୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୁରୀ: ବାକି ଥିବା ୬୦ ଟଙ୍କା ମାଗିବାରୁ ପାନ ଦୋକାନୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୁରୀ ସହରର ମୋଚିସାହି ଛକରେ ବଳରାମ ମହାପାତ୍ର ନାମକ ଯୁବକଙ୍କୁ ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ମୋଚିସାହି ଛକରେ ଦୁଇ ଭାଇ ପାନ ଦୋକାନ କରିଥିବା ବେଳେ ଜଣେ ଯୁବକ ବଡ଼ ଭାଇଙ୍କ ଠାରୁ ୬୦ ଟଙ୍କା ବାକି ନେଇଥିଲେ। ସମ୍ପୃକ୍ତ ଯୁବକଙ୍କୁ ବାକି ଟଙ୍କା ମାଗିବାରୁ ୨ ଭାଇଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ପରେ ଯୁବକ ଜଣକ ମାରଣାସ୍ତ୍ରରେ ସାନ ଭାଇ ବଳରାମଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

ଆକ୍ରମଣକାରୀ ମୋଚିସାହି ଛକରୁ ଅର୍ବାନ ବ୍ୟାଙ୍କ ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ବଳରାମଙ୍କୁ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପକ୍ଷେ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି।

You might also like