ଅଧାପନ୍ତରିଆ ସେତୁ: ହନ୍ତସନ୍ତ ହେଉଛନ୍ତି ଲୋକେ

କେବେ ସରିବ କାମ?

ଯାଜପୁର(ଗୁଲାମ ଗସ୍ ): ଅଧପନ୍ତରିଆ ଅବସ୍ଥାରେ ପଡିରହିଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ବିଜୁ ସେତୁ। ନିର୍ମାଣ ଅବଧି ଶେଷ ହେବାର ୨ ବର୍ଷ ପୂରିବାକୁ ବସିଥିଲେ ବି ଏବେଯାଏ ସରିପାରୁନି କାମ। ୭ଟି ସ୍ପାନରୁ ମାତ୍ର ୨ ଟି ସ୍ପାନ୍ ରେ ଅଟକିଛି ସେତୁ ନିର୍ମାଣ କାମ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। କେବେ ସରିବ କାମ, କେବେ ମିଳିବ ସେତୁର ଲାଭ, ସେନେଇ ଆଶା ଆଶଙ୍କାରେ ଆଖପାଖ ପଂଚାୟତବାସିନ୍ଦା।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ବିଜୁ ସେତୁରେ। ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ବ୍ରାହ୍ମଣୀ ନଦୀ ଉପରେ ୨୦୧୬ ମସିହା ଡିସେମ୍ବର ୨୪ ତାରିଖରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅଟକଳରେ ୨୦୧୯ ଏପ୍ରିଲ ୧୫ ସୁଦ୍ଧା କାମ ଶେଷ ନେଇ ଧାର୍ଯ୍ୟ ବି କରାଯାଇଥିଲା। ହେଲେ ଅବଧି ଶେଷର ୨ ବର୍ଷ ପୁରିବାକୁ ବସିଥିଲେ ବି ଏବେଯାଏ ଲଟକିଛି ନିର୍ମାଣ କାମ। ସେତୁର ୭ଟି ସ୍ପାନ୍ ମଧ୍ୟରୁ ତିଆରି ହୋଇଛି ମାତ୍ର ୨ଟି ସ୍ପାନ୍। ଏନେଇ ଅଂଚଳବାସୀ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ମିଳୁନି। ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ।

ତେବେ ଏନେଇ ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ, ଆମେ ବ୍ରିଜ୍‌ ସଂପର୍କରେ ଅନେକ ଥର ଏମପିଙ୍କୁ ମଧ୍ୟ କହିଥିଲୁ। ସେ କହିଲେ ହଁ ବୁଝିବି ବୋଲି କିନ୍ତୁ ଏ ପର୍ଯ୍ୟନ୍ତ କାମ ସରିଲା ନାହିଁ। କେବଳ ଏତିକି ନୁହେଁ ଏ ସଂପର୍କରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟ୍ୱିଟ୍‌ କରି ଜଣାଇଛୁ କିନ୍ତୁ କିଛି ଲାଭ ମିଳିନାହିଁ। ବାଲିରେ ଯିବା ଆସିବା କରୁଥିବାରୁ ଅନେକ ସମୟରେ ଗାଡ଼ି ଫସିକି ମଧ୍ୟ ରହୁଛି। କିନ୍ତୁ ଆମ ଦୁଃଖ କେହି ଶୁଣୁନାହାନ୍ତି ବରଂ ହଁ କରିଦେଉ କହି ଚୁପ୍‌ ହୋଇକି ବସୁଛନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ଏହି ସେତୁ ନିର୍ମାଣ ହେଲେ ସ୍ଥାନୀୟ କାକୁଡିକୁଦ, ଝାଲପଡା, ରୁଦ୍ରପୁର, ବାଲିଆ ଆଦି ପଂଚାୟତର ୧୨ ହଜାର ଲୋକେ ଉପକୃତ ହେବେ। ବ୍ରହ୍ମବରଦା ବଜାର ଉପରେ ଲୋକେ ନିର୍ଭର କରୁଥିବାରୁ ବର୍ଷା ଦିନେ ନଦୀ ପାର୍ ହୋଇ ଯାଉଥିବାବେଳେ ଅନ୍ୟଦିନେ ଅଧିକ ବାଟ ଅତିକ୍ରମ କରିବାକୁ ପଡୁଥିବାରୁ ସମୟ ନଷ୍ଟ ସହ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ଲୋକେ କହିଛନ୍ତି। ସେପଟେ ଖୁବ୍ ଶୀଘ୍ର କାମ ଶେଷ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

You might also like