ  । ଏହି ଭୟଙ୍କର ଅନଲାଇନ ଠକମାନେ ଏକ ସୁନ୍ଦର ଝିଅର ଫଟୋକୁ ପ୍ରୋଫାଇଲ୍ ଚିତ୍ର ଭାବରେ ବ୍ୟବହାର କରି ସୋସିଆଲ ମିଡ଼ିଆ ବ୍ୟବହାରୀଙ୍କୁ ଟାର୍ଗେଟ କରନ୍ତି । ଅପରାଧୀମାନେ ସାଧାରଣତଃ ଚାର୍ଟରୁ କଥାବାର୍ତ୍ତା ଆରମ୍ଭ କରି ସେକ୍ସ ଚାର୍ଟରେ ପହଞ୍ଚିଯାଆନ୍ତି । ଶେଷରେ କଳେବଳେ କୌଶଳେ  ନଗ୍ନ ଭିଡିଓ କଲ୍ କରିବା ପାଇଁ ୟୁଜରଙ୍କୁ ବାଧ୍ୟ କରନ୍ତି  । ଦୁର୍ଭାଗ୍ୟବଶତଃ ୟୁଜର ଯଦି ଏଥିରେ ରାଜି ହୋଇଯାଆନ୍ତି, ତେବେ ଏଇଠି କଥା ଶେଷ ହୋଇଯାଏ ।

ଆଉ ଏଇଠୁ ସା‍ଇ‍ବର ଅପରାଧୀ ଆରମ୍ଭ କରନ୍ତି ବ୍ଲାକମେଲିଂର ଖେଳ । ପୀଡିତଙ୍କୁ ବ୍ଲାକମେଲ କରିବା ସହ ଭିଡିଓକୁ ସାର୍ବଜନୀନ କରିବାର ଧମକ ଦେଇ ଟଙ୍କା ଦାବି କରନ୍ତି । ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି, ୭୦ ପ୍ରତିଶତରୁ ଅଧିକ  ୧୮ ବର୍ଷରୁ କମ୍ , ୧୪ ପ୍ରତିଶତ ନାବାଳକ ଏବଂ ବୟସ୍କ ପୀଡିତ  ଏବଂ ୧୨ ପ୍ରତିଶତ ମାମଲା କେବଳ ବୟସ୍କ ଏହି ପ୍ରକାରର ଠକାମୀର ଶିକାର ହେଉଛନ୍ତି  ।

ତେବେ ଏସମ୍ପର୍କରେ ବିଶେଷଜ୍ଞ ପ୍ରଶାନ୍ତ ସାହୁ କହନ୍ତି, କୌଣସି ଅଜଣା ବ୍ୟକ୍ତିଙ୍କ ସହ ସୋସିଆଲ ମିଡ଼ିଆରେ ନଗ୍ନ ଭିଡ଼ିଓ କଲ କରିବାରୁ ନିବୃତ୍ତ ରୁହନ୍ତୁ । କାରଣ ଦୁର୍ବଳ ମୁହୂର୍ତ୍ତର ସୁଯୋଗ ନେଇ ନଗ୍ନ ଭିଡିଓ କଲ୍ ସମୟରେ ସାଇବର ଅପରାଧୀ ସ୍କ୍ରିନସଟ୍ ନେବା ସହ ଭିଡିଓ ରେକର୍ଡ କରିନିଅନ୍ତି । ଆଉ ସମୟ ସୁଯୋଗ ଦେଖି ମୋଟା ଅଙ୍କର ଟଙ୍କା ଦାବି କରନ୍ତି । ତେଣୁ ଯେତେବେଳ ଆପଣଙ୍କ ପାଖକୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ଆସେ, ପ୍ରଥମେ ତାଙ୍କର  ପ୍ରୋଫାଇଲ , ପୋଷ୍ଟ ସଂଖ୍ୟା ଏବଂ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିବା ନିହାତି ଆବଶ୍ୟକ । ଯାଂଚ କରିବା ପରେ ହିଁ ସୋସିଆଲ ମିଡ଼ିଆରେ ବନ୍ଧୁତା କରନ୍ତୁ ।

You might also like