ନାବାଳକକୁ ଅପହରଣ ପରେ ହତ୍ୟା ! ଅଭିଯୁକ୍ତ ଅଟକ , ଜେରା କରୁଛି ପୁଲିସ

ବ୍ରହ୍ମପୁର: ଫେସବୁକରୁ ବନ୍ଧୁତା। ଆଉ ତାପରେ ସେହି ସୋଶାଲ୍ ସାଇଟ୍ ସଂପର୍କରୁ ପ୍ରେମ। ତାକୁ ଗ୍ରହଣ ନ କରିବାରୁ ମହିଳାଙ୍କ ନାବାଳକ ପୁଅକୁ ନୃଶଂସ ଭାବେ ହତ୍ୟା।

ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁରରେ। ଏହି ଘଟଣାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାକୁ ଗିରଫ କରାଯାଇଛି। ପୁଲିସର ସୂଚନା ଅନୁସାରେ ବ୍ରହ୍ମପୁରର ଜଣେ ମହିଳାଙ୍କ ସହିତ ଫେସବୁକରୁ ବନ୍ଧୁତା କରିଥିଲେ ଯାଜପୁର ଅଞ୍ଚଳର ଦେବାଶିଷ ପଣ୍ଡା।

ପରେ ସେହି ମହିଳାଙ୍କୁ ଭଲ ପାଇ ବସିଥିଲେ ସଂପୃକ୍ତ ଯୁବକ। କିନ୍ତୁ ଏହାକୁ ଗ୍ରହଣ କରିନଥିଲେ ସେହି ମହିଳା। ତେଣୁ ପ୍ରତିଶୋଧ ନେବାକୁ ଯାଇ ମହିଳାଙ୍କ ନାବାଳକ ପୁଅକୁ ଅପହରଣ ପରେ ଦେବାଶିଷ ପଥରରେ ଛେଚି ହତ୍ୟା କରିଛି।

ନାବାଳକର ମୃତଦେହ ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ତାରା ତାରିଣୀ ପାହାଡ଼ ପାଦଦେଶରୁ ମିଳିଛି। ଗତ ୧୨ ତାରିଖରୁ ୭ ବର୍ଷୀୟ ଶିଶୁଟିକୁ ଅପହରଣ କରାଯାଇଥିବା ବ୍ରହ୍ମପୁର ଗୋଷଣୀ ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା।

ଶିଶୁଟିକୁ ସ୍କୁଲରେ ଛାଡ଼ିବା ବାହାନାରେ ଅଭିଯୁକ୍ତ ତାକୁ ଅପହରଣ କରିଥିବା ମାଆ ଅଭିଯୋଗ କରିଥିଲେ। ଅଭିଯୁକ୍ତକୁ ସମ୍ବଲପୁର ଡୁମୁରିପାଲିରୁ ଗିରଫ କରିଛି ପୁଲିସ।

 

You might also like