ସାବଧାନ ! ଶୋଇଥିବା ବେଳେ ହଠାତ୍ ମୋବାଇଲ୍‌କୁ ଆସିବ ମେସେଜ୍‌, ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ୱର: କାହାକୁ ଓଟିପି ମାଗି, ତ ଆଉ କାହାକୁ ଲିଙ୍କରେ କ୍ଲିକ୍ କରିବାକୁ କହି, ଆଖି ପିଛୁଳାକେ ଆକାଉଣ୍ଟ୍ ଖାଲି କରିଦେଉଛନ୍ତି ସାଇବର୍ ଠକ। ହେଲେ ଭୁବନେଶ୍ୱରରୁ ଠକାମୀର ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏଠାରେ ଓଟିପି କାହାକୁ ନଦେଇ ମଧ୍ୟ ୭୧ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି ବ୍ୟକ୍ତି।

ଥରେ ଭାବନ୍ତୁ ତ, ଆପଣ ନିଘୋଡ଼ ନିଦରେ ଶୋଇଥିବେ। ବିଳମ୍ବିତ ରାତିରେ ଆପଣଙ୍କ ମୋବାଇଲ୍‌କୁ ଗୋଟିଏ ପରେ ଗୋଟିଏ ମେସେଜ୍ ଆସିବ। ଆଉ ସକାଳୁ ଉଠି ଜାଣିବେ ଯେ ଆପଣଙ୍କ କ୍ରେଡିଟ୍ କାର୍ଡରୁ ରାତାରାତି ହଜା ହଜାର ଟଙ୍କାର ସପିଂ ହୋଇଛି। ତେବେ ଆପଣଙ୍କୁ କେମିତି ଲାଗିବ ?

ଏହିଭଳି ଭାବରେ ଠକାମିର ଶିକାର ହୋଇଛନ୍ତି ଭୁବନେଶ୍ୱରର ମନୋଜ ବାଡ଼ତ୍ୟା ନାମକ ଜଣେ ବ୍ୟକ୍ତି। ନା ସେ କୌଣସି ଲିଙ୍କରେ କ୍ଲିକ୍ କରିଛନ୍ତି, ନା କାହାକୁ OTP ଦେଇଛନ୍ତି, ତଥାପି ତାଙ୍କର ୨ଟି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡରୁ ୭୧ ହଜାର ଟଙ୍କାର ଏକାଧିକ ବେନାମୀ ସପିଂ ହୋଇଛି। ତା ପୁଣି ଭୋର୍ ୩ଟାରୁ ୪ଟା ଭିତରେ। ନଭେମ୍ବର ୧୧ ତାରିଖରେ ମନୋଜଙ୍କ ଆକାଉଣ୍ଟରୁ ଏପରି ଲୁଟ୍ ହୋଇଥିଲା।

ତେବେ ସମସ୍ତ ଓଟିବି ଓ ଟ୍ରାଞ୍ଜାକ୍ସନର ସ୍କ୍ରିନ୍‌ ଶଟ୍‌କୁ ଦେଖିଲେ ସମସ୍ତ ଟ୍ରାଞ୍ଜାକ୍ସନ ଆମାଜନ୍ ପେ ଇଣ୍ଡିଆ ସହିତ ହୋଇଛି। ତେବେ ଏହି ଘଟଣାର କିଛି ଦିନ ପୂର୍ବରୁ ମନୋଜ ଆମାଜନ୍‌ରୁ ସପିଂ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରିଥିଲେ। ସେତେବେଳେ ହିଁ କିଛି ଗଡ଼ବଡ଼ ହୋଇଥିବା ସେ ଆଶଙ୍କା କରୁଛନ୍ତି।

 

ଏନେଇ ମନୋଜ ବାଡ଼ତ୍ୟା କହିଛନ୍ତି ” ଗୋଟିଏ ସମୟରେ ମୋର ଦୁଇଟି କ୍ରେଡିଟ୍ କାର୍ଡରୁ ୭୧ ହଜାର ଟଙ୍କାରୁ ଟ୍ରାଞ୍ଜାକ୍ସନ ହୋଇଯାଇଛି। ପେମେଣ୍ଟ କରିବାକୁ ବ୍ୟାଙ୍କ ବାରମ୍ବାର ଫୋନ୍‌ କରୁଛନ୍ତି। ପୋଲିସକୁ କହିଲାବେଳକୁ ସେମାନେ କିଛି କରୁ ନାହାନ୍ତି ତେଣୁ ମୋର ମେଣ୍ଟାଲ୍ ଟ୍ରେସ୍‌ ବଢ଼ିଗଲାଣି।‌ ”

ତେବେ ଖାଲି ମନୋଜ କାହିଁକି? ଆପଣ ବି ଏଭଳି ସାଇବର୍ ଠକେଇର ଶିକାର ହୋଇପାରନ୍ତି। କାରଣ ଡାର୍କେଓ୍ୱବକୁ ୧୦ କୋଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟ ଲିକ୍ ହୋଇଛି। ପୂରା ନାଁ, ଫୋନ୍ ନମ୍ବର, ଇମେଲ୍ ଆଡ୍ରେସ୍ ଏବଂ କାର୍ଡର ପ୍ରଥମ ଓ ଶେଷ ୪ଟି ସଂଖ୍ୟା ଲିକ୍ ହୋଇଯାଇଥିବା କୁହାଯାଉଛି, ଆଉ ଏହାକୁ ବ୍ୟବହାର କରି  ସାଇବର୍ ଅପରାଧୀମାନେ ସହଜରେ ଟଙ୍କା ଗାଏବ୍ ଓ ଅଜାଣତରେ ସପିଂ ରପୁଛନ୍ତି ବୋଲି ଆଶଙ୍କା କରାଯାଉଛି। ଆମାଜନ୍, ମେକ୍ ମାଇଁ ଟ୍ରିପ୍ ଓ ସ୍ୱିଗି ଆଦିର ପେମେଣ୍ଟ୍ ପ୍ଲାଟ୍‌ଫର୍ମ ଜସ୍‌ ପେରୁ ଏହି ତଥ୍ୟ ଲିକ୍ ହୋଇଥିବା କୁହାଯାଉଛି।

ଏଭଳି ସାଇବର ଠକାମୀ ସମ୍ପର୍କରେ ଅବଗତ କରି ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହୁଛନ୍ତି “ଯଦି ଆପଣଙ୍କ କାର୍ଡର ସମସ୍ତ ତଥ୍ୟ ଲିକ୍‌ ହୋଇଯାଇଛି ବୋଲି ଆପଣ ଭାବୁଛନ୍ତି ତେବେ ଆପଣ କ୍ରିଡିଟ୍‌କାର୍ଡ କମ୍ପାନୀଙ୍କୁ ଫୋନ୍ କରି ଇଣ୍ଟରନ୍ୟାସନାଲ ଯୁସେଜ୍‌କୁ ବନ୍ଦ କରିଦେବା ଦରକାର ବା କାର୍ଡ ବଦଳାଇବା ଦରକାର।”

ସେହିପରି ଠକାମୀରେ ଶିକାର ହୋଇଥିବା ଆଉ ଜଣେ ବ୍ୟକ୍ତି ହେଲେ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳର ରାମଚନ୍ଦ୍ର ପୃଷ୍ଟି।  ତାଙ୍କୁ ସାଢ଼େ ୪ ହଜାର ଟଙ୍କାର ଗୁଗୁଲ୍ ପେ ରିଓ୍ୱାର୍ଡ୍ ପାଇବା ପ୍ରଲୋଭନ ଦେଖାଇ ଲିଙ୍କରେ କ୍ଲିକ୍ କରିବାକୁ କହି ତାଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟରୁ ୫୨ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

 

ଏନେଇ ରାମଚନ୍ଦ୍ର କହିଛନ୍ତି ” ଗୁଗଲ ପେର ରିୱାର୍ଡ ପାଇବା ପାଇଁ ଫୋନ୍ କରି ଜଣେ ଗୁଗଲ ପେ ଓପନ କରିବାକୁ କହିଲେ, ମୁଁ ଗୁଗଲ ପେ ଓପନ କଲି ତାଙ୍କ କହିବା ଅନୁସାରେ ଡବ୍ଲୁ ଅପ୍‌ସନ୍‌ ଉପରେ କ୍ଲିକ୍ କରିବା ପରେ ଟଙ୍କା କଟିଗଲା।”

ସାଇବର ଠକାମୀ ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ କହୁଛି, ଗତବର୍ଷ ଦେଶରେ କୋଲକତାରୁ ସର୍ବାଧିକ ୧୫ କୋଟି ଟଙ୍କା ସାଇବର୍ ଠକେଇ ହୋଇଥିବା ବେଳେ, ଓଡ଼ିଶାରେ ୬୨ ଲକ୍ଷରୁ ଅଧିକ ଟଙ୍କା ଗାଏବ ହୋଇଛି। ଏଭଳି ଅପରାଧ ରୋକିବାକୁ ମନ୍ତ୍ରାଳୟ ପକ୍ଷରୁ ସାଇବର୍ ସେଫ୍ ପୋର୍ଟାଲ୍ ତିଆରି କରାଯାଇ, ସେଥିରେ ଦେଶର ସବୁ ବ୍ୟାଙ୍କ୍, ଫୋନ୍ ସେବା ପ୍ରଦାନକାରୀ ସଂସ୍ଥା ଓ ସୁରକ୍ଷା ସଂସ୍ଥାକୁ ଯୋଡ଼ାଯାଇଛି। ଏହା ଦ୍ୱାରା ଏଯାବତ୍ ଠକେଇ ଲିଙ୍କରେ ୨୫ ହଜାର ମୋବାଇଲ୍ ନମ୍ବର ବ୍ୟାନ୍ କରାଗଲାଣି।

ସାଇବର ଠକାମୀ ସମ୍ପର୍କରେ ସଚେତନ କରାଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି “ଯଦି ଆପଣଙ୍କ ଏପରି ଫ୍ରଡ୍ କଲ୍‌ ଆସୁଛି ତେବେ ତୁରନ୍ତ ଜଣାନ୍ତୁ ଏବଂ ସେହି ନମ୍ବର ଦିଅନ୍ତୁ। ଆମେ ସେହି ନମ୍ବର ରିପୋର୍ଟ କରିଦେବୁ। ଫଳରେ ଅନ୍ୟ ଲୋକମାନେ ଠକାମୀରୁ ରକ୍ଷା ପାଇଯିବେ। ”

You might also like